ହରଭଙ୍ଗା,୨୭/୧ : ହରଭଙ୍ଗା ବ୍ଲକ ରାମଗଡ଼ କ୍ଲଷ୍ଟର ମହିବାହାଲ ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଦିନ ଜାତୀୟ ପତାକା ଉତ୍ତୋଳନକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି l ଜାତୀୟ ପତାକାକୁ ପ୍ରଧାନ ଶିକ୍ଷୟିତ୍ରୀ ଅସମ୍ମାନ କରିବା ଘଟଣା ଜଣାପଡ଼ିବା ପରେ ଆଲୋଚନାର ବିଷୟ ପାଲଟିଛି l

ସୂଚନା ଅନୁସାରେ, ମହିବାହାଲ ପ୍ରାଥମିକ ବିଦ୍ୟାଳୟରେ ଜାନୁୟାରୀ ୨୬ଦିନ ସକାଳୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତି କହଁର ସକାଳ ୮ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଘଣ୍ଟାଏ ପରେ ୯ଟାରେ ସଭାପତିଙ୍କୁ ଡାକି ଖୁଣ୍ଟି ସହ ପତାକା କାଢି ସ୍କୁଲ ଭିତରେ ରଖି ତାଲା ପକାଇ ଘରକୁ ପଳାଇଥିଲେ l ଏ ଘଟଣା ପ୍ରଚାରିତ ହେବା ପରେ ପୁଣି ଦିନ ୨ଟାରେ ଆଉଥରେ ଖୁଣ୍ଟି ପୋତି ପତାକା ଉଡ଼ାଇ ଥିଲେ l ଏହି ଘଟଣା ନେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ କହଁରଙ୍କୁ ପଚାରିବାରୁ ପତାକା ଉତ୍ତୋଳନ ପରେ ଖୋଲି ଦେଇଥିଲୁ ଲୋକେ କହିବା ପରେ ପୁଣି ଅପରାହ୍ନରେ ଆଉ ଥରେ ବାନ୍ଧି ଦେଲୁ ବୋଲି ସ୍ୱୀକାର କରିଥିଲେ l

ଆପଣ ଜଣେ ଦାୟିତ୍ୱସମ୍ପନ୍ନ ଶିକ୍ଷୟିତ୍ରୀ ହୋଇ ଜାତୀୟ ପତାକାକୁ କିପରି ଅସମ୍ମାନ କଲେ ବୋଲି କହିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ କେତେ ଜଗିବୁ ସଭାପତିଙ୍କୁ କହି ଖୋଲି ଦେଲୁ ବୋଲି କହିଥିଲେ l ପରିଚାଳନା କମିଟି ସଭାପତି ଧନୁ ପ୍ରଧାନଙ୍କ ମତାମତ ନେବାରୁ ଉପରବେଳା ଭୋଜି ଖାଇବାକୁ ଅନ୍ୟ ଗାଁକୁ ଯିବାକୁ ଥିବାରୁ ଆମେ ପତାକା ଖୋଲି ଦେଇଥିଲୁ କହିଥିଲେ l ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜାତୀୟ ପତାକା ଅବମାନନା କରିବା ଅକ୍ଷମଣୀୟ ଅପରାଧ ବୋଲି କହିଥିଲେ l ଘଟଣାର ତଦନ୍ତ କରି ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବି ବୋଲି ପ୍ରକାଶ କରିଥିଲେ l