ଭୁବନେଶ୍ୱର,୨୭/୦୩: ଆଜି ବିଧାନସଭା ଘେରିବ କଂଗ୍ରେସ । ଏଥିପାଇଁ କମିଶନରେଟ୍‌ ପୁଲିସ୍‌ର ଚିନ୍ତା ବଢ଼ିଯାଇଛି । କେମିତି ସେମାନଙ୍କୁ ରୋକିବ ତାକୁ  ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଆନ୍ଦୋଳନକାରୀଙ୍କୁ  ରୋକିବାକୁ ପୁଲିସ୍‌ ୮୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି  । ଏଥିସହ ଲୁହବୁହା ଗ୍ୟାସ୍‌, ପାଣି ମାଡ଼ କରିବା  ପାଇଁ ଅଗ୍ନିଶମର ୨ଟି ଗାଡ଼ି ମଧ୍ୟ ପିଏମ୍‌ଜି ଛକରେ ରହିଛି । ବିଭିନ୍ନ ଜିଲ୍ଳାରୁ ଶହ ଶହ କଂଗ୍ରେସ କର୍ମୀ ବିଧାନସଭା  ଘେରିବାକୁ ଆସିବେ ବୋଲି ଗୁଇନ୍ଦା ବିଭାଗ ପାଖରେ ଖବର  ରହିଛି । ସେମାନଙ୍କୁ କେମିତି ଜିଲ୍ଳା ସ୍ତରରେ ଅଟକାଇ  ହେବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । 

ବୁଧବାର  ବିଳମ୍ବିତ ରାତିରେ ଭୁବନେଶ୍ୱର ବିଭିନ୍ନ ପ୍ରବେଶ ପଥରେ ପୁଲିସ୍‌ ବ୍ଲକିଂ ଚେକିଂ କରି ଆନ୍ଦୋଳନକାରୀଙ୍କୁ ଅଟକ ରଖୁଛି । ତା’ଛଡା କମିଶନରେଟ୍‌ ପୁଲିସର ପୁରୁଣା ଓ ଦକ୍ଷ ଅଫିସର ଯେଉଁମାନେ ୨୦୧୯ ନିର୍ବାଚନ ସମୟରେ ବାହାରକୁ ଯାଇଥିଲେ, ସେମାନଙ୍କୁ ସବୁ ଭୁବନେଶ୍ୱର ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସେହି ପୁରୁଣା ଅଫିସରମାନେ ପିଏମ୍‌ଜିରେ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବେ । ଆନ୍ଦୋଳନ ସମୟରେ କାଳେ କିଛି ଅଘଟଣ ଘଟିବ, ସେଥିପାଇଁ ପୁଲିସ୍‌ ସବୁ ପ୍ରକାର ପ୍ରସ୍ତୁତି କରିଛି । ପୂର୍ବ ଠାରୁ ଅଧିକ ସିସି କ୍ୟାମେରା ଲଗାଇଛି । କିଛି ଗଳି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଛି । କମ୍‌ ସଂଖ୍ୟକ ଆନ୍ଦୋଳନକାରୀ ଆସିବା  ଦିଗରେ ଅଧିକ ଫୋକସ୍‌ ଦେଇଛି ।


ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର: ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ