ପୁରୀ,୨୨/୦୭: ଟାହିଆ ସେବାର ସୃଷ୍ଟି ସମ୍ପର୍କରେ ବେଶ୍‌ ସୁନ୍ଦର ଉପାଖ୍ୟାନ ଶୁଣିବାକୁ ମିଳେ । ଗଜପତି ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ ସମୟ । ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଚାପ ଚାଲିଥାଏ । ହଠାତ୍‌ ପ୍ରବଳ ଝଡ଼ ତୋଫାନ ହୋଇଥିଲା । ଝଡ଼ତୋଫାନରେ ଚାପଡଙ୍ଗା ବୁଡ଼ିଯାଇଥିଲା । ଫଳରେ ପ୍ରଭୁଙ୍କର ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ ଜଳଶାୟୀ ହୋଇଯାଇଥିଲେ । ସଙ୍କଟର କଥା ହେଲା ଶ୍ରୀମଦନମୋହନ ଶ୍ରୀମନ୍ଦିର ନ ଫେରିଲେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ହୋଇପାରିବ ନାହିଁ । ଏହିପରି ଏକ ଘଡ଼ିସନ୍ଧି ସମୟରେ, ଭକ୍ତ ରଘୁ ଅରକ୍ଷିତଙ୍କ ରାଘବ ଦାସ ମଠରେ ପୂଜିତ ହେଉଥିବା ଚଳନ୍ତି ପ୍ରତିମା ଶ୍ରୀମଦନମୋହନଙ୍କ ମୂଳ ବିଗ୍ରହ ଅନୁରୂପ ବିଗ୍ରହଙ୍କୁ ମଠାଧୀଶ ପ୍ରଦାନ କରିଥିଲେ । ଏହାର ପ୍ରତି ବଦଳରେ ଯେଉଁ କେତୋଟି ଅଙ୍ଗଲାଗି ସେବା ପୁରୁଷୋତ୍ତମ ଦେବ ତାଙ୍କୁ ପ୍ରଦାନ କରିଥିଲେ ତନ୍ମଧ୍ୟରେ ଟାହିଆ ସେବା ଥିଲା ଅନ୍ୟତମ ।

ସେହିପରି ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ରାଘବ ଦାସ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ତଥା ଜଣେ ପ୍ରସିଦ୍ଧ ସାଧକ ଥିଲେ । ସେ ସମୁଦ୍ରକୂଳରେ ନିଜର ସାଧନା କରୁଥିଲେ । ସେଥିନିମିତ୍ତ ସେଠାରେ ତାଳତାଟିରେ ଏକ ଛୋଟିଆ ଘର ନିର୍ମାଣ କରିଥିଲେ । ଝଡ଼ ବର୍ଷାରେ ସେ ଘରଟି ଭାଙ୍ଗି ପଡ଼ୁଥିଲା । ଶ୍ରୀଜଗନ୍ନାଥଙ୍କର କେହି ଜଣେ ସେବକ ସେ ସାଧକଙ୍କର କୁଡ଼ିଆ ଘର ଠାରେ ମହାପ୍ରଭୁଙ୍କର ଏକ ପ୍ରସାଦି ପୁଷ୍ପ ଅଳଙ୍କାର ଟାଙ୍ଗି ଦେବାରୁ ଝଡ଼ବର୍ଷା ହେଲେ ବି ଘରଟି ଭାଙ୍ଗି ନଥିଲା । ଏଥିରେ ପ୍ରୀତ ହୋଇ ତାନ୍ତ୍ରିକ ରାଘବ ଦାସ ପ୍ରତିବର୍ଷ ଟାହିଆ ଦେଇ ଶ୍ରୀବିଗ୍ରହମାନଙ୍କର ଆଶୀର୍ବାଦ ଲାଭ କରିଥିଲେ । ସେହିଦିନଠାରୁ ପ୍ରତିବର୍ଷ ରାଘବଦାସ ମଠ ଏହି ପରମ୍ପରା ରକ୍ଷା କରିଆସୁଅଛି । ‘ଟାହିଆ’ ସେବାର ସୃଷ୍ଟି ସମ୍ପର୍କରେ ଶ୍ରୀଜଗନ୍ନାଥ ଚେତନାର ଗବେଷକ ଡ. ଭାସ୍କର ମିଶ୍ରଙ୍କର ମତାନୁଯାୟୀ, ଆଜକୁ ଦୀର୍ଘ ତିନି ଶହ ବର୍ଷ ଧରି ଶ୍ରୀରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ରାଘବ ଦାସ ମଠ ନିରବଚ୍ଛିନ୍ନ ଭାବରେ ଏହି ଟାହିଆ ଅଦ୍ୟାବଧି ଯୋଗାଇ ଆସୁଅଛନ୍ତି । ‘ନୀଳାଦ୍ରି ମହୋଦୟ’ ‘ବାମଦେବ ସଂହିତା’ ରଚନା ସମୟ ବେଳକୁ ରାଘବଦାସ ମଠ ପକ୍ଷରୁ ଟାହିଆ ଯୋଗାଣ ସେବା ନଥିଲା । କାରଣ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ବିଧିରେ ଅନ୍ୟାନ୍ୟ ନୀତିମାନ ଉଲ୍ଲେଖ ଥିବା ବେଳେ ଠାକୁରମାନଙ୍କୁ “ଟାହିଆ’ ଲାଗି ହେଉଥିବାର ବର୍ଣ୍ଣନା ନାହିଁ । ତେଣୁ ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ଏହି “ଟାହିଆ ସେବା’ର ସୃଷ୍ଟି ହୋଇଥିଲା ବୋଲି ଡ. ମିଶ୍ର କହିଛନ୍ତି ।

ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ ଅଲଗା ଟାହିଆ:

ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ଘରର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରମାନଙ୍କରେ ମାପ ଅଲଗା ହୋଇଥିବାରୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ସେବାରେ ଲାଗିବା ପାଇଁ ପୃଥକ ଟାହିଆ ପ୍ରସ୍ତୁତ ହୁଏ । ଶ୍ରୀମନ୍ଦିର ପାଇଁ ସାଢ଼େ ୪ ହାତ ଲମ୍ବ ଓ ୬ ହାତ ଚଉଡ଼ାର ଟାହିଆ ପ୍ରସ୍ତୁତ କରାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପାଇଁ ସାଢ଼େ ୩ ହାତ ଲମ୍ବ ଓ ୬ ହାତ ଚଉଡ଼ାର ଟାହିଆ ପ୍ରସ୍ତୁତ କରାଯାଏ । ଶ୍ରୀମନ୍ଦିରରେ ବିଗ୍ରହମାନେ ସାତପାହାଚକୁ ଓ ଶ୍ରୀଗୁଣ୍ଡିଚା ଘରେ ପାଟ ଅଗଣାକୁ ଆସିଲା ପରେ ଟାହିଆ ଲାଗି କରାଯାଏ । ଶ୍ରୀଗୁଣ୍ଡିଚା ଦିନ ଠାକୁରମାନଙ୍କର ପହଣ୍ଡି ବିଜେ ପୂର୍ବରୁ ମଠର ସେବକ ଏହି ଟାହିଆକୁ ଦକ୍ଷିଣଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରାନ୍ତି । ଏହା ଲକ୍ଷ୍ମୀମନ୍ଦିରର ଜଗମୋହନରେ ରହିଥାଏ । ଶ୍ରୀବିଗ୍ରହମାନେ ପହଣ୍ଡି ବିଜେରେ ଶ୍ରୀମନ୍ଦିର ସାତପାହାଚଠାରେ ପହଞ୍ଚିବା ପରେ ଟାହିଆ ଆସିଥାଏ । ମଠ ତରଫରୁ ଆସୁଥିବା ସେବକ ସେହିଠାରେ ଟାହିଆକୁ ପାଳିଆ ଖୁଣ୍ଟିଆ ସେବକଙ୍କ ହସ୍ତକୁ ବଢ଼ାଇଥାନ୍ତି । ସେଠାରେ “ଟାହିଆ’କୁ ସଂସ୍କାର ପୂର୍ବକ ପାଳିଆ ଖୁଣ୍ଟିଆ ଦଇତାପତିମାନଙ୍କୁ ପ୍ରଦାନ କରିବା ପରେ ସେମାନେ ଶ୍ରୀବିଗ୍ରହମାନଙ୍କର ଶ୍ରୀମସ୍ତକରେ ଟାହିଆ ବାନ୍ଧିଥାନ୍ତି ।

ବଡ଼ ଟାହିଆ, ସାନ ଟାହିଆ:

ରାଘବଦାସ ମଠ ପକ୍ଷରୁ ଶ୍ରୀଗୁଣ୍ଡିଚା ଯାତ୍ରା, ଆଡ଼ପ ବିଜେ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ତିଥିମାନଙ୍କରେ ରାଘବ ଦାସ ମଠ ପକ୍ଷରୁ ୮ଟି ଟାହିଆ ଓ ୮ଟି ଚୂଳ ବିଜେ ନୀତି ପାଇଁ ଆସିଥାଏ । ‘ଟାହିଆ’ ହେଉଛି ପହଣ୍ଡି ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କ ମସ୍ତକରେ ମଣ୍ଡିତ କରାଯାଇଥିବା ଏକ ବିଶାଳକାୟ କିରୀଟ । ବାଉଁଶ ପାତିଆ, ବେତ, ପଇତା, ଜରି, କଦଳୀପଟୁକା, କଇଁଥ ଅଠା, ସୋଲ, ବିଭିନ୍ନ ସୁବାସିତ ପୁଷ୍ପ ଯଥା ରଙ୍ଗଣି, ପଦ୍ମ, ମଲ୍ଲୀ, ଚମ୍ପା, ମାଳତୀ, ମରୁଆ, ତୁଳସୀ, ଦୁବ, ରଙ୍ଗୀନ କନା ଇତ୍ୟାଦି ସାମଗ୍ରୀରେ ଏକ ସ୍ୱତନ୍ତ୍ର ଶୈଳୀରେ ଏହି ଟାହିଆ ପ୍ରସ୍ତୁତ ହୁଏ । ବଡ଼ ଟାହିଆଗୁଡ଼ିକ ୩୭ କାଠି ଓ ଛୋଟ ଟାହିଆଗୁଡ଼ିକ ୨୫ କାଠି ବିଶିଷ୍ଟ ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ନିମନ୍ତେ ୨ଟି ବଡ଼ ଟାହିଆ ଲାଗି ହୋଇଥାଏ ।

ସେହିପରି ବାହୁଡ଼ାଯାତ୍ରାରେ ଏହି ଦୁଇ ଦାରୁ ବିଗ୍ରହଙ୍କ ନିମନ୍ତେ ୨ଟି ସାନ ଟାହିଆ ଲାଗି ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ନିମନ୍ତେ ୨ଟି ବଡ଼ ଚୂଳ ହୋଇଥାଏ । ଯେତେବେଳେ କି ବାହୁଡ଼ାରେ ସାନ ଚୂଳ ପ୍ରସ୍ତୁତ କରି ଯୋଗାଇ ଦିଆଯାଇଥାଏ । ଏତଦ୍‌ବ୍ୟତୀତ ଦେବୀ ସୁଭଦ୍ରାଙ୍କ ନିମନ୍ତେ ତିକାନିଆ ଚୂଳ ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀସୁଦର୍ଶନଙ୍କ ପାଇଁ ସାଧାଚୂଳ ପ୍ରସ୍ତୁତ ହୋଇଥାଏ । ଏହି ଟାହିଆ ପ୍ରସ୍ତୁତି ନିମନ୍ତେ ଶିଳ୍ପୀମାନଙ୍କୁ ପ୍ରାୟ ଅଢ଼େଇ ମାସ ଲାଗିଥାଏ । ଏହି କାର୍ଯ୍ୟରେ ନିୟୋଜିତ ସୋଲ କାରିଗର, ଦରଜି ସେବକ, ଚିତ୍ରକାର ଓ ରଣା (ମାଳି) ସେବକଙ୍କୁ ରାଘବଦାସ ମଠ ପକ୍ଷରୁ ପାରିଶ୍ରମିକ ଦିଆଯାଇଥାଏ । ଏହି ଟାହିଆ ପ୍ରସ୍ତୁତକାରୀମାନେ ହେଲେ ୨ ଜଣ ପାରମ୍ପରିକ ଶିଳ୍ପୀ ଓ ଜଣେ ଚିତ୍ରକର ।

ଅଧିକ ପଢ଼ନ୍ତୁ-Bahuda Yatra: ଶ୍ରୀମନ୍ଦିର ଫେରିବେ ଚତୁର୍ଦ୍ଧାମୂର୍ତ୍ତି, ବାହୁଡ଼ା ଯାତ୍ରା ପାଇଁ ସରକାରୀ ଛୁଟି ନ ଥିବାରୁ ଜଗନ୍ନାଥପ୍ରେମୀଙ୍କ କ୍ଷୋଭ​​​​​​​