ନୂଆଦିଲ୍ଲୀ : ଦେଶର ସମତଳ ଓ ପାହାଡ଼ିଆ ଅଞ୍ଚଳରେ ଥଣ୍ଡା ନିଜର ରୁଦ୍ର ରୂପ ଧାରଣ କରିଛି। ଅନେକ ରାଜ୍ୟରେ ଥଣ୍ଡା ଏତେ ବଢି ଯାଇଛି ଯେ,ଲୋକେ ଗରମ ପୋଷାକ ସହ ଏବେ ନିଆଁ ଜଳାଇ ଶୀତକୁ ସାମ୍ନା କରୁଛନ୍ତି। ଏହି ମଧ୍ୟରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ୧୬ ଡିସେମ୍ୱରରେ ଜାରି ନିଜର ପ୍ରେସ୍‌ ବିଜ୍ଞପ୍ତିରେ ଦକ୍ଷିଣ ଓ ଉତ୍ତର ଭାରତ ପାଇଁ ପ୍ରମୁଖ ମୌସୁମୀ ଅଲର୍ଟ ଜାରି କରିଛି। ଆଇଏମଡି ମୁତାବିକ, ତାମିଲନାଡୁ ଓ ଆଖାପାଖର ଅଞ୍ଚଳରେ ସୃଷ୍ଟି ଲଘୁ ଚାପ କ୍ଷେତ୍ର ଯୋଗୁଁ ଆଗାମୀ କିଛି ଦିନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଉତ୍ତର ଭାରତର ଅନେକ ଭାଗରେ ଶୀତ ଲହରୀର ଆତଙ୍କ ଜାରି ରହିବ , ଯେଉଁଥିରେ ଥଣ୍ଡା ଆହୁରି ମଧ୍ୟ ତୀବ୍ର ହୋଇ ପାରେ।

ଉତ୍ତର ଭାରତର ହିମାଚଳ ପ୍ରଦେଶ ,ପଞ୍ଜାବ , ହରିଆଣା, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଶୀତ ଲହରୀ ଆହୁରି ଗମ୍ଭୀର ଶୀତ ଲହରୀର ସ୍ଥିତି ଉପୁଜିଛି। ଅନେକ କ୍ଷେତ୍ରରେ ତାପମାତ୍ରା ସାଧାରଣରୁ ୫ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତଳକୁ ରେକର୍ଡ କରାଯାଇଛି। ରାଜସ୍ଥାନ ଓ ମଧ୍ୟ ପ୍ରଦେଶର କିଛି ଭାଗରେ ଭୂଇଁରେ କାକର ପଡ଼ିବାର ଦେଖିବାକୁ ମିଳୁଛି। ଆଇଏମଡି ୧୬ରୁ ୨୨ ଡିସେମ୍ୱର ଯାଏ ଦେଶର ଅନେକ ଭାଗରେ ଶୀତ ଲହରୀର ଚେତାବନୀ ଜାରି କରିଛି। 

ପଞ୍ଜାବ, ହରିଆଣା-ଚଣ୍ଡିଗଡ଼ ଓ ଉତ୍ତର ପ୍ରଦେଶରେ ୧୬ରୁ ୨୦ ଡିସେମ୍ୱର ଯାଏ ଶୀତ ଲହରୀର ସ୍ଥିତି ଜାରି ରିହବାର ସମ୍ଭାବନା ଥିବା ବେଳେ ଅନ୍ୟପଟେ ବିଦର୍ଭ , ଛତିଶଗଡ଼ , ମଧ୍ୟ ମହାରାଷ୍ଟ୍ର ,ମରାଠାୱାଡା ଓ ତେଲେଙ୍ଗାନାରେ ୧୬ ଡିସେମ୍ୱରରେ ଥଣ୍ଡାର ପ୍ରଭାବ ଅଧିକ ରହିବ। ପଶ୍ଚିମ ରାଜସ୍ଥାନରେ ୧୬ରୁ ୨୨ ଡିସେମ୍ୱର ଯାଏ ପ୍ରବଳ ଥଣ୍ଡାର ପ୍ରକୋପ ଲାଗି ରହିବ। ପୂର୍ବ ମଧ୍ୟ ପ୍ରଦେଶରେ ୧୬ ଓ ୧୭ ଡିସେମ୍ୱର ଓ ପଶ୍ଚିମୀ ମଧ୍ୟ ପ୍ରଦେଶରେ ୧୭ ଡିସେମ୍ୱରରେ ଶୀତ ଲହରୀର ପ୍ରଭାବ ଦେଖିବାର ଆଶା ରହିଛି। ଏଥିରେ ଲୋକଙ୍କୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ଉପାୟ ଆପଣାଇବାକୁ ପରାମର୍ଶ ଦିଆ ଯାଇଛି।

ଅନ୍ୟପଟେ ଦେଶର ଅନେକ ସ୍ଥାନରେ ଘନ କୁହୁଡ଼ିର ଚେତାବନୀ ଜାରି ରହିଛି। ପଞ୍ଜାବ , ହରିଆଣା –ଚଣ୍ଡିଗଡ଼ , ଉତ୍ତର ପ୍ରଦେଶ ଓ ଓଡ଼ିଶାରେ ବିଳମ୍ୱିତ ରାତିରେ ଓ ସକାଳ ସମୟରେ ୧୮ ଡିସେମ୍ୱର ଯାଏ ଘନ କୁହୁଡ଼ିର ସ୍ଥିତି ଲାଗି ରହିବାର ସମ୍ଭାବନା ଅଛି। ସେପଟେ ପଶ୍ଚିମବଙ୍ଗ , ସିକ୍କିମ , ବିହାର , ଆସାମ , ମେଘାଳୟ, ନାଗାଲ୍ୟାଣ୍ଡ , ମଣିପୁର , ମିଜୋରାମ ଓ ତ୍ରିପୁରାରେ ୧୯ ଡିସେମ୍ୱର ଯାଏ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିପାରେ।