ଭୁବନେଶ୍ୱର,୯ା୨(ବ୍ୟୁରୋ): ୨୦୧୯ ମିଶନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ଖୋଦ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ଓଡ଼ିଶା ସମେତ ସମସ୍ତ ରାଜ୍ୟ ସଂଗଠନକୁ ରାହୁଲ ନିର୍ଦ୍ଦେଶ ଦେଇଛନ୍ତି, ଆଉ ବିଳମ୍ବ କରନି । ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶୀଘ୍ର ସାର । ଚଳିତ ଫେବ୍ରୁଆରୀ ମାସ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ କୁହାଯାଇଛି ।
ନୂଆଦିଲ୍ଲୀରେ ଗତକାଲି ରାହୁଲ ଦଳର ସମସ୍ତ ବରିଷ୍ଠ ନେତା ଓ ରାଜ୍ୟ ପ୍ରଭାରୀମାନଙ୍କୁ ଡକାଇ ନିର୍ବାଚନ ଉପରେ ଆଲୋଚନା କରିବା ସହ ରଣନୀତି ପ୍ରସ୍ତୁତ କରିଥିଲେ । ଆଜି ଡକାଇଥିଲେ ପିସିସି ସଭାପତି ଓ ବିଭିନ୍ନ ରାଜ୍ୟର କଂଗ୍ରେସ ବିଧାୟକ ଦଳ ନେତାମାନଙ୍କୁ । ଓଡ଼ିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ନିରଞ୍ଜନ ସୂଚନା ଦେଇଛନ୍ତି, ଫେବ୍ରୁଆରୀ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ରାହୁଲ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ସମ୍ପର୍କରେ ଗତକାଲି ରାହୁଲ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଦଳର ସ୍ଥିତି, ସଂଗଠନ, ପ୍ରଚାର ଓ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ଆଜି ନିରଞ୍ଜନଙ୍କ ସହ ସେ ଦିଗରେ ଅଧିକ ଆଲୋଚନା ହୋଇଥିଲା । ରାହୁଲ କହିଥିଲେ, ଶୀଘ୍ର ପ୍ରାର୍ଥୀ ଚୂଡ଼ାନ୍ତ ହେଲେ ଲୋକଙ୍କ ପାଖକୁ ଯାଇ ପ୍ରଚାର ପାଇଁ ସେମାନଙ୍କୁ ଅଧିକ ସମୟ ମିଳିବ ।
ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ବହୁ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ତତଃ ୫୦ଟି ଆସନରେ ୬ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କଂଗ୍ରେସ ଘୋଷଣା କରିଥିଲା । ମାତ୍ର କିଛି ନେତା ଦଳ ଛାଡ଼ିବା ଚର୍ଚ୍ଚା ଜୋର୍ ଧରିବା ପରେ କଂଗ୍ରେସ ତାଲିକା ପ୍ରକାଶ କରିନଥିଲା । ନିକଟରେ ପ୍ରତ୍ୟେକ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଚୟନ ପାଇଁ ପିସିସି ଜୋନ୍ ସଭାପତି ଓ ଜିଲ୍ଲା କମିଟିର ମତାମତ ସଂଗ୍ରହ କରିଛି । ତୃଣମୂଳସ୍ତର ନେତା ଓ କର୍ମକର୍ତ୍ତାଙ୍କ ପସନ୍ଦ ଦଳ ଏଥର ଅଗ୍ରାଧିକାର ଦେଇଛି । କର୍ମକର୍ତ୍ତାଙ୍କ ପସନ୍ଦକୁ ଅଗ୍ରାଧିକାର ଦେବା ପାଇଁ ରାହୁଲ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ବାରମ୍ବାର ନିର୍ବାଚନ ହାରୁଥିବା ନେତାଙ୍କୁ ଟିକେଟ ନ ଦେବା ପାଇଁ ହାଇକମାଣ୍ଡ ସଙ୍କେତ ଦେଇଛନ୍ତି । ଯେଉଁ ନେତାମାନେ ୩ଥର ଲେଖାଏଁ ନିର୍ବାଚନ ହାରିଛନ୍ତି, ସେମାନଙ୍କୁ ପ୍ରାର୍ଥୀ ନକରିବାକୁ ଗତକାଲି ପ୍ରଭାରୀମାନଙ୍କ ବୈଠକରେ ସ୍ଥିର ହୋଇଛି । ସେମାନଙ୍କ ବଦଳରେ ନୂଆ ମୁହଁକୁ ସୁଯୋଗ ଦେବାକୁ କୁହାଯାଇଛି । ବାରମ୍ବାର ହାରିଥିବା ନେତାଙ୍କୁ ପ୍ରାର୍ଥୀ ନ କରି ସଂଗଠନରେ ନିୟୋଜିତ କରିବା ପାଇଁ କୁହାଯାଇଛି ।
ବୈଠକରେ ରାହୁଲ ସଂଗଠନକୁ ଆହୁରି ମଜବୁତ କରିବା ସହ ପ୍ରଚାର ଅଭିଯାନକୁ ଜୋର୍ଦାର୍ କରିବା ଉପରେ ଫୋକସ୍ ଦେଇଛନ୍ତି । ଓଡ଼ିଶାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ପ୍ରଚାର ଚଳାଇବାକୁ କହିଛନ୍ତି । ଏଥିପାଇଁ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଉପରେ ରାହୁଲ ଫୋକସ୍ ଦେଇଛନ୍ତି ।
ବୈଠକରେ ବିଭିନ୍ନ ରାଜ୍ୟରେ ମେଣ୍ଟ ଗଠନ କରିବା ସକାଶେ ମଧ୍ୟ ଆଲୋଚନା ହୋଇଥିଲା । ଓଡ଼ିଶାରେ କାହା ସହ ମେଣ୍ଟ ହେବ ସେନେଇ ଏପର୍ଯ୍ୟନ୍ତ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ଜେଏମ୍ଏମ୍ ସହ ରାଜ୍ୟରେ ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡ଼ିଛି । ଝାଡ଼ଖଣ୍ଡରେ କଂଗ୍ରେସ ଦଳର ଜେଏମ୍ଏମ୍ ସହ ମେଣ୍ଟ ଗଠନ ହୋଇସାରିଛି । ଖୁବ୍ଶୀଘ୍ର ମେଣ୍ଟ ନେଇ ସ୍ପଷ୍ଟ ଆଭିମୁଖ୍ୟ ନେବା ସକାଶେ ପିସିସି ସଭାପତିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକ ଶେଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆସନ୍ତା ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ସକାଶେ ଦଳର ରଣକୌଶଳ ନେଇ ଆଲୋଚନା ହୋଇଛି । ଫେବ୍ରୁଆରୀ ୨୭ ତାରିଖ ସୁଦ୍ଧା ଦଳର ତାଲିକା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ କହିଛନ୍ତି । ସେ କହିଛନ୍ତି ଯେ ନିର୍ଦ୍ଧାରିତ ସମୟ ସୁଦ୍ଧା ରାଜ୍ୟ ପିସିସି ଦଳର ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଇ ଦେବ ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...