ଭୁବନେଶ୍ୱର ୧୨/୦୩: ରାଜସଭା ନିର୍ବାଚନରେ କିଏ କାହାକୁ ଦେବ ଭୋଟ ? ହେବ କି କ୍ରସ୍ ଭୋଟିଂ ? ଏବେଠୁ ହେଲାଣି ବିରୋଧୀଙ୍କ ଛାତି ଧଡ଼ଧଡ଼। ଅସନ୍ତୁଷ୍ଟ ବିଧାୟକ ଧାଡ଼ି ଭାଙ୍ଗି ଯିବେନି ତ ? ଏହି ଭିତରେ ବିଧାୟକଙ୍କୁ ଏକ କରିବାକୁ ପ୍ରଦେଶ କଂଗ୍ରେସ ହ୍ବିପ୍ ଜାରି କରିଛି। ଏନେଇ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।

ଏଥିରେ କୁହାଯାଇଛି, ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଜ୍ୟସଭା ଭୋଟ ହେବ । ତେଣୁ କୌଣସି ବିଧାୟକ ହେଡ୍ କ୍ୱାର୍ଟର ଛାଡ଼ିବେ ନାହିଁ । ସମସ୍ତ ବିଧାୟକ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହିଁ ରହିବେ । ଏହି ୩ ଲାଇନ ହ୍ୱିପ୍ ନ ମାନିଲେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍ପଷ୍ଟ କରିଛି । ତେବେ ଏ ହ୍ୱିପ୍‌କୁ କିଏ ଡେଇଁବ, ତାହା ଉପରେ ବି ନଜର ରହିଛି । ଅନ୍ୟପଟେ ବୁଧବାର ବିଜେଡି ପକ୍ଷରୁ ମଧ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏଭଳି ହ୍ୱିପ୍ର ଚିଠି ସମସ୍ତ ବିଧାୟକଙ୍କୁ ପଠାଇଛନ୍ତି ।

ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର ପ୍ରଥମ ପସନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ରୋଚକ ହେବାକୁ ଯାଉଛି ଚତୁର୍ଥ ଆସନ ଲଢ଼େଇ । ବିଜେଡି-କଂଗ୍ରେସ-ସିପିଆଇଏମ୍ର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟର ସୁନାମଧନ୍ୟ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା ମଇଦାନରେ । ଏହି ଆସନ ପାଇଁ ବିଜେପି ସମର୍ଥନରେ ଲଢ଼ୁଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ । ଦତ୍ତେଶ୍ୱର-ଦିଲ୍ଲୀପଙ୍କ ମଧ୍ୟରୁ କିଏ ବାଜି ମାରିବ, ସେ ନେଇ ଚାଲିଛି ଅଙ୍କକଷା ।

ସେପଟେ ଚତୁର୍ଥ ଆସନରେ ବିଜେପି ସମର୍ଥନରେ ନିର୍ଦ୍ଦଳୀୟ ଭାବେ ଲଢ଼ୁଥିବା ଦିଲ୍ଲୀପ ରାୟ ମଧ୍ୟ ବିଜୟ ନେଇ କସରତ ତେଜିଛନ୍ତି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କ ଉପରେ ବିଜେପିର ନଜର ରହିଛି । ଏଭଳି କିଛି ବିଧାୟକଙ୍କ ସମର୍ଥନ ପାଇବାକୁ ଦଳ ଆଶା ରଖିଛି ।

ଅଧକ ପଢ଼ନ୍ତୁ :- ରାଜ୍ୟସଭା ଭୋଟ୍: ହ୍ୱିପ୍ ଜାରି କଲା ବିଜେଡି, ଆଜି କଂଗ୍ରେସ ପାଳି, ଏହି ବିଧାୟକଙ୍କ ଉପରେ ନଜର