ନୂଆଦିଲ୍ଲୀ : ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ସହ ଟିଭିକେ ମୁଖ୍ୟ ବିଜୟ, ରବିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ ଆକ୍ସନ ମୋଡକୁ ଆସିବା ସହ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଦୁଇଜଣ IAS ଅଧିକାରୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆ ଯାଇଛି। ତାମିଲନାଡୁ ସରକାର ଏହି ଦୁଇ ଅଧିକାରୀଙ୍କୁ ବିଜୟଙ୍କ ସରକାରୀ ସଚିବ ଭାବେ ନିଯୁକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ଅନୁଯାୟୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ପି. ସେନ୍ଥିଲ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଆଦି ଦ୍ରାବିଡ଼ ଏବଂ ଜନଜାତି କଲ୍ୟାଣ ବିଭାଗର ସଚିବ ଜି. ଲକ୍ଷ୍ମୀ ପ୍ରିୟାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ-୨ ଭାବେ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖନୀୟ ଯେ, ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ 'ତାମିଲଗା ଭେଟ୍ରି କାଝଗମ' (TVK) କୁ ଏକାକୀ ବହୁମତ ମିଳି ନଥିଲା। କିନ୍ତୁ ବିଜୟ କଂଗ୍ରେସ, VCK, CPI, CPI(M) ଏବଂ IUML ର ସମର୍ଥନ ହାସଲ କରିବାରେ ସଫଳ ହୋଇ ଥିଲେ। ଏହିଭଳି ଭାବେ ସେ ୧୨୦ ଜଣ ବିଧାୟକଙ୍କୁ ଏକଜୁଟ କରି ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ସିଟ୍ର ସୀମା ଅତିକ୍ରମ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରାଜ୍ୟରେ ବିଜୁଳି, ମହିଳା ସୁରକ୍ଷା ଏବଂ ନିଶାମୁକ୍ତି ସହ ଜଡ଼ିତ ତିନୋଟି ଜନକଲ୍ୟାଣକାରୀ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି।

ପଦଭାର ଗ୍ରହଣ କରିବା ପରେ ବିଜୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପାଇଁ ଶୀର୍ଷ ପଦାଧିକାରୀଙ୍କ ସହ ଏକ ବୈଠକ କରି ଥିଲେ। ଏକ ସରକାରୀ ପ୍ରେସ ବିବୃତ୍ତି ଅନୁଯାୟୀ, ଏହି ବୈଠକରେ ତାମିଲନାଡୁର ସାମ୍ପ୍ରତିକ ଆଇନ ଶୃଙ୍ଖଳା ସ୍ଥିତିର ବ୍ୟାପକ ଆକଳନ କରାଯାଇ ଥିଲା।

ବିଜୟ ମହିଳାମାନଙ୍କ ସୁରକ୍ଷା ବଢ଼ାଇବା ସହ ମାଦକ ଦ୍ରବ୍ୟ କାରବାର ରୋକିବା ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରଣନୀତି ଉପରେ ଆଲୋଚନା କରି ଥିଲେ। ସେ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିର ନିରନ୍ତର ଏବଂ ବ୍ୟାପକ ସମୀକ୍ଷା ଜାରି ରହିବ। ଏହି ବୈଠକରେ ମୁଖ୍ୟ ସଚିବ ଏମ୍. ସାଈକୁମାର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କେ. ମଣିବାସନ ଏବଂ ପୁଲିସ ମହାନିର୍ଦ୍ଦେଶକ ସନ୍ଦୀପ ରାୟ ରାଠୋର ଉପସ୍ଥିତ ଥିଲେ।

ଏହା ସହ ମଧ୍ୟ ପଢନ୍ତୁ : ବିଜୟ ଶପଥ ଗ୍ରହଣ ଉତ୍ସବକୁ ଆସିଲେନି ପତ୍ନୀ ଓ ସନ୍ତାନ, ୟୁଜର ଦେଲେ ଏଭଳି ରିଆକ୍ସନ