ନୂଆଦିଲ୍ଲୀ : ତାମିଲନାଡୁର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତଥା ଅଭିନେତାରୁ ନେତା ସାଜିଥିବା ସୁପରଷ୍ଟାର ବିଜୟ ନିଜ ଶପଥ ଗ୍ରହଣର ଦ୍ୱିତୀୟ ଦିନରେ ହିଁ ଦ୍ୱିତୀୟ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଶପଥ ଗ୍ରହଣ ପରେ ନିଜର ପ୍ରଥମ ଅଭିଭାଷଣରେ ସିଏମ୍ ବିଜୟ ନିଜକୁ "ଗରିବୀ ଏବଂ ଭୋକ ଦେଖିଥିବା ଜଣେ ସାଧାରଣ ମଣିଷ" ବୋଲି କହି ଥିଲେ, କିନ୍ତୁ ତାଙ୍କର ଏହି ଭାବପ୍ରବଣ ବୟାନକୁ ନେଇ ଏବେ ବଡ଼ ବିବାଦ ଦେଖା ଦେଇଛି। ତାଙ୍କ ସ୍କୁଲ ଦିନର ସହପାଠୀ ତଥା ପ୍ରସିଦ୍ଧ ଲେଖକ ଓ ଚିତ୍ରନାଟ୍ୟକାର ମନୁ ଜୋସେଫ୍ ଏହି ଦାବିକୁ 'ନିରର୍ଥକ' ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।
ପୂରା ମାମଲାଟି ଜାଣନ୍ତୁ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୟ କହିଥିଲେ ଯେ, ତାଙ୍କର ଜନ୍ମ ଜଣେ ସାଧାରଣ ସହକାରୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ଘରେ ହୋଇଥିଲା ଏବଂ ସେ ଗରିବୀ ଓ ଭୋକକୁ ଭଲଭାବେ ବୁଝନ୍ତି। ସେ ଜନତାଙ୍କୁ କହିଥିଲେ, "ମୁଁ ଆପଣଙ୍କ ଭଳି ହିଁ ଜଣେ... ମୋର କୌଣସି ରାଜକୀୟ ବଂଶ ନାହିଁ।"
ତାଙ୍କର ଏହି ଦାବି ଉପରେ ସହପାଠୀ ମନୁ ଜୋସେଫ୍ ପାଲଟା ଆକ୍ରମଣ କରିଛନ୍ତି। ମନୁ ଜୋସେଫ୍ ଏବଂ ବିଜୟ ଉଭୟ ଚେନ୍ନାଇର ଲୋୟୋଲା ସ୍କୁଲରେ ତୃତୀୟ ଶ୍ରେଣୀରେ ସହପାଠୀ ଥିଲେ। ମନୁ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ବିଜୟଙ୍କ ପିତା, ଏସ.ଏ. ଚନ୍ଦ୍ରଶେଖର, ଜଣେ ଚଳଚ୍ଚିତ୍ର ନିର୍ମାତା ଥିଲେ ଯିଏ ନିଜ ପୁଅକୁ ଚଳଚ୍ଚିତ୍ର ଦୁନିଆ ପାଇଁ ପ୍ରସ୍ତୁତ କରିଥିଲେ।
ବିଜୟ ତାମିଲନାଡୁର ସିଏମ୍ ହେବା କ୍ଷଣି ଦୁଇ ଆଇଏଏସ୍ ଅଧିକାରୀଙ୍କ ହେଲା ନିଯୁକ୍ତି , ମିଳିଲା ବଡ଼ ଦାୟିତ୍ୱ
ଜୋସେଫ୍ ଏକ୍ସରେ ଲେଖିଛନ୍ତି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ନିଜ ପ୍ରଥମ ଭାଷଣରେ ବିଜୟ କହିଛନ୍ତି ଯେ, ସେ ଗରିବୀରେ ବଢ଼ିଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା, କାରଣ ସେ ଲୋୟୋଲା ସ୍କୁଲରେ ତୃତୀୟ ଶ୍ରେଣୀରେ ମୋର ସହପାଠୀ ଥିଲେ। ତାଙ୍କ ପିତା ଜଣେ ଫିଲ୍ମ ପ୍ରଯୋଜକ ଥିଲେ। ହୋଇ ପାରେ ଯେ, ଅନ୍ୟ ଫିଲ୍ମ ମେକରଙ୍କ ପରି ତାଙ୍କ ପିତାଙ୍କୁ ବେଳେବେଳେ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡ଼ି ଥିବ, କିନ୍ତୁ ଏହା ତାମିଲନାଡୁର ପ୍ରକୃତ ଗରିବୀ ସହ ସମାନ ନୁହେଁ। ଅନେକ ଧନୀ ପିଲା 'ଟଙ୍କା ନଥିବା' ଏବଂ 'ଗରିବୀ' ମଧ୍ୟରେ ଫରକ ବୁଝି ପାରନ୍ତି ନାହିଁ।
In his first speech as Tamil Nadu chief minister, Vijay said that he grew up in poverty, and that he even knows what hunger is. It's bullshit because he was my classmate in the third standard in Loyola School.
— Manu Joseph (@manujosephsan) May 11, 2026
His father was a filmmaker who set up his son for a career in films.…
ବିଜୟଙ୍କ ଫିଲ୍ମ ଏବଂ ରାଜନୈତିକ ଯାତ୍ରା-
ସୂଚନା ଅନୁଯାୟୀ, ବିଜୟ ୧୯୮୪ ମସିହାରେ ତାଙ୍କ ପିତାଙ୍କ ଫିଲ୍ମ 'ବେତ୍ରୀ'ରୁ ବାଳ କଳାକାର ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଦଳ 'ତାମିଲଗା ଭେଟ୍ରି କାଡ଼ଗମ' (TVK)ନିକଟରେ ହୋଇଥିବା ନିର୍ବାଚନରେ ବହୁମତ ହାସଲ କରି ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଭାବେ ସେ ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଶପଥ କରିଛନ୍ତି। ତେବେ ଶପଥ ଗ୍ରହଣ ଉତ୍ସବରେ ପ୍ରଥମେ ରାଜ୍ୟ ସଙ୍ଗୀତ ନ ବଜାଇବାକୁ ନେଇ ମଧ୍ୟ ପୂର୍ବରୁ ଏକ ବିବାଦ ଦେଖା ଦେଇଥିଲା, ଯାହାକୁ ନେଇ ସହଯୋଗୀ ଦଳ ସିପିଆଇ (CPI) ଆପତ୍ତି ଜଣାଇଥିଲା।
କିଏ ଏହି ମନୁ ଜୋସେଫ୍ ?
ବିଜୟଙ୍କୁ ସମାଲୋଚନା କରିଥିବା ମନୁ ଜୋସେଫ୍ ନିଜେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ' ସିରିୟସ୍ ମ୍ୟାନ୍ ' ପରି ବେଷ୍ଟ ସେଲର୍ ବହିର ଲେଖକ। ତାଙ୍କ ବହି ଆଧାରରେ ନେଟଫ୍ଲିକ୍ସରେ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି। ସେ ନିକଟରେ 'Why The Poor Don't Kill Us' ନାମକ ଏକ ପୁସ୍ତକ ଲେଖି ବେଶ୍ ଚର୍ଚ୍ଚାରେ ରହିଥିଲେ। ମନୁଙ୍କ ପିତା ଜୋସେଫ୍ ମାଡାପଲ୍ଲୀ ମଧ୍ୟ ମାଲାୟାଲମ୍ ଫିଲ୍ମର ଜଣେ ନିର୍ଦ୍ଦେଶକ ଥିଲେ।