ନୂଆଦିଲ୍ଲୀ,୧୦/୦୯; ଭୟଙ୍କର ସଡ଼କ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ସବୁକିଛି ଛାରଖାର । ୬ଟି ଜୀବନ ଦୀପ ଲିଭିଗଲା । ୩ ଜଣ ଜୀବନ-ମରଣ ସହ ଲଢେଇ କରୁଛନ୍ତି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ଜୀବନ ଚାଲି ଯାଇଛି । ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

​​​​​​​ପୁଲିସ୍ ଅଧିକ୍ଷକ ନିଖିଲ ଅଶୋକ ରାଖେଚା କହିଛନ୍ତି ଯେ, ଗୁରୁବାର ରାତି ୧୧ଟାରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୟଙ୍କର ଦୁର୍ଘଟଣାରେ କାର୍ ସମ୍ପୂର୍ଣ୍ଣ ଭାଙ୍ଗି ଗୁଣ୍ଡ ଗୁଣ୍ଡ ହୋଇଛି । ନାଥିଆ ନବାଗାଁ ନିକଟରେ ଦୁର୍ଘଟଣା ଘଟିଛି । ଦୁଇଟି ଦ୍ରୁତ ଗତିରେ ଆସୁଥିବା କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏତେ ଜୋରରେ ଧକ୍କା ହୋଇଥିଲା ଯେ ୨ଟି ଯାକ ଗାଡି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ରିପୋର୍ଟ ଆସିଛି । ଆହତଙ୍କ ଅବସ୍ଥା ଗୁରୁତର ରହିଛି ।

ଏହା ବି ପଢନ୍ତୁ...ପରିବେଶ ପ୍ରତି ବଡ଼ ଆହ୍ୱାନ;ନଦୀରେ ଢାଳିଦେଲେ ୧୧ ହଜାର ଲିଟର କ୍ଷୀର,ଭିଡ଼ିଓ ଭାଇରାଲ  

ସୂଚନାପାଇବା ମାତ୍ରେ କୋତୱାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ପୁଲିସ୍ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଆହତଙ୍କ ବୟାନ ଏବଂ ଅନ୍ୟାନ୍ୟ ପ୍ରମାଣ ଅଧାରରେ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି । ପୁଲିସ୍ ଏହି ମାମଲାରେ ବିସ୍ତୃତ ତଦନ୍ତ କରୁଛି ।