ନୂଆଦିଲ୍ଲୀ: ହିନ୍ଦୀକୁ ନେଇ ପୁଣି ଏକ ବଡ ବୟାନ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମ.କେ. ଷ୍ଟାଲିନ । ରବିବାର "ଭାଷା ସହିଦ ଦିବସ" ପାଳନ ଅବସରରେ କେନ୍ଦ୍ର ସରକାରଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ। କହିଛନ୍ତି ଯେ, ରାଜ୍ୟରେ ହିନ୍ଦୀ ଥୋପ ଦେବାର କୌଣସି ସ୍ଥାନ ନାହିଁ। ୧୯୬୦ ଦଶକର ହିନ୍ଦୀ ବିରୋଧୀ ଆନ୍ଦୋଳନର ସହିଦ ମାନଙ୍କୁ ସ୍ମରଣ କରି ଷ୍ଟାଲିନ କହିଛନ୍ତି ଯେ, ତାମିଲନାଡୁ ସର୍ବଦା ତାର ଭାଷାଗତ ପରିଚୟକୁ ରକ୍ଷା କରିବାରେ ଦୃଢ଼ ରହିବ । 

" ନା ସେତେବେଳେ କୌଣସି ସ୍ଥାନ ଥିଲା, ନା ଏବେ ଅଛି, ନା କେବେ ହେବ”…

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ,"ଭାଷା ସହିଦ ଦିବସ ଅବସରରେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ତାମିଲନାଡୁରେ ହିନ୍ଦୀ ପାଇଁ ନା ସେତେବେଳେ କୌଣସି ସ୍ଥାନ ନଥିଲା, ନା ଏବେ କୌଣସି ସ୍ଥାନ ଅଛି ନା କେବେ ହେବ ।" ସେ ୧୯୬୫ ମସିହାର ଐତିହାସିକ ହିନ୍ଦୀ ବିରୋଧୀ ଆନ୍ଦୋଳନର ସଂଘର୍ଷକୁ ଚିତ୍ରଣ କରୁଥିବା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓଟି ଡିଏମକେର ପ୍ରମୁଖ ନେତା ସି.ଏନ. ଆନ୍ନାଦୁରାଇ ଏବଂ ଏମ୍. କରୁଣାନିଧିଙ୍କ ଅବଦାନକୁ ମନେ ପକାଇଛି।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଚେନ୍ନାଇରେ "ଭାଷା ସହିଦ" ଥାଲାମୁଥୁ ଏବଂ ନଟାରାସନଙ୍କ ସ୍ମାରକୀ ପରିଦର୍ଶନ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ, ସେ ଚେନ୍ନାଇ ମହାନଗର ଉନ୍ନୟନ କର୍ତ୍ତୃପକ୍ଷ (CMDA) ଭବନରେ ଏହି ଦୁଇ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଷ୍ଟାଲିନ୍ କହିଥିଲେ ଯେ, ତାମିଲନାଡୁ ହିନ୍ଦୀ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲା ଏବଂ ଭାରତୀୟ ଉପମହାଦେଶରେ ବିଭିନ୍ନ ଭାଷାଗତ ଏବଂ ଜାତୀୟ ଗୋଷ୍ଠୀର ଅଧିକାର ଏବଂ ପରିଚୟକୁ ସୁରକ୍ଷା ଦେଇଥିଲା।

'ଭାଷା ସହିଦ ଦିବସ'ର ଇତିହାସ କ'ଣ ? 

ତାମିଲନାଡୁରେ ସରକାରୀ ହିନ୍ଦୀ ଭାଷା ବିରୋଧରେ ପ୍ରତିବାଦ କରି ୧୯୬୪-୬୫ ମଧ୍ୟରେ ପ୍ରାଣ ହରାଇଥିବା ଆନ୍ଦୋଳନକାରୀଙ୍କ ପାଇଁ 'ଭାଷା ସହିଦ' ଶବ୍ଦ ବ୍ୟବହାର କରାଯାଏ। ସେହି ସମୟରେ, ହିନ୍ଦୀ ଲାଗୁ କରାଯିବାର ପ୍ରତିବାଦରେ ଅନେକ ଯୁବକ ଆତ୍ମଦାହ କରିଥିଲେ। ସେବେଠାରୁ, ତାମିଲନାଡୁ 'ଦୁଇ-ଭାଷା ସୂତ୍ର' ଅନୁସରଣ କରି ଆସୁଛି, ଯେଉଁଥିରେ କେବଳ ତାମିଲ ଏବଂ ଇଂରାଜୀକୁ ପ୍ରାଥମିକତା ଦିଆଯାଏ ।