ଭୁବନେଶ୍ୱର,୧୨/୦୩: ସ୍ୱାମୀ ରବୀନ୍ଦ୍ର ଜେନା ବିଜେଡି ଛାଡ଼ି ବିଜେପିରେ ମିଶିଲେ । ପତ୍ନୀ ସୁବାସିନୀ ଜେନା କିନ୍ତୁ ଏବେ ବି ବସ୍ତା ବିଜେଡି ବିଧାୟିକା । ରାଜ୍ୟସଭା ନିର୍ବାଚନରେ ସୁବାସିନୀ କାହାକୁ ଭୋଟ୍ ଦେବେ? ବିଜେଡି ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ନା ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ?
ସେହିପରି ବାପା ପ୍ରଭାତ ବିଶ୍ୱାଳ ଅଳ୍ପ ଦିନ ତଳେ ବିଜେଡିରୁ ବିଦା ହୋଇଛନ୍ତି । ପୁଅ ସୌଭିକ୍ ବିଶ୍ୱାଳ ଏବେ ବି ଚୌଦ୍ୱାର-କଟକ ବିଜେଡି ବିଧାୟକ । ରାଜ୍ୟସଭା ଭୋଟ୍ରେ ସୌଭିକ୍ ବିଜେଡି ସପକ୍ଷରେ ମତଦାନ କରିବେ ନା ବିରୋଧରେ ଯିବେ ତାହା ଅସ୍ପଷ୍ଟ ।
କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବେ କଂଗ୍ରେସରେ ଅଛନ୍ତି । ବାପା ମହମ୍ମଦ ମୋକିମ୍ କଂଗ୍ରେସରୁ ବିଦା ହେବା ପରେ ନୂଆ ଦଳ ଗଢ଼ିଲେଣି । ସୋଫିଆଙ୍କ ଭୋଟ୍ କୁଆଡେ ଯିବ, ତାହା ଉପରେ ସମସ୍ତଙ୍କ ନଜର ।
ସେପଟେ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ମଧ୍ୟ ଚର୍ଚ୍ଚାରେ । ଉଭୟଙ୍କ ଭୋଟ୍ ବିଜେଡିକୁ ଯିବା ସମ୍ଭାବନା କମ୍ । ଉଭୟଙ୍କ ଉପରେ ବି ନଜର ରହିଛି । ବିରୋଧୀ ଦଳକୁ କ୍ରସ ଭୋଟିଂ ଡର ବେଶି ଗୋଡ଼ାଉଛି । ଦଳକୁ ଏକାଠି ରଖିବାକୁ ବିଜେଡି ଓ କଂଗ୍ରେସ ଘନଘନ ବୈଠକ, ରଣନୀତି ଚଳାଇଛନ୍ତି । ଆଜି ବିଜେଡି ପକ୍ଷରୁ ସମସ୍ତ ବିଧାୟକମାନଙ୍କ ପାଇଁ ୩ ଧାଡ଼ିଆ କଠୋର ହ୍ୱିପ୍ ଜାରି କରାଯାଇଛି ।
ଏଥିରେ କୁହାଯାଇଛି, ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଜ୍ୟସଭା ଭୋଟ ହେବ । ତେଣୁ କୌଣସି ବିଧାୟକ ହେଡ୍ କ୍ୱାର୍ଟର ଛାଡ଼ିବେ ନାହିଁ । ସମସ୍ତ ବିଧାୟକ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହିଁ ରହିବେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏଭଳି ହ୍ୱିପ୍ର ଚିଠି ସମସ୍ତ ବିଧାୟକଙ୍କୁ ପଠାଇଛନ୍ତି । ଏହି ୩ ଲାଇନ ହ୍ୱିପ୍ ନ ମାନିଲେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍ପଷ୍ଟ କରିଛି । ତେବେ ଏ ହ୍ୱିପ୍କୁ କିଏ ଡେଇଁବ, ତାହା ଉପରେ ବି ନଜର ରହିଛି । ସେହିପରି କଂଗ୍ରେସ ଦଳ ମଧ୍ୟ ଗୁରୁବାର ଏଭଳି ହ୍ୱିପ୍ ଜାରି କରିବାକୁ ପ୍ରସ୍ତୁତ ହୋଇଛି । କଂଗ୍ରେସ ବିଧାୟକଙ୍କୁ ଏଭଳି ନିର୍ଦ୍ଦେଶନାମା ପଠାଯିବ ।
ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର ପ୍ରଥମ ପସନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ରୋଚକ ହେବାକୁ ଯାଉଛି ଚତୁର୍ଥ ଆସନ ଲଢ଼େଇ । ବିଜେଡି-କଂଗ୍ରେସ-ସିପିଆଇଏମ୍ର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟର ସୁନାମଧନ୍ୟ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା ମଇଦାନରେ । ଏହି ଆସନ ପାଇଁ ବିଜେପି ସମର୍ଥନରେ ଲଢ଼ୁଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ । ଦତ୍ତେଶ୍ୱର-ଦିଲ୍ଲୀପଙ୍କ ମଧ୍ୟରୁ କିଏ ବାଜି ମାରିବ, ସେ ନେଇ ଚାଲିଛି ଅଙ୍କକଷା ।
ସମସ୍ତ ବିଧାୟକଙ୍କୁ ଏକାଠି ରଖିବା ସହ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ତିନି ଦଳ ଓ ୫ ପ୍ରାର୍ଥୀ ପ୍ରୟାସ ଜୋରଦାର କରିଛନ୍ତି । ରାଜ୍ୟସଭା ନିର୍ବାଚନ ଏବେ ସବୁଠାରୁ ବଡ଼ ସମ୍ମାନର ପ୍ରଶ୍ନ ହୋଇଛି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ । ବିଜେଡି ପ୍ରଥମ ଥର ପାଇଁ କଂଗ୍ରେସ ସହ ହାତ ମିଳାଇଛି କେବଳ ରାଜ୍ୟସଭା ଆସନ ପାଇଁ । ବିଜେପିକୁ ମାତ୍ ଦେବାକୁ ନବୀନ ସବୁ କୌଶଳ ପ୍ରୟୋଗ କରୁଛନ୍ତି । ଏଥିପାଇଁ ନବୀନ ଦଳର ବିଧାୟକମାନଙ୍କୁ ନବୀନ ନିବାସ ଡାକି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଆଜି ମଧ୍ୟ ୧୦ରୁ ଅଧିକ ବିଧାୟକ ନବୀନ ନିବାସ ଯାଇଥିଲେ । ନବୀନଙ୍କ ସହ ଆଲୋଚନା ପରେ ଦଳ ପକ୍ଷରୁ ସେମାନଙ୍କୁ ମହାପ୍ରଭୁଙ୍କ ନିର୍ମାଲ୍ୟ ଛୁଆଁଇ ଶପଥ କରାଯାଉଛି । ହେଲେ ଆଜି ୨/୩ଜଣ ବିଧାୟକ ନିର୍ମାଲ୍ୟ ଛୁଇଁ ଶପଥ କରିବାକୁ ସଫା ସଫା ମନା କରିଦେଇଥିଲେ । ନବୀନ ନିବାସକୁ ସୌଭିକ ଯାଇଥିବା ନେଇ ଖବର ମିଳିଥିବାବେଳେ ସେ ଏହାକୁ ଅସ୍ୱୀକାର କରିଛନ୍ତି । ତେବେ ସେ କାହାକୁ ଭୋଟ ଦେବେ, ଏବେ ବି ସ୍ପଷ୍ଟ କରୁନାହାନ୍ତି ।
ସେପଟେ ଚତୁର୍ଥ ଆସନରେ ବିଜେପି ସମର୍ଥନରେ ନିର୍ଦ୍ଦଳୀୟ ଭାବେ ଲଢ଼ୁଥିବା ଦିଲ୍ଲୀପ ରାୟ ମଧ୍ୟ ବିଜୟ ନେଇ କସରତ ତେଜିଛନ୍ତି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କ ଉପରେ ବିଜେପିର ନଜର ରହିଛି । ଏଭଳି କିଛି ବିଧାୟକଙ୍କ ସମର୍ଥନ ପାଇବାକୁ ଦଳ ଆଶା ରଖିଛି ।
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କିଛି ନୂଆ କଥା ନୁହେଁ । ଅତୀତରେ କ୍ରସ୍ ଭୋଟିଂରେ ଦିଲ୍ଲୀପ ରାୟ ନିର୍ବାଚିତ ହୋଇଥିଲେ । ସନା, ଅରବିନ୍ଦ, ସୋଫିଆ, ସୌଭିକ୍ ଓ ସୁବାସିନୀଙ୍କ ଭୋଟ୍ ଉପରେ ଏବେ ସମସ୍ତଙ୍କ ନଜର । ଏହା ବ୍ୟତୀତ ବିଜେଡିରୁ ଆଉ ୪ରୁ ୬ ବିଧାୟକ ଓ କଂଗ୍ରେସରୁ ୨/୩ ଜଣ ଦଳକୁ ଝଟକା ଦେଇପାରନ୍ତି ।