ଭୁବନେଶ୍ବର,୨୨।୪ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦା ଉପରମୁହାଁ ହୋଇ ରହିଛି। ତାତିରେ ଜନଜୀବନ ଅସ୍ତବ୍ୟସ୍ତ। ପଶ୍ଚିମ ଓଡିଶାରୁ ଆଭ୍ୟନ୍ତୀରଣ ଓଡିଶା ସବୁଠି ତାତି। ତତଲା କଡେଇରେ ଲୋକେ ଆଉଟପାଉଟ ହେଉଛନ୍ତି। ତେବେ ରାଜ୍ୟରେ ଗ୍ରୀଷ୍ମର ଲହରୀକୁ ଦେଖି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।  ଆସନ୍ତା କାଲି ଠାରୁ କଲେଜ , ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।   

ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମଙ୍ଗଳବାର ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।       

ଏହି ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ   ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ   ବନ୍ଦ ରହିବ।  ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲାମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ।

ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ତେବେ ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ହଷ୍ଟେଲ ପିଲାମାନେ ଚାହିଁଲେ, ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ ।

ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।