ନୂଆଦିଲ୍ଲୀ,୦୯/୧୨; ଲୋକସଭାରେ ଏସଆଇଆର ଉପରେ ଲୋକସଭାରେ ମହାବିତର୍କ ହୋଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଚର୍ଚ୍ଚାରେ କମ୍ପୁଛି ଗୃହ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସ୍ଥାନରେ କଂଗ୍ରେସ ସାଂସଦ ମନୀଶ ତିୱାରୀ ବତର୍କ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ପ୍ରଥମ ସଂସ୍କାର ଯାହା ହେବା ଉଚିତ୍ ତାହା ହେଉଛି ନିର୍ବାଚନ କମିଶନର ସଦସ୍ୟଙ୍କ ଚୟନକୁ ନିୟନ୍ତ୍ରଣ କରୁଥିବା ଆଇନରେ ସଂଶୋଧନ । ମୋର ପରାମର୍ଶ ଯେ LoP ଲୋକସଭା ଏବଂ ଭାରତର ମୁଖ୍ୟ ବିଚାରପତିଙ୍କୁ ନିର୍ବାଚନ କମିଶନର କମିଟିରେ ଯୋଡାଯିବା ଉଚିତ୍ ।

ସାଂସଦ ମନୀଶ ତିୱାରୀ ବିତର୍କରେ କହିଛନ୍ତି,'' ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ଏସଆଇଆର ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଦେଶର ନିର୍ବାଚନ କମିଶନ ପାଖରେ SIR କରିବାକୁ କୌଣସି ଆଇନଗତ ଯଥାର୍ଥତା ନାହିଁ । ମୁଁ କହୁନାହିଁ ଯେ, EVMରେ ହେରଫେର ହେଉଛି, କିନ୍ତୁ ଜନସାଧାରଣ ଚିନ୍ତିତ ଯେ EVMରେ ହେରଫେର ହୋଇପାରେ । ଆଜି ପର୍ଯ୍ୟନ୍ତ, ମୁଁ ମୋର ପ୍ରଶ୍ନର ଉତ୍ତର ପାଇନାହିଁ - EVM ପାଇଁ ସୋର୍ସ କୋଡ୍ କାହା ପାଖରେ ଅଛି ? ମୁଁ ସରକାରଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ SIR କରିବା ପାଇଁ କାରଣ ଲିଖିତ ଭାବରେ ସଂସଦରେ ଉପସ୍ଥାପନ କରିବାକୁ ଦାବି କରୁଛି ।  ଲୋକତନ୍ତ୍ର ଏକ ଭରସାରେ ଚାଲେ  ଏହା ଦୁର୍ଭାଗ୍ୟଜନକ ଯେ, ଏଠାରେ ଅନେକ ସଦସ୍ୟଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବାକୁ ପଡୁଛି । "

'ଟଙ୍କା ବାଣ୍ଟି ଜିତୁଛନ୍ତି ନିର୍ବାଚନ'- ଯଦି ଇଭିଏମରେ ସବୁ ଠିକ୍ ଅଛି ତେବେ ଆଗାମୀ ନିର୍ବାଚନ ବାଲାଟ ପେପରରେ କର । ନିର୍ବାଚନ ଆଗରୁ ଟଙ୍କା ବଣ୍ଟା ଯାଉଛି । ନିର୍ବାଚନରେ ଟଙ୍କା ବାଣ୍ଟି ଜିତୁଛନ୍ତି ସରକାର ।ସରକାରୀ ଟଙ୍କାର ଦୂରୁପଯୋଗ ହେଉଛି ।  କିଏ ୨୦ ହଜାର ତ କିଏ ୩୦ ହଜାର ଲୋକଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିଦେଇ ନିର୍ବାଚନ ଜିତିଯାଉଛନ୍ତି । ଦେଶର ଋଣ ବଢି ବଢି ଚାଲିଛି । ଏମିତି ନିର୍ବାଚନ ଜିତିବା, ସରକାର ବନାଇବା କେତେ ଦୂର ଯଥାର୍ଥ ।  ସଂସଦରେ ଏସଆଇଆର ବିତର୍କରେ ମୁଦ୍ଦା ଉଠାଇ କହିଛନ୍ତି କଂଗ୍ରେସ ସାସଂଦ ମନୀଷ ତିୱାରୀ ।

ସେହିପରି କଂଗ୍ରେସକୁ ସମର୍ଥନ କରି ନିର୍ବାଚନ କମିଶନ ପକ୍ଷପାତିତା କରୁଥିବା କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ । ସେ କହିଛନ୍ତି, ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର ଉପରେ ଅନେକ ପ୍ରଶ୍ନ ଉଠାଯାଉଛି, ତେଣୁ ବାଲଟ୍ ପେପର ବ୍ୟବହାର କରି ନିର୍ବାଚନ କରାଯିବା ଉଚିତ ।"

'୧୯୪୭ରୁ ଭୋଟ୍ ଚୋରି ହେଉଛି'- ଲୋକସଭାରେ ଏସ୍ଆଇଆଇର ଚର୍ଚ୍ଚା ଉପରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ କହିଛନ୍ତି, "ଯଦି କଂଗ୍ରେସ 'ଭୋଟ୍ ଚୋରି'କୁ ବୁଝିବାକୁ ଚାହୁଁଛି, ତେବେ ତାଙ୍କୁ ଜାଣିବାକୁ ପଡିବ ଯେ, ପ୍ରଥମ ଥର ପାଇଁ 'ଭୋଟ୍ ଚୋରି'୧୯୪୭ ମସିହାରେ ଘଟିଥିଲା ଯେତେବେଳେ ସମଗ୍ର କଂଗ୍ରେସ କାର୍ଯ୍ୟ କମିଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ଠିଆ ହୋଇଥିଲା, କିନ୍ତୁ ଜବାହରଲାଲ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । ଭୋଟ ଚୋରିର ଏହାଠାରୁ ବଡ଼ ଉଦାହରଣ ଆଉ କିଛି ନାହିଁ। "