PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ରାୟଗଡ଼ାରେ କୋଲ୍‌ ଇଣ୍ଡିଆ କରିବ ଆଲୁମିନିୟମ ୟୁନିଟ୍, ଶାଶୂବୋହୂମାଳିରୁ ବକ୍ସାଇଟ ମିଳିବା ସମ୍ଭାବନା

ରାୟଗଡ଼ା,୧୬/୦୫: ରାଷ୍ଟ୍ରାୟାତ୍ତ କମ୍ପାନି କୋଲ୍‌ ଇଣ୍ଡିଆ ପକ୍ଷରୁ ରାୟଗଡ଼ାରେ ବୃହତ ଆଲୁମିନିୟମ କାରଖାନା ସ୍ଥାପନ ଲାଗି ବାଟ ଫିଟିଛି । ଶାଶୂବୋହୂମାଳି ପାହାଡ଼ରୁ ବକ୍ସାଇଟ ଖନନ ପାଇଁ ଏହାକୁ ଅନୁମତି ମିଳିବା ସମ୍ଭାବନା ରହିଛି । ଏ ସଂପର୍କରେ କୋଲ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ରାଜ୍ୟ ସରକାର ଏବଂ ଓଡ଼ିଶା ଖଣି ନିଗମ ସହ ଆଲୋଚନା ଜାରି ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ଏଲ୍‌ ଆଣ୍ଡ ଟି କମ୍ପାନି ପକ୍ଷରୁ ଜିଲ୍ଲାରେ ଆଲୁମିନା କାରଖାନା ଲାଗି ଯେଉଁ ଯୋଜନା ରହିଥିଲା, ସେଥିରେ ଏକପ୍ରକାର ପୂର୍ଣ୍ଣଛେଦ ପଡ଼ିଛି । ଏହି କମ୍ପାନିର ରାୟଗଡ଼ା କାର୍ଯ୍ୟାଳୟରୁ ସମସ୍ତ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି । କେବଳ ନାଁକୁ ମାତ୍ର ଜଣେ ସୁରକ୍ଷା କର୍ମୀ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଜଣେ କିରାଣି ରହିଛନ୍ତି । କାରଖାନା ସ୍ଥାପନ ନେଇ କୋଲ୍‌ ଇଣ୍ଡିଆ ଲିଃର ପରିଚାଳନା ବୋର୍ଡ ସବୁଜ ସଙ୍କେତ ଦେବାପରେ କାଶୀପୁର କିମ୍ବା କଲ୍ୟାଣସିଂହପୁର ବ୍ଲକରେ ଏହା ସ୍ଥାପନ ନେଇ ଆଲୋଚନା ଶୀର୍ଷରେ ପହଞ୍ଚିଛି । କାରଖାନାର କ୍ଷମତା ରହିବ ୩ ମିଲିୟନ ଟନ୍‌ । ଆଉ ଜିଲ୍ଲାରେ ଯେଉଁ ବକ୍ସାଇଟ ଖଣିଗୁଡ଼ିକ ରହିଛି, ସେଗୁଡ଼ିକୁ ବିନିଯୋଗ କରି ପ୍ରାୟ ୨୦ ହଜାର କୋଟି ଟଙ୍କା ଏହି କାରଖାନା ପାଇଁ ଖର୍ଚ୍ଚ ହେବ । ଜିଲ୍ଲାର କାଶୀପୁର ବ୍ଲକରେ ସର୍ବାଧିକ ବକ୍ସାଇଟ ଖଣି ରହିଛି ।

ଶାଶୂବୋହୂମାଳି ପାହାଡ଼ରୁ ବକ୍ସାଇଟ ଅନ୍ୱେଷଣ ପାଇଁ ଓଡ଼ିଶା ଖଣି ନିଗମ(ଓଏମସି) କୁ ବହୁପୂର୍ବରୁ ଅନୁମତି ମିଳିଛି । କାଶୀପୁର ବ୍ଲକରେ ରହିଛି ଏହି ପାହାଡ଼ । ଏଠାରେ ୮୧ ମିଲିୟନ ଟନ୍‌ ବକ୍ସାଇଟ ଗଚ୍ଛିତ ରହିଛି । ସେଥିରୁ ୪୦.୩୮ ପ୍ରତିଶତ ଆଲୁମିନିୟମ ଅକ୍ସାଇଡ ଏବଂ ୨.୬୩ ପ୍ରତିଶତ ସିଲିକନ ଅକ୍ସାଇଡ ଗ୍ରେଡର । ଏହା ଅତ୍ୟନ୍ତ ଉତ୍କୃଷ୍ଟ ମାନର ଖଣିଜ ପଦାର୍ଥ ବୋଲି ପରିଗଣିତ ହେଉଛି । ସମୁଦାୟ ୪୨୨୫.୦୮୪ ହେକ୍ଟର ଅଞ୍ଚଳରେ ଏହି ଖଣିଜ ପଦାର୍ଥ ମହଜୁଦ ରହିଛି ।

୨୦୧୮ ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଖଣି ନଗମ ପକ୍ଷରୁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ନିକଟରେ ଆବେଦନ କରାଯାଇଥିଲା । ଆବେଦନକୁ ଗ୍ରହଣ କରି ବିଭାଗ ଓଏମ୍‌ସିକୁ ଅନୁମତି ପ୍ରଦାନ କରିଥିଲା । ଏହାପୂର୍ବରୁ ୨୦୧୫ ଡିସେମ୍ବର ୨୬ରେ ଅନୁମତି ମିଳିଥିବା ବେଳେ ଓଡ଼ିଶା ଖଣି ନିଗମ ୫ ବର୍ଷ ପାଇଁ ଏହାକୁ ବଢ଼ାଇଥିଲା । ୫ ବର୍ଷ ପୂର୍ତ୍ତି ପୂର୍ବରୁ ପୁନର୍ବାର ଆବେଦନ କରି ୨୦୧୮ରେ ଏହାର ନବୀକରଣ କରିଥିଲା । ଶାଶୂବୋହୂମାଳି ପାହାଡ଼ ଉପରେ ୪ଟି ଗାଁର ଅବସ୍ଥିତି । ସେଗୁଡ଼ିକ ହେଲା ପୁମେର, ମାଣ୍ଡିଝୋଲା, ଝାଡ଼ବନ୍ଧମାଳି ଓ ଉପରକଞ୍ଜାକଣା । ଏହାବ୍ୟତିତ ମୋଟ ୪୨ଟି ଗାଁ ଏଠାରେ ଖଣି ଖନନ ଦ୍ୱାରା ସିଧାସଳଖ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେବେ ।

ଶାଶୂବୋହୂମାଳି ପାହାଡ଼ରୁ ବାର୍ଷିକ ୦.୭ ମେଟ୍ରିକ୍‌ ଟନ୍‌ ଆଲୁମିନା ଉତ୍ତୋଳନ ସହ ୩୦ ମେଗାୱାଟ ପାୱାର ପ୍ଲାଣ୍ଟ୍‌ ପ୍ରତିଷ୍ଠା ଲାଗି ଆର୍‌ଏସ୍‌ବି ମେଟାଲଟେକ୍‌ କାରଖାନା ଉଦ୍ୟମ କରିଥିଲା । ୨୦୧୨ ଅକ୍ଟୋବରରେ କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣି ମଧ୍ୟ ହୋଇଥିଲା । ୧୦ ହଜାର କୋଟି ଟଙ୍କା ବ୍ୟୟରେ କାଶୀପୁର, କଲ୍ୟାଣସିଂହପୁର ଓ ରାୟଗଡ଼ା ବ୍ଲକର ମଧ୍ୟବର୍ତ୍ତୀ ସ୍ଥାନରେ କାରଖାନା ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ ହୋଇଥିଲା । କିନ୍ତୁ ଖଣି ଖନନ ଓ କାରଖାନା ପ୍ରତିଷ୍ଠାକୁ ତୀବ୍ର ବିରୋଧ ପରେ ତାହା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ କରାଯାଇ ଓଏମସି ତରଫରୁ କୋଲ୍‌ ଇଣ୍ଡିଆକୁ ପ୍ରଦାନ କରାଯିବା ସହ ଖଣି ଖନନ କରାଯିବ ବୋଲି ସୂଚନା ହସ୍ତଗତ ହୋଇଛି । କୋଲ୍‌ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଅଧୀନର ଏକ ରାଷ୍ଟ୍ରାୟତ୍ତ କମ୍ପାନି ହୋଇଥିବାରୁ ଏଥିପାଇଁ ବିରୋଧାଭାସ ନହେବାର ସମ୍ଭାବନା ରହିଛି । କଞ୍ଚାମାଲ କ୍ଷେତ୍ରରେ ସବୁଜ ସଙ୍କେତ ମିଳିବା ପରେ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଏହା ଆଗକୁ ବଢ଼ିବ।