ଶାଳପତ୍ର ଉପରୁ ସମ୍ପୂର୍ଣ୍ଣ ରୟାଲ୍ଟି ଛାଡ଼

ଭୁବନେଶ୍ୱର,୨୧ ।୧(ବ୍ୟୁରୋ): ଶାଳପତ୍ର ଉପରେ ରାଜ୍ୟ ସରକାର ଆଦାୟ କରୁଥିବା ଶାଳପତ୍ର ଉପରୁ ରୟାଲଟିକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୨୫ ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଲାଭବାନ ହେବେ । ଏବେ ଶାଳପତ୍ର ଉପରେ ପ୍ରତି କୁଇଣ୍ଟାଲ ପିଛା ୮୬ ଟଙ୍କା ଲେଖାଏଁ ରୟାଲଟି ଆଦାୟ କରାଯାଉଛି । ବର୍ଷକୁ ପ୍ରାୟ ୨ ଲକ୍ଷ କୁଇଣ୍ଟାଲ ଶାଳପତ୍ର ସଂଗ୍ରହ କରାଯାଉଥିବା ବେଳେ ଏ ରୟାଲଟି ବାବଦ ଅର୍ଥ ଏବେ ସଂଗ୍ରହକାରୀଙ୍କ ପାଖକୁ ଯିବ । ଶାଳପତ୍ର ଏକ ଲଘୁ ବନଜାତ ଦ୍ରବ୍ୟ ହୋଇଥିଲା ବେଳେ ମୁଖ୍ୟତଃ ଜନଜାତି ବର୍ଗର ଲୋକମାନେ ଶାଳପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ପୂର୍ବରୁ ଜନଜାତି ସଂପ୍ରଦାୟର ବିକାଶକୁ ଆଖିରେ ରଖି ବହୁ ପଦକ୍ଷେପ ନେଇଥିଲା ବେଳେ ଶାଳପତ୍ର ଉପରୁ ରୟାଲଟି ଛାଡ଼ କରିବା ଏବେ ଜନଜାତିକୁ ଲାଭ ମଧ୍ୟ ଦେବ । ଜଙ୍ଗଲ ଜମି ଅଧିକାରରେ ୪ ଲକ୍ଷ ୩୩ ହଜାର ଜନଜାତି ପରିବାର ଜଙ୍ଗଲ ଜମି ପଟ୍ଟା ପାଇଥିଲା ବେଳେ ୯ ଜିଲ୍ଲାରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ ହୋଇଛି । ଓଟିଏଲଇପିରେ ଦେଢ଼ ଲକ୍ଷ ଆଦିବାସୀ ପରିବାରକୁ ସାମିଲ୍ କରାଯାଇ ସେମାନଙ୍କୁ ଜୀବିକା ଯୋଗାଇବା ସହ ସଶକ୍ତ କରାଯାଉଛି ।