କଂଗ୍ରେସ ନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ମୋଦି ଆତଙ୍କବାଦୀଙ୍କ ଭଳି ଦେଖାଯାଉଛନ୍ତି

ନୂଆଦିଲ୍ଲୀ,୧୦।୩: ତେଲେଙ୍ଗାନାର କଂଗ୍ରେସ ନେତ୍ରୀ ଓ ପୂର୍ବତନ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ କହିଛନ୍ତି ମୋଦି ଆତଙ୍କବାଦୀଙ୍କ ଭଳି ଦେଖାଯାଉଛନ୍ତି। କେଉଁ ମୁହୂର୍ତ୍ତରେ ମୋଦି କେଉଁ ବୋମା ପକାଇବେ, ତାକୁ ନେଇ ସମସ୍ତେ ଭୟଭୀତ। ଲୋକଙ୍କୁ ଭଲ ପାଇବା ପରିବର୍ତ୍ତେ ସେ ସେମାନଙ୍କୁ ଭୟଭୀତ କରାଉଛନ୍ତି। ତାଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବ ଉଚିତ ନୁହେଁ।
ମୋଦିଙ୍କ ଉଦ୍ଦେଶ୍ୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ତେଲେଙ୍ଗାନାର ଏହି କଂଗ୍ରେସ ନେତ୍ରୀ ଜଣକ ହେଉଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ପାଲଟି ଥିବା ବିଜୟାଶାନ୍ତି। ଗତକାଲି ତେଲେଙ୍ଗାନାର ଶାମ୍ଶାବାଦ୍ରେ ଆୟୋଜିତ ଏକ ଦଳୀୟ ରାଲିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ ଏହି କଥା କହିଥିଲେ। ନିକଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦିଙ୍କ ନୋଟବନ୍ଦୀ, ଜିଏସଟି ଲାଗୁ ଓ ବ୍ୟାଙ୍କରେ ରଖିଥିବା କଳାଧନ ପ୍ରସଙ୍ଗ ନେଇ ସେ ମୋଦିଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ।
କେବଳ ସେତିକି ନୁହେଁ ଏହି ନେତ୍ରୀଜଣକ କହିଥିଲେ, ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲଢ଼େଇ ହେବ। କଂଗ୍ରେସ ମୁଖ୍ୟ ଦେଶର ଗଣତନ୍ତ୍ରର ସୁରକ୍ଷା ଲାଗି ଲଢ଼େଇ କରୁଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଜଣେ ଏକଛତ୍ରବାଦୀ ଶାସକ ଭଳି ଦେଶକୁ ଶାସନ କରୁଛନ୍ତି। ତାଙ୍କ ଶାସନକାଳରେ ଦେଶର ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଓ ଲୋକଙ୍କୁ ହଇରାଣ କରାଯାଉଛି। ସେ ଆଗାମୀ ୫ ବର୍ଷ ବି ଏଭଳି ଢଙ୍ଗରେ ଶାସନ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଲୋକେ ତାଙ୍କୁ ସେହି ସୁଯୋଗ ଦେବେ ନାହିଁ।’
Now Congress is truly raising concerns & worries of terrorists in Pakistan.
— BJP (@BJP4India) March 9, 2019
Welcome to New India.
Yeh Dar Acha Hai. https://t.co/5QJpdCv2t4
ପ୍ରଧାନମନ୍ତ୍ରୀଙ୍କୁ ଆତଙ୍କବାଦୀଙ୍କ ସହିତ ତୁଳନା କରିଥିବା ଯୋଗୁ ସୋସିଆଲ ମିଡିଆରେ ବିଜୟାଶାନ୍ତିଙ୍କୁ କଡା ସମାଲୋଚନା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି, ସେ ନେଇ କଂଗ୍ରେସ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କି ନାହିଁ ତାହା ଭବିଷ୍ୟତରେ ଜଣାପଡିବ। ତେବେ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପ୍ରଧାନମନ୍ତ୍ରୀଙ୍କୁ ‘ନୀଚ’ ବୋଲି କହିଥିଲେ। ଏହା ପରେ ତାଙ୍କୁ ୮ ମାସ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା। ବିଜୟାଶାନ୍ତିଙ୍କୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ଦଳ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଏବେ କଂଗ୍ରେସ ପାକିସ୍ତାନରେ ଥିବା ଆତଙ୍କବାଦୀମାନଙ୍କ ପାଇଁ ଚିନ୍ତିତ ଥିବା ଭଳି ଲାଗୁଛି।