ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ପୁଣି ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗୁରୁବାର ନାଳନ୍ଦାରେ ଏକ ସାଧାରଣ ରାଲିକୁ ସମ୍ବୋଧିତ କରିବା ସମୟରେ,ଅପରେସନ ସିନ୍ଦୂର ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ବିଷୟରେ ସେ କହିଛନ୍ତି । ଟ୍ରମ୍ପ ପଚାଶ ଥର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି ବୋଲି ସେ କହିଛନ୍ତି।

ରାହୁଲ କହିଛନ୍ତି କି,"ଟ୍ରମ୍ପ ପଚାଶ ଥର କହିଛନ୍ତି ଯେ, ମୁଁ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କଲ୍ କରିଥିଲି, ଏବଂ ମୋଦି ମୁଣ୍ଡ ନୁଆଁଇ ଅପରେସନ ସିନ୍ଦୂର ବନ୍ଦ କରିଥିଲେ। ସେ କହିଥିଲେ ଯେ ସାତଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଏହା କହିବାର ସାହସ ନାହିଁ ଯେ ଟ୍ରମ୍ପ ମିଛ କହୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭୟରେ ଆମେରିକା ଯାଇ ନଥିଲେ ଆଉ ଏବେ ଏଠାରେ ଭୋଟ ଚୋରି କରୁଛନ୍ତି।"

ରାହୁଲ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସା କରି କହିଛନ୍ତି କି, "ଇନ୍ଦିରା ଗାନ୍ଧୀ ଜଣେ ମହିଳା ଥିଲେ, କିନ୍ତୁ ତାଙ୍କର ଏହି ବ୍ୟକ୍ତି (ପିଏମ ମୋଦି)ଙ୍କ ଅପେକ୍ଷା ଅଧିକ ସାହସ ଥିଲା। ମୋଦୀ ଜଣେ ଭୟାଳୁ,ଏବଂ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରୁଛି, ଯଦି ତାଙ୍କର ସାହସ ଅଛି, ତେବେ ବିହାରର ଏକ ରାଲିରେ କହିବେ କି ଆମେରିକା ରାଷ୍ଟ୍ରପତି ମିଛ କହୁଛନ୍ତି।"

ସେ କହିଛନ୍ତି କି, "ଏଭଳି ଏକ ସମୟ ଥିଲା ଯେତେବେଳେ, ନାଳନ୍ଦା ବିଶ୍ୱବିଦ୍ୟାଳୟ ସାରା ବିଶ୍ୱରେ ପ୍ରସିଦ୍ଧ ଥିଲା। ଜାପାନ, କୋରିଆ ଏବଂ ଇଂଲଣ୍ଡ ସମେତ ବିଭିନ୍ନ ଦେଶର ଲୋକମାନେ ସେଠାରେ ପଢ଼ିବା ପାଇଁ ଆସୁଥିଲେ। ନାଳନ୍ଦା ବିଶ୍ୱର ଶିକ୍ଷା କେନ୍ଦ୍ର ଥିଲା, କିନ୍ତୁ ଆଜି ଯଦି ଆପଣ ବିହାରର ସ୍କୁଲ କିମ୍ବା କଲେଜ ବିଷୟରେ ପଚାରନ୍ତି, ତେବେ ଲୋକମାନେ ଆପଣଙ୍କୁ କହିବେ ଯେ ବିହାରରେ କେବଳ ପେପର ପତ୍ର ଲିକ୍ ହୁଏ।"

ବିରୋଧୀ ନେତା ଆହୁରି କହିଥିଲେ,"ମୁଁ ଯେଉଁଠାକୁ ଯାଏ, ମୁଁ ବିହାରର ଲୋକଙ୍କୁ ଦେଖେ। ଆପଣ ନିଜ ରକ୍ତ ଏବଂ ଝାଳ ଦେଇ ଦୁବାଇ ଭଳି ସ୍ଥାନ ନିର୍ମାଣ କରିଛନ୍ତି। ଆପଣଙ୍କ ପାଇଁ ମୋର ପ୍ରଶ୍ନ ହେଉଛି, ଯଦି ଆପଣ ଦୁବାଇ ଏବଂ ବେଙ୍ଗାଲୁରୁ ଭଳି ସହର ନିର୍ମାଣ କରିପାରିବେ, ତେବେ ଆପଣ ବିହାରରେ ଏହି ଚମତ୍କାର କାହିଁକି କରିପାରିବେ ନାହିଁ? ବିହାରରେ କ'ଣ ଅଭାବ ଅଛି ଯେ ବିହାରର ଲୋକଙ୍କ ଶକ୍ତି ବିହାର ନିର୍ମାଣରେ ବ୍ୟବହୃତ ହେଉନାହିଁ?"