ପଦ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ

ଭୁବନେଶ୍ୱର ୨୨/୫: ଆସନ୍ତାକାଲି ପ୍ରକାଶ ପାଇବ ୨୦୧୯ ନିର୍ବାଚନ ରେଜଲ୍ଟ । ତେବେ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ। ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଦଳର ବିଭିନ୍ନ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।
ଆଜି ପଦ ଛାଡ଼ିବା ସହିତ ଦଳର ରାଜ୍ୟ ନେତୃତ୍ୱଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ଜଗନ୍ନାଥ । ସେ କହିଛନ୍ତି,“ଚଳିତ ନିର୍ବାଚନରେ ରାଜ୍ୟ କଂଗ୍ରେସ ଜାଣିଶୁଣି ଖରାପ ପ୍ରଦର୍ଶନ କରିବାକୁ ଯାଉଛି। ରାଜ୍ୟ ନେତୃତ୍ୱ ପ୍ରଚାରରେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ରଣନୀତି ଆପଣାଇଥିଲା।”
ସେ ଆହୁରି କହିଛନ୍ତି ଯେ,“କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ଯେପରି ଆଗକୁ ବଢ଼ିଥାନ୍ତା, ରାଜ୍ୟରେ ତାହା କରାଇ ଦିଆଗଲା ନାହିଁ। ସାଙ୍ଗଠନିକ ସ୍ଥିତି, ନିର୍ବାଚନ ପ୍ରସ୍ତୁତି ଓ ଟିକେଟ ବଣ୍ଟନ ପ୍ରକ୍ରିୟାରେ ସମନ୍ୱୟର ଘୋର ଅଭାବ ଦେଖିବାକୁ ମିଳିଥିଲା। ତେଣୁ ଦଳର ପ୍ରଦର୍ଶନ ଭଲ ହେବ ନାହିଁ।”
ଅଧିକ ପଢନ୍ତୁ ରେଜଲ୍ଟ ପୂର୍ବରୁ କଂଗ୍ରେସରେ କଳି: ପଦ ଛାଡିଲେ ଜଗନ୍ନାଥ, ଶରତ କହିଲେ ନିରଞ୍ଜନ ଦାୟୀ