କଂଗ୍ରେସର କାହିଁକି ହେଲା ବିପର୍ଯ୍ୟୟ ?କାରଣ ଖୋଜିବାକୁ ୩୦ରେ ହେବ ସମୀକ୍ଷା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜ୍ୟରେ କଂଗ୍ରେସର କାହିଁକି ହେଲା ବିପର୍ଯ୍ୟୟ । ଏହାର କାରଣ ଖୋଜିବାକୁ ଆସନ୍ତା ୩୦ ତାରିଖରେ ହେବ ସମୀକ୍ଷା ବୈଠକ । ବୈଠକରେ ଯୋଗଦେବେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଟି. ଏସ୍ ସିଂହଦେଓ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । କଂଗ୍ରେସକୁ କିଭଳି ବିପର୍ଯ୍ୟୟରୁ ବାହାର କରାଯାଇପାରିବ, ସେ ବାବଦରେ ବୈଠକରେ ବାଟ ବାହାର କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ସୂଚନା ଦେଇଛନ୍ତି । ଅପରପକ୍ଷେ ୩୦ରେ କଂଗ୍ରେସର ବିଧାୟକ ଦଳର ନେତା ବଛାଯିବା ପାଇଁ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ।
ନିରଞ୍ଜନ ତାଙ୍କ ପୁଅ ନବଜ୍ୟୋତି ପ୍ରାର୍ଥୀ ହେବା ବାବଦରେ କହିଛନ୍ତି, ମୋ ପୁଅ ଛିଡ଼ା ହୋଇଥିବା ନିର୍ବାଚନମଣ୍ଡଳୀକୁ ପ୍ରଚାର କରିବା ପାଇଁ ମୁଁ ଯାଇନି । ଜିଲ୍ଲା କଂଗ୍ରେସ ଓ ଏଆଇସିସିର ନିଷ୍ପତ୍ତି ଅନୁସାରେ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । କେବଳ ମୋ ମତରେ ତାଙ୍କୁ ପ୍ରାର୍ଥୀ କରାଯାଇନି ।
ଗତ ନିର୍ବାଚନରେ କଂଗ୍ରେସ ହାରିବା ନେଇ ନିରଞ୍ଜନ କହିଛନ୍ତି, ସାରା ଦେଶରେ ଲୋକେ ଆମକୁ ଚାହିଁଲେ ନାହିଁ । ସମଗ୍ର ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱା ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ହାୱା ରହିଲା । ଆମେ ସେହି ହାୱାକୁ ପ୍ରତିହତ କରିପାରିଲୁ ନାହିଁ । ଆମେ ଆମ ଦୁର୍ବଳତାକୁ ସ୍ୱୀକାର କରୁଛୁ । ବର୍ତ୍ତମାନ ସମୟରେ ଆମ ଦେଶରେ ନୀତି, ଆଦର୍ଶ ଓ ବିଚାରଧାରାର ରାଜନୀତି ଚାଲିନାହିଁ । ଏଠି କେବଳ ବ୍ୟବସାୟୀକରଣ ରାଜନୀତି ଚାଲିଛି । ସେଥିପାଇଁ ଆଜି ଯିଏ କଂଗ୍ରେସରୁ ଟିକେଟ୍ ନେଉଛି, କାଲି ସେ ବିଜେଡି କିମ୍ବା ବିଜେପିରୁ ଟିକେଟ୍ ନେଉଛି । ଯୁବପିଢ଼ି ନୀତି, ଆଦର୍ଶ ଓ ବିଚାରଧାରାରେ ବିଶ୍ୱାସ ରଖି ରାଜନୀତିକୁ ଆସିଲେ, ଦେଶର ପ୍ରଗତି ହେବା ସହ ଲୋକଙ୍କ ମଙ୍ଗଳ ହୋଇପାରିବ ।