PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଛିଣ୍ଡୁନି କଂଗ୍ରେସ ଅଙ୍କ, ହୋଇପାରୁନି ନେତାଙ୍କ ମଧ୍ୟରେ ସହମତି

ଭୁବନେଶ୍ୱର ୧୭/୩: ଲମ୍ବୁଛି କଂଗ୍ରେସ ପ୍ରାର୍ଥୀ ଚୟନ କସରତ୍‌ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସିଟ୍‌ଗୁଡିକରେ ପ୍ରାର୍ଥୀ ଚୟନରେ ସହମତି ପାଇଁ ନେତାଙ୍କୁ ବିଶେଷ କଷ୍ଟ କରିବାକୁ ପଡିନି । ହେଲେ ଉପକୂଳ ଓଡ଼ିଶାର ବହୁ ସିଟ୍‌ ପାଇଁ ଛିଣ୍ଡୁନି ପ୍ରାର୍ଥୀ ଚୟନ ଅଙ୍କ । ଗୋଟିଏ ଗୋଟିଏ ସିଟ୍‌ ପାଇଁ ଅଧିକ ଦାବିଦାର ଥିବାରୁ ନେତାଙ୍କୁ ନାକେଦମ୍‌ ହେବାକୁ ପଡୁଛି । କାହା ପାଇଁ ମହିଳା କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଚାପ ତ କାହା ପାଇଁ ଯୁବକଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଚାପ । ସେପଟେ ହାଇକମାଣ୍ଡ୍‌ ଅଧିକରୁ ଅଧିକ ମହିଳା ପ୍ରାର୍ଥୀ ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ । ଯାହା ଫଳରେ ସ୍କ୍ରିନିଂ କମିଟି ବୈଠକରେ ଲାଗି ରହିଛି ଟଣା ଓଟରା । ଦୁଇ ଦିନ ଧରି ନୂଆଦିଲ୍ଲୀରେ ସ୍କ୍ରିନିଂ କମିଟି ବୈଠକରେ ତର୍ଜମା ପରେ ବି ଉପକୂଳ ଓଡ଼ିଶାର କିଛି ଆସନରେ ହୋଇପାରିନି ସହମତି । ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା ଭଦ୍ରକ ବିଧାନସଭା ଆସନରୁ ଲଢିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ସେହି ସିଟ୍‌ ମିଳିପାରିବନି ବୋଲି ସ୍ପଷ୍ଟ ଭାବେ ରାଜ୍ୟ ନେତୃମଣ୍ଡଳୀ ମନା କରି ଦେଇଛନ୍ତି । ପୁରୀ ଲୋକସଭା କିମ୍ବା ପିପିଲି ବିଧାନସଭା ସିଟ୍‌ରୁ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଇଏ ତ ଗୋଟିଏ ମାତ୍ର ଉଦାହରଣ । ସେହିପରି ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର
ସଦର, ଜଳେଶ୍ୱର, ନୀଳଗିରି ଓ ରେମୁଣା ବିଧାନସଭା ଆସନ ପାଇଁ ଅଧିକ ବିବାଦ ଦେଖା ଦେଇଥିବା ବେଳେ ଭଦ୍ରକ ଜିଲ୍ଲାର ଭଦ୍ରକ ଓ ଚାନ୍ଦବାଲି ବିଧାନସଭା, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ବିଭିନ୍ନ ବିଧାନସଭା ଆସନ ପାଇଁ ହୋଇପାରୁନି ସହମତି । ଗତକାଲି ଭଳି ଆଜି ମଧ୍ୟ ସ୍କ୍ରିନିଂ କମିଟି ବୈଠକ ସକାଳ ୯ଟା ୩୦ରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି. ଏସ୍‌ ସିଂହଦେଓ, ସମ୍ପାଦକ ଅନିଲ୍‌ ଚୌଧୁରୀ, ସେକ୍‌ ମସ୍ତାନ ଭାଲି, ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ସ୍କ୍ରିନିଂ କମିଟିରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ବାହାରିଲେ ଆସନ୍ତାକାଲି କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ଦିଆଯିବ । ସିଇସିରେ ଆଲୋଚନା ପରେ ଆସନ୍ତାକାଲି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଲୋକସଭା ଓ ବିଧାନସଭା ସିଟଗୁଡିକର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ପରବର୍ତ୍ତୀ ସମୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଲୋକସଭା ଓ ବିଧାନସଭା ସିଟ୍‌ଗୁଡିକ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ତେବେ କଂଗ୍ରେସ ବିଜେପି ଓ ବିଜେଡି ପ୍ରାର୍ଥୀ ତାଲିକା ଉପରେ ନଜର ରଖିଛି । ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା ପରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯୋଜନା କରୁଛି । ନଚେତ୍‌ ଟିକେଟ୍‌ ପାଉନଥିବା ଆଶାୟୀମାନେ ଅସନ୍ତୁଷ୍ଟ ହୋଇ ଦଳ ଡେଇଁବାର ଆଶଙ୍କା ଥିବାରୁ ଦଳ ଏଭଳି ରଣନୀତି ଗ୍ରହଣ କରିଥିବା ସୂଚନା ମିଳିଛି । ଅପରପକ୍ଷେ କଂଗ୍ରେସର ଟିକେଟ୍‌ ଆଶାୟୀମାନେ ଦିଲ୍ଲୀରେ ଡେରା ପକାଇଛନ୍ତି । କଳେ ବଳେ କୌଶଳେ ଟିକେଟ୍‌ ହାସଲ କରିବା ପାଇଁ ସମସ୍ତ ଦମ୍‌ ଲଗାଇଥିବା ଆଶାୟୀ ନେତାମାନେ କହିଛନ୍ତି ।