ମୋଦୀ ସରକାରଙ୍କର ୯ମ ବର୍ଷ, କଂଗ୍ରେସର ୯ଟି ପ୍ରଶ୍ନ; ବିଜେପିର ପ୍ରତ୍ୟାରୋପ

ନୂଆଦିଲ୍ଲୀ,୨୬/୦୫: ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ୯ଟି ପ୍ରଶ୍ନକୁ ନେଇ ବିଜେପିକୁ ଟାର୍ଗେଟ କରିଛି। କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲରୁ କେତେକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୯ ଟି ପ୍ରଶ୍ନ ପଚାରିଛି। ୯ ବର୍ଷ ପୂରଣ ହେବା ପରେ କଂଗ୍ରେସ ବିଜେପିର ଶାସନ ଉପରେ ଅନେକ ପ୍ରଶ୍ନ ଉଠାଇଥିବାବେଳେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୯ ଟି ପ୍ରଶ୍ନ ପଚାରିବାକୁ ଚାହୁଁଛି କଂଗ୍ରେସ। ସେ କହିଛନ୍ତି ଯେ ଆମେ ମଧ୍ୟ ୯ ବର୍ଷ ପୂରଣ ଅବସରରେ ୯ଟି ପ୍ରଶ୍ନ ପଚାରିବାକୁ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି।
କଂଗ୍ରେସ ତାର ଟ୍ବିଟରରେ ଗତ ୯ ବର୍ଷକୁ ବିଜେପି ସରକାରଙ୍କର ବିଫଳତାର ବର୍ଷ ବୋଲି ଦର୍ଶାଇଛି। କଂଗ୍ରେସ କହିଛି ଯେ, ‘ବିଫଳତାର ୯ବର୍ଷ।’ କଂଗ୍ରେସ ପୁଣି କହିଛି ଯେ, ଏହା ଦେଶର ଦୁର୍ଭାଗ୍ୟପୁର୍ଣ୍ଣ ୯ବର୍ଷ ଅଟେ। ଗତ ୯ବର୍ଷରେ ସମ୍ବିଧାନ, ଗଣତନ୍ତ୍ର, କୃଷକ, ଯବାନଙ୍କ ସମେତ ଅନେକ ବର୍ଗର ଏମିତି ଲୋକ ଅଛନ୍ତି, ଯେଉଁମାନଙ୍କୁ ମୋଦୀଙ୍କ କାର୍ଯ୍ୟକଳାପ ଅଛପା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଅନେକ ଦଶନ୍ଧି ପଛରେ ପକାଇ ଦେଇଛନ୍ତି। ଏଗୁଡ଼ିକ ହେଉଛି ୯ ବର୍ଷର ବିଫଳତା।
କଂଗ୍ରେସ ଟୁଇଟ୍ କରି କହିଛି, “ମୋଦୀ ସରକାର ଶାସନଗାଦିରେ ୯ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ପିଏମ ମୋଦୀଙ୍କ ଠାରୁ ଆମେ ୯ ଟି ପ୍ରଶ୍ନର ଉତ୍ତର ଚାହୁଁଛୁ। ପ୍ରଧାନମନ୍ତ୍ରୀ ମୋଦୀ ନୀରବତା ଭାଙ୍ଗନ୍ତୁ ଏବଂ ଉତ୍ତର ଦିଅନ୍ତୁ ବୋଲି ଜୟରାମ ରମେଶ ଟ୍ବିଟରେ ପ୍ରଶ୍ନ କରିଛନ୍ତି। ଗତ ୯ ବର୍ଷ ମଧ୍ୟରେ କୋଟି କୋଟି ଯୁବକଙ୍କ ରୋଜଗାର ଛଡ଼ାଇବାରେ ମୋଦୀ ସରକାର ବିଶ୍ୱ ଅଗ୍ରଣୀ ହୋଇପାରିଛନ୍ତି। କଂଗ୍ରେସ ପଚାରିଛି, ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ କାହିଁକି ବୃଦ୍ଧି ପାଉଛି? ଏହାର ପରବର୍ତ୍ତୀ ପ୍ରଶ୍ନରେ ଦଳ ପଚାରିଛି ଯେ ଗତ ୯ ବର୍ଷ ମଧ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇ ନାହିଁ କାହିଁକି? କାହିଁକି LIC ଏବଂ SBI ରେ ଜନସାଧାରଣ ଜମା କରିଥିବା ଅର୍ଥରାଶିକୁ ବ୍ୟବହାର କରି ଆଦାନୀଙ୍କୁ ଲାଭ କରିବା ପାଇଁ ଲୋକଙ୍କୁ ବିପଦରେ ପକାଇ ଦିଆଯାଇଥିଲା?
9 साल, 9 सवाल
— Congress (@INCIndia) May 26, 2023
आज मोदी सरकार को 9 साल हो गए हैं। ये 9 साल हर क्षेत्र और हर वर्ग की बदहाली के साल हैं।
9 साल पूरे होने पर प्रधानमंत्री जी से हमारे 9 सवाल हैं।#NaakamiKe9Saal pic.twitter.com/MbLjGxbI7q
ଦଳ ଆହୁରି ପ୍ରଶ୍ନ କରିଛି ଯେ ଚୀନ୍କୁ ନାଲି ଆଖି ଦେଖାଇବା ବିଷୟରେ କହିଥିବା ପ୍ରଧାନମନ୍ତ୍ରୀ ୨୦୨୦ ମସିହାରେ ତାକୁ କାହିଁକି କ୍ଳିନ୍ ଚିଟ୍ ଦେଇଥିଲେ? ବର୍ତ୍ତମାନ ମଧ୍ୟ ଚୀନ୍ ଭାରତକୁ ନାଲିଆଖି ଦେଖାଇ ସୀମାରୁ ଜାଗା ଅକ୍ତିଆର କରିବାରେ ଲାଗିଛି। ପରବର୍ତ୍ତୀ ପ୍ରଶ୍ନରେ ପୁଣି କଂଗ୍ରେସ ପଚାରିଛି ଯେ, କାହିଁକି ନିର୍ବାଚନୀ ଲାଭ ପାଇଁ ଜାଣିଶୁଣି ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ସମାଜରେ ଭୟର ବାତାବରଣ ସୃଷ୍ଟି କରାଯାଉଛି?’
ବିଜେପିର ପ୍ରତ୍ୟାରୋପ:
କଂଗ୍ରେସର ଅଭିଯୋଗର ଜବାବରେ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂରଣ ହେବାପରେ କଂଗ୍ରେସ ଦଳ ହୁଏତ ୯ ଟି ପ୍ରଶ୍ନ ପଚାରିଥାଇପାରେ, କିନ୍ତୁ ଏହା ଏକ ବିରାଟ ମିଛ। ଏହା ହେଉଛି କଂଗ୍ରେସର ଲଜ୍ଜାଜନକ କାର୍ଯ୍ୟର ପରାକାଷ୍ଠା। ସେ କହିଛନ୍ତି, “ତୁମେ ସମାଲୋଚନା କରୁଛ କିନ୍ତୁ ସମାଲୋଚନାରେ ଦେଶ ଭିତରେ ଥିବା ସଂକଳ୍ପକୁ ଦୁର୍ବଳ କର ନାହିଁ, ଏହା ଏକ ବଡ଼ ଅପମାନ। ସେହି ଲକ୍ଷ ଲକ୍ଷ ସେବା କର୍ମଚାରୀଙ୍କ ମଧ୍ୟରୁ ଡାକ୍ତର, ନର୍ସ, ସୁଇପର, ଆମ୍ବୁଲାନ୍ସ ଡ୍ରାଇଭର ଯେଉଁମାନେ କୋଭିଡ କାଳରେ ଦେଶକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ନେଇ ରାଜନୀତି କରନାହିଁ।
ବିଜେପି ଆହୁରି ମଧ୍ୟ କହିଛି, ଚୀନ୍ ପ୍ରସଙ୍ଗରେ କଂଗ୍ରେସ ଜାତୀୟ ସୁରକ୍ଷା ଉପରେ ଯେଉଁ ପ୍ରଶ୍ନ ପଚାରୁଛି, ତାହାର ଉତ୍ତର ବନ୍ଧୁମାନେ ଶୁଣନ୍ତୁ। ‘ଭାରତରୁ ଯେଉଁ ଜମି ଯାଇଛି, ତାହା କେବଳ କଂଗ୍ରେସ ସରକାରଙ୍କ ସମୟରେ ଯାଇଛି। ଆଜି ଭାରତ ଗଲଓ୍ବାନ ଏବଂ ଡୋକଲାମରେ ନିଜର ବିଶ୍ୱସନୀୟତା ପ୍ରଦର୍ଶନ କରିଛି। ଏହା ହେଉଛି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ଭାରତ, ଯାହା ୩୦୦ ଚାଇନିଜ୍ ଆପ୍ ବନ୍ଦ କରିଦେଇଛି। ସେହିଭଳି ଉରି ହେଉ ବା ବାଲାକୋଟ, ଘରେ ପ୍ରବେଶ କରି ହତ୍ୟା କରିଛନ୍ତି ଆମ ସେନା।