ନୂଆଦିଲ୍ଲୀ,୧୦/୦୪: ମଧ୍ୟପ୍ରଦେଶର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ନର୍ମଦା ନଦୀରେ ହଜାର ହଜାର ଲିଟର କ୍ଷୀର ଢଳାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଆସ୍ଥା, ବିଶ୍ୱାସ, ପରିବେଶ ଓ ଜନକଲ୍ୟାଣକୁ ନେଇ ବଡ଼ ଧରଣର ବିତର୍କ ତେଜିଛି । ଭକ୍ତ ଦାବି କରିଛନ୍ତି, ଏହି କାର୍ଯ୍ୟ ଏକ ଭବ୍ୟ ଅଭିଷେକ ବିଧି ଥିଲା । କିନ୍ତୁ ଏହାର ପ୍ରଭାବକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ଏହି ଦୃଶ୍ୟ ଚୈତ୍ର ନବରାତ୍ରି ସମୟରେ ସିହୋର ଜିଲ୍ଲାର ସତଦେବ ଗାଁରେ ଅବସ୍ଥିତ ଶ୍ରୀ ଦାଦାଜୀ ଦରବାର ପାତାଳେଶ୍ୱର ମହାଦେବ ମନ୍ଦିରରେ ଅନୁଷ୍ଠିତ ଏକ ଭବ୍ୟ ଧାର୍ମିକ କାର୍ଯ୍ୟାନୁଷ୍ଠାନର ଥିଲା । 

ପୋଷ୍ଟର୍‌ ଓ ସ୍ଥାନୀୟ ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ଗତ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ ୭ ପର୍ଯ୍ୟନ୍ତ ୨୧ ଦିନ ଧରି ଚାଲିଥିଲା । ଏକ ଭବ୍ୟ ମହାଯଜ୍ଞ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ୪୧ ଟନ୍‌ ଘିଅ ବ୍ୟବହୃତ ହୋଇଥିଲା । ଶିବ ମହାପୁରାଣ ପାଠ ସମେତ ୧୫୧ ଭକ୍ତଙ୍କ ଦ୍ୱାରା ନିରନ୍ତର ଦୁର୍ଗା ପାଠ ଜପ ହୋଇଥିଲା । ଏ ଅବସରରେ ଏକ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୧ ହଜାର ଲିଟର କ୍ଷୀର ନର୍ମଦା ନଦୀରେ ଢଳାଯାଇଥିଲା । ଆୟୋଜକ ଓ ଭକ୍ତ ଏହାକୁ ଗଭୀର ବିଶ୍ୱାସର ପରିପ୍ରକାଶ ବୋଲି ଦର୍ଶାଇଛନ୍ତି । ଆୟୋଜକଙ୍କ ଅନୁସାରେ, ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୫ ଏକରରେ ବିସ୍ତୃତ ଏକ ବିଶାଳ ପେଣ୍ଡାଲ ପ୍ରସ୍ତୁତ କରାଯାଇଥିଲା । ପ୍ରତିଦିନ ହଜାର ହଜାର ଭକ୍ତ ସେଠାରେ ବସି ଏହି ଭବ୍ୟ ଧାର୍ମିକ ଅନୁଷ୍ଠାନକୁ ଦେଖୁଥିଲେ । ମହାଯଜ୍ଞରେ ସୁନା, ରୁପା ଓ ଔଷଧୀୟ ଚେରମୂଳୀ ସମେତ ମୋଟ୍‌ ୪୧ ଟନ୍‌ ସାମଗ୍ରୀ ବ୍ୟବହୃତ ହୋଇଥିଲା । କିନ୍ତୁ ନଦୀରେ କ୍ଷୀର ଢାଳିବାର ଭିଡିଓ ପ୍ରସାର ହେବା ପରଠୁ ବିତର୍କ ବଢ଼ିଛି । 

ଆହୁରି ପଢନ୍ତୁ-ଯୌତୁକ ନିର୍ଯାତନାର ଶିକାର ଜାତୀୟ ସ୍ତରର ଭଲିବଲ୍ ଖେଳାଳି, ମାଆ ବଖାଣିଲେ ଦୁଃଖ କାହାଣୀ

ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ କରିଛନ୍ତି, କୁପୋଷଣ ସହ ଲଢ଼େଇ କରୁଥିବା ରାଜ୍ୟରେ ଏଭଳି କାର୍ଯ୍ୟ କେତେ ତର୍କସଙ୍ଗତ? ସମାଲୋଚକଙ୍କ ଯୁକ୍ତି ଯେ ବ୍ୟାପକ ପରିମାଣର କ୍ଷୀରକୁ କୁପୋଷଣରେ ପୀଡ଼ିତ ପିଲାଙ୍କୁ ଦିଆଯାଇ ପାରିଥାନ୍ତା । ଆଉ କିଛି ପରିବେଶକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ନଦୀରେ କ୍ଷୀର ଢାଳିବା ଦ୍ୱାରା ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ବଢ଼ିପାରେ । ଏହା ଦ୍ୱାରା ଦ୍ରବୀଭୂତ ଅମ୍ଳଜାନ ସ୍ତର ହ୍ରାସ ପାଇବ, ଯାହା ଜଳଜୀବଙ୍କ ପାଇଁ କ୍ଷତିକାରକ । ପରିବେଶ ବିଶେଷଜ୍ଞ କହିଛନ୍ତି, ଜଳରେ କ୍ଷୀର ବିଘଟିତ କରିବା ଦ୍ୱାରା ଜୀବାଣୁ ବୃଦ୍ଧି ହୋଇପାରେ । ଏହା ମାଛ ଓ ଅନ୍ୟ ଜୀବଙ୍କ ପରିସଂସ୍ଥାନକୁ ବିଷାକ୍ତ କରିବ । ଏହି ବିବାଦ ମଧ୍ୟପ୍ରଦେଶର ନିଜସ୍ୱ ପୋଷଣ ଆହ୍ୱାନକୁ ଆହୁରି ତୀବ୍ର କରିଛି । ହାଇକୋର୍ଟରେ ଏକ ଜନସ୍ୱାର୍ଥ (ପିଆଇଏଲ୍‌) ମାମଲା ପୋଷଣ ଟ୍ରାକର୍‌ ଓ ସ୍ୱାସ୍ଥ୍ୟ ସର୍ଭେର ତଥ୍ୟକୁ ଦର୍ଶାଇଛି । ଏଥିରେ ଦାବି ହୋଇଛି, ରାଜ୍ୟରେ ୧୦ ଲକ୍ଷରୁ ଅଧିକ ପିଲା କୁପୋଷଣର ଶିକାର । ୧.୩୬ ଲକ୍ଷରୁ ଅଧିକ ପିଲାଙ୍କୁ ଗମ୍ଭୀର କୁପୋଷିତ ଭାବେ ବର୍ଗୀକୃତ କରାଯାଇଛି । ସେତିକି ନୁହେଁ, ରାଜ୍ୟରେ ୫୭ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡ଼ିତ ।