ସଫେଇ କର୍ମଚାରୀଙ୍କ ପାଦ ନଧୋଇ, ମୋଦି ତାଙ୍କୁ କିଛି ବସ୍ତ୍ର ଦେଇଥିଲେ ଭଲ ହୋଇଥାନ୍ତା: ରାଜ ବବର

ନୂଆଦିଲ୍ଲୀ,୨୫।୨: ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫେଇ କର୍ମଚାରୀଙ୍କ ପାଦ ଧୋଇବା ପ୍ରସଙ୍ଗ ନେଇ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଦ ଧୁଆଗଲା। ଏହା ପୁରୁଣା ପରମ୍ପରା। ଯେପରିକି କନ୍ୟା ପୂଜନ ହୋଇଥାଏ। ଏବେ ନୂଆ-ନୂଆ ପୂଜା ବାହାର କରାଯାଉଛି। ଏହା ଆରଏସ୍ଏସର ହିନ୍ଦୁତ୍ବ। ସୋସିଆଲ ମିଡିଆରେ ତାଙ୍କୁ ନେଇ କଟାକ୍ଷ କରାଯାଉଛି। ଏହାଠାରୁ ଭଲ ଥିଲା ପ୍ରଧାନମନ୍ତ୍ରୀ ସେହି ସଫେଇ କର୍ମଚାରୀଙ୍କୁ ପିନ୍ଧିବାକୁ କିଛି ବସ୍ତ୍ର ଦେଇଥାନ୍ତେ।
ଏଠାରେ ଉଲ୍ଳେଖନୀୟ ଯେ ପ୍ରୟାଗରାଜରେ ଚାଲୁଥିବା ଅର୍ଦ୍ଧକୁମ୍ଭମେଳାରେ ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂଜାର୍ଚନା କରିବା ସହ ସଙ୍ଗମରେ ବୁଡ ପକାଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଦ୍ଧକୁମ୍ଭ ଆୟୋଜନରେ ଭଲ କାମ କରିଥିବା କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରଶଂସା କରିଥିଲେ ଓ ବହୁ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ୪ ଜଣ ସଫେଇ କର୍ମଚାରୀଙ୍କ ପାଦ ଧୋଇ ତାଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଯେଉଁ ସଫେଇ କର୍ମଚାରୀ ଭାଇ –ଭଉଣୀଙ୍କ ପାଦ ଛୁଇଁ ମୁଁ ବନ୍ଦନା କଲି ସେହି ସମୟ ମୋ ଜୀବନସାରା ରହିବ। ତାଙ୍କର ଆର୍ଶିବାଦ ଓ ସ୍ନେହ ମୋ ଉପରେ ଏଭଳି ରହୁ।