ଭୁବନେଶ୍ୱର, ୨୨।୭: ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ଏବଂ AI ସେବା ପାଇଁ ଆର୍ଥିକ ମଞ୍ଜୁରି ଲୋଡ଼ିଲା ବିଭାଗ । ଓଡ଼ିଶା ସରକାରଙ୍କ ବିଭିନ୍ନ ଅଫିସରେ AIର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଉଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପ୍ରକଳ୍ପ ପରିଚାଳନା, ଅନଲାଇନ୍ ସମୀକ୍ଷା ଏବଂ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଦ୍ରୁତ, ଆଧୁନିକ ଓ ତଥ୍ୟଭିତ୍ତିକ କରିବା ପାଇଁ ChatGPT Plus, Google AI Pro ଏବଂ Google One ଭଳି ପ୍ରିମିୟମ୍ ଡିଜିଟାଲ ସେବା କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏନେଇ ଇଞ୍ଜିନିୟର-ଇନ୍-ଚିଫ୍ କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିକଟକୁ ପତ୍ର ଲେଖି ଆବଶ୍ୟକ ପ୍ରଶାସନିକ ଅନୁମୋଦନ ଓ ଆର୍ଥିକ ମଞ୍ଜୁରି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

ଏହା ବି ପଢ଼ନ୍ତୁ... OSSC ପରିଚାଳିତ ସିଜିଏଲ୍ ମୁଖ୍ୟ ଲିଖିତ ପରୀକ୍ଷାରେ ତ୍ରୁଟି; ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ

ଉଚ୍ଚମାନର ସଡ଼କ ଆଲାଇଜମେଣ୍ଟ ମାନଚିତ୍ର, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR), ନିର୍ମାଣ କାର୍ଯ୍ୟର ଫଟୋ, ଜିଓ-ଟ୍ୟାଗ୍ ରେକର୍ଡ ଓ ଆର୍ଥିକ ତଥ୍ୟର ପରିମାଣ ଦିନକୁ ଦିନ ବଢ଼ୁଥିବାରୁ ବର୍ତ୍ତମାନର ମାଗଣା ଡିଜିଟାଲ ସୁବିଧା ଆଉ ପର୍ଯ୍ୟାପ୍ତ ହେଉନାହିଁ । ଏହି ପରିସ୍ଥିତିରେ ବିଭାଗ ପକ୍ଷରୁ ପ୍ରିମିୟମ୍ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ଓ AI ଆଧାରିତ କାର୍ଯ୍ୟ ସହାୟକ ସେବାକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ଦିଆଯାଇଛି । ବିଭାଗର ମତରେ, ChatGPT Plus ମାଧ୍ୟମରେ ବିଭିନ୍ନ ସରକାରୀ ପତ୍ର, ରିପୋର୍ଟ, ଟିପ୍ପଣୀ ଓ ପ୍ରେଜେଣ୍ଟେସନ୍ ପ୍ରସ୍ତୁତି ଭଳି ଦୈନନ୍ଦିନ କାର୍ଯ୍ୟକୁ ଅଧିକ ଦ୍ରୁତ ଓ ଦକ୍ଷତାର ସହ ସମ୍ପନ୍ନ କରାଯାଇପାରିବ । ସେହିପରି Google AI Pro ଓ Google One ସେବା ମାଧ୍ୟମରେ ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଡାଟା ପରିଚାଳନା ଓ ଉନ୍ନତ ଅନଲାଇନ୍ ସହଯୋଗ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି ।