ଭୁବନେଶ୍ୱର,୩୧/୦୧: ଦୀର୍ଘଦିନ ଧରି ରକେଟ ବେଗରେ ବଢ଼ିବା ପରେ  ସୁନା ଏବଂ ରୁପା ଦରରେ ଦେଖାଦେଇଛି ବଡ଼ ପତନ । ଉଚ୍ଚ ଦରରେ ଲାଭ ଉଠାଇ ନେଇଛନ୍ତି ନିବେଶକ । ଏହା ପ୍ରଭାବରେ ଉଭୟ ଧାତୁ ଦର ଖସିଛି । ଶୁକ୍ରବାର (MCX)ରେ  ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୯,୬୫୦ ଟଙ୍କା ଏବଂ ୮,୮୫୦ ଟଙ୍କା ହ୍ରାସ ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୬୯,୨୦୦ ଟଙ୍କା ଏବଂ ୧,୫୫,୧୦୦ ଟଙ୍କାକୁ ଖସିଆସିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୧,୧୦,୯୮୫ ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କା ହୋଇଛି ।

ଆହୁରି ପଢ଼ନ୍ତୁ:- ବଜେଟ୍ ୨୦୨୬: ଫେବୃଆରୀ ୧ ପରେ ମହଙ୍ଗା ହେବ ସ୍ମାର୍ଟଫୋନ୍, କ’ଣ କହୁଛନ୍ତି ବିଶେଷଜ୍ଞ ?

ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୧୧,୭୭୦ ଟଙ୍କା ଏବଂ ୧୦,୮୦୦ ଟଙ୍କା ବୃଦ୍ଧି ଘଟିଥିଲା । ଫଳରେ ଉଭୟ ଯଥାକ୍ରମେ ୧,୭୮,୮୫୦ ଟଙ୍କା ଏବଂ ୧,୬୩,୯୫୦ ଟଙ୍କାରେ ପହଞ୍ଚିଥିଲା । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୫,୦୦୦ ଟଙ୍କା ବଢ଼ି ହୋଇଥିଲା ୪ ଲକ୍ଷ ୨୫ ହଜାର ଟଙ୍କା । କ୍ରମାଗତ ଭାବେ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳୁଛି । ଏହା ବଢ଼ିବାର ୩ଟି ମୁଖ୍ୟ କାରଣ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନ୍‌ଲାଣ୍ଡ ଉପରେ କବଜା  କରିବାର ଜିଦ୍ ଏବଂ ଏହି ପ୍ରସଙ୍ଗରେ ୟୁରୋପୀୟ ଦେଶଗୁଡ଼ିକୁ ଟାରିଫ୍ ଧମକ ବିଶ୍ୱ ବଜାରରେ ଅସ୍ଥିରତା ବୃଦ୍ଧି କରିଛି ।