ନୂଆଦିଲ୍ଲୀ,୨୮/୫ : ସୋସିଆଲ ମିଡ଼ିଆରେ ଏବେ କକରୋଚ ଜନତା ପାର୍ଟି (CJP)କୁ ନେଇ ରାଜନୀତି ସରଗରମ ହୋଇଯାଇଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି । ସୋସିଆଲ୍ ଆକ୍ଟିଭିଷ୍ଟ ପ୍ରଶାନ୍ତ ଭୂଷଣଙ୍କ ଏକ ପୋଷ୍ଟ ଉପରେ ବିଜେପି ନେତା ତାଜିନ୍ଦର ବଗା ଏଭଳି ଜବାବ ଦେଇଛନ୍ତି କି ଦେଖୁ ଦେଖୁ ଏହା ଭାଇରାଲ ହେବାରେ ଲାଗିଛି । ‘ପୁରୁଣା କକରୋଚ୍ ମୋତେ HIT ନାମରେ ଜଣାଯାଇଥାଏ ’, ବଗାଙ୍କ ଏହି ବୟାନ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ଟ୍ରେଣ୍ଡ କରିବାକୁ ଲାଗିଛି ଏବଂ ରାଜନୈତିକ ବିବାଦ ସୃଷ୍ଟି ହୋଇଛି ।
ପ୍ରକାଶ ଯେ, ସୋସିଆଲ ଆକ୍ଟିଭିଷ୍ଟ ପ୍ରଶାନ୍ତ ଭୂଷଣ ଏକ୍ସରେ ‘ସେ କକରୋଚକୁ କିଭଳି ଦେଖନ୍ତି !‘ ଲେଖିବାକୁ ଯାଇ କକରୋଚର ଫଟୋ ସେୟାର କରିଥିଲେ । ମାତ୍ର ସେ ପୋଷ୍ଟରେ କାହାର ନାମ ନେଇ ନଥିଲେ । କିନ୍ତୁ ସୋସିଆଲ ମିଡ଼ିଆରେ ୟୁଜର୍ସ ଏହାକୁ ରାଜନୈତିକ ବୟାନବାଜି ସହ ଯୋଡ଼ି ଦେଖିବାକୁ ଆରମ୍ଭ କରି ଦେଇଛନ୍ତି । ଏହି ପୋଷ୍ଟକୁ ସେୟାର କରି ତାଜିନ୍ଦର ବଗା ବ୍ୟଙ୍ଗାତ୍ମକ ଭାବରେ ଲେଖିଛନ୍ତି, "ଭାଇ, ମୋତେ କକରୋଚ ମାରିବାର ପୁରୁଣା ଅଭିଜ୍ଞତା ଅଛି। ପୁରୁଣା କକରୋଚ୍ ମୋତେ HIT ଭାବରେ ଜାଣନ୍ତି।"
ବଗାଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟାର ଝଡ଼ ସୃଷ୍ଟି ହୋଇଛି । ବିଜେପି ସମର୍ଥକମାନେ ଏହାକୁ "ଉଚିତ ଜବାବ" ଭାବରେ ପ୍ରଶଂସା କରିଛନ୍ତି, ଯାହାକି ବିରୋଧୀ ଦଳ ଲୋକେ ରାଜନୈତିକ ଭାଷାର ସ୍ତର ଉପରେ ପ୍ରଶ୍ନ ଉଠାଇଛନ୍ତି । ଅନେକ ୟୁଜର୍ସ ଦୁଇ ନେତାଙ୍କ ପୋଷ୍ଟରେ ମିମ୍ସ ଏବଂ ବ୍ୟଙ୍ଗାତ୍ମକ ମନ୍ତବ୍ୟ ମଧ୍ୟ ସେୟାର କରିଛନ୍ତି ।