ଯାହାକୁ ଦେଖିବେ ଖୁଁ ଖାଁ… ସହରରେ ବ୍ୟାପିଛି ଥଣ୍ଡା ଜ୍ୱର, ଭିଟାମିନ୍-ସି ମେଡିସିନ୍ ଖାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର ୨୪/୦୧: ଏବେ ଘରେ ଘରେ ଥଣ୍ଡା ଆଉ ଜ୍ୱର । ଯାହାକୁ ଦେଖିବେ, ଖୁଁ ଖାଁ…ହୋଇ କାଶୁଥିବେ ନହେଲେ ଥଣ୍ଡାରେ ନାକରୁ ପାଣି ବୋହିବା ସହିତ ଛିଙ୍କରେ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବେ । ଗୋଟିଏ ଗୋଟିଏ ପରିବାରରେ ଏକାଧିକ ଲୋକ ଏଥିରେ ପୀଡ଼ିତ । ପରିବାରରେ ଜଣକୁ ହେଲେ, ଆଉ ଜଣକୁ ସଂକ୍ରମିତ କରୁଛି । ଏସବୁ କରୋନା ଭୂତାଣୁ ସଂକ୍ରମଣ ନା ସାଧାରଣ ଥଣ୍ଡା ଜ୍ୱର, ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ।
କ୍ୟାପିଟାଲ୍ ହସ୍ପିଟାଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ଆଉଟ୍ଡୋର୍ରେ ଭାଇରାଲ୍ ଜ୍ୱର ଓ ଥଣ୍ଡାରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଗତ ମାସେ ହେଲାଣି କେବଳ ୩୦ ପ୍ରତିଶତ ଏଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ବଢ଼ିଛି । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ନାହିଁ । କେଉଁଠି କାଁ ଭାଁ ଗୋଟିଏ ଦୁଇଟି ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ଭାଇରାଲ୍ ଫିଭର ସଂକ୍ରମଣ ବଢ଼ିଛି । କ୍ୟାପିଟାଲ୍ ହସ୍ପିଟାଲ୍ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଲମ୍ବୋଦର ପଣ୍ଡା କହିଛନ୍ତି, ବର୍ତ୍ତମାନ ଅଧିକାଂଶ ଲୋକ ‘ଭାଇରାଲ୍ ଫିଭର୍’ରେ ପୀଡ଼ିତ । ଏହାର ମୁଖ୍ୟ କାରଣ ଋତୁ ପରିବର୍ତ୍ତନ । ଋତୁ ପରିବର୍ତ୍ତନ ବେଳେ ଲୋକଙ୍କ ମଧ୍ୟରେ ଭୂତାଣୁଜନିତ ସଂକ୍ରମଣ ବଢ଼ିଥାଏ । ତେଣୁ ଯେଉଁମାନେ ପୀଡ଼ିତ ଅଛନ୍ତି, ସେମାନେ ଆଣ୍ଟି ଟେଷ୍ଟିମନି ମେଡିସିନ୍, ପାରାସିଟାମଲ୍ ବ୍ୟବହାର କରିପାରିବେ । ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଭିଟାମିନ୍-ସି ଖାଇବା ଉଚିତ ବୋଲି ସେ କହିଛନ୍ତି ।
ଶିଶୁ ରୋଗ ବିଶେଷଜ୍ଞ ତଥା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଯଦି ପରିବାରରେ କେହି ସଂକ୍ରମିତ ଅଛନ୍ତି, ତାହାଲେ ଶିଶୁଙ୍କୁ ସେମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁନାହିଁ । ଶିଶୁଙ୍କୁ ଅଧିକ ମାତ୍ରାରେ ପାଣି ପିଇବାକୁ ଦିଅନ୍ତୁ । ଯଦି ଥଣ୍ଡା ଲକ୍ଷଣ ଦେଖା ଦିଏ, ଡାକ୍ତର ପରାମର୍ଶ ନେବେ । ସାମାନ୍ୟ ଜ୍ୱର ହେଲେ ପାରାସିଟାମଲ୍ ଓ ଲିଭୋସେଟ୍ରିଜିନ୍ ଔଷଧ ଦେବେ ।
ଆୟୁର୍ବେଦିକ ଡାକ୍ତର ସଞ୍ଜୟ କୁମାର ମହାପାତ୍ର କହିଛନ୍ତି, ଘରୋଇ ଚିକିତ୍ସା ଦ୍ୱାରା ଥଣ୍ଡା ସର୍ଦ୍ଦି ପାଇଁ ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ । ସକାଳୁ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ସାମାନ୍ୟ ଲୁଣ ପକେଇ ଗାର୍ଗିଲିଂ କରିବା ଦରକାର । ପରେ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ହଳଦୀ ଗୁଣ୍ଡ ମିଶାଇ ପିଇ ପାରିବେ । ତୁଳସୀ ପତ୍ର ରସ, ଅଦା ରସ ଏବଂ ମହୁ ପକାଇ ସକାଳ ସନ୍ଧ୍ୟାରେ ସେବନ କରନ୍ତୁ । ପିପ୍ପଳି ଗୁଣ୍ଡକୁ ମହୁ ସହ ମିଶାଇ ମଧ୍ୟ ସେବନ କଲେ ଥଣ୍ଡା ହେବନାହିଁ ।