ସର୍ତ୍ତ ଲଗାଇ ହାରିଗଲେ କଂଗ୍ରେସ ନେତା,ଶେଷରେ ସମସ୍ତଙ୍କ ସାମନାରେ ହେଲେ ଲଣ୍ଡା

ନୂଆଦିଲ୍ଲୀ,୨୫।୫: ନରେନ୍ଦ୍ର ମୋଦି ଯଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ମୁଁ ଲଣ୍ଡା ହେବି ବୋଲି ସର୍ତ୍ତ ରଖିଥିଲେ ଜଣେ କଂଗ୍ରେସ ନେତା। ତେବେ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏବେ ତାଙ୍କୁ ଲଣ୍ଡା ହେବାକୁ ପଡିଛି । ବିଜେପି ସାଧାରଣ ନିର୍ବାଚନରେ କ୍ଲିନ୍ସ୍ୱିପ୍ କରିବାପରେ ସେ ଏପରି କରିଥିବା ଜଣାପଡ଼ିଛି। କଂଗ୍ରେସ କର୍ମୀବାପୁ ଲାଲ ସେନ୍ ବିଜେପିର ରାମ ବାବୁଙ୍କ ସହ ବାଜି ଲଗାଇଥିଲେ ଯେ ଯଦି ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି, ସେ ଲଣ୍ଡା ହେବେ। ବାପୁ କହିଛନ୍ତି, “ମୁଁ ବାଜି ଲଗାଇଥିଲି ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ମୁଁ ଲଣ୍ଡା ହେବି, ଆଉ ଯଦି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ ସେ ଲଣ୍ଡା ହେବେ। ଏବେ ମୋ ଦଳ ହାରିବା ପରେ ମୁଁ ଲଣ୍ଡା ହେଲି।’
ତା ଛଡା ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳର ରାଜନୀତିକ ଦଳର କର୍ମୀମାନେ ଏଭଳି ବାଜି ଲଗାଇବା ଏବଂ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପୂର୍ବରୁ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦେହାନ୍ତ ପରେ ଇନ୍ଦୁ ସିଂହ ନାମକ ଜଣାଶୁଣା କଂଗ୍ରେସ କର୍ମୀ ବର୍ଷେ କାଳ ମୌନବ୍ରତ ପାଳନ କରିଥିଲେ। ପୂର୍ବରୁ ଥରେ କଂଗ୍ରେସ ଏଠାରେ କ୍ଷମତାକୁ ଫେରିବା ପରେ ଅଖିଲେଶ ଯୋଶୀ ଡିଗ୍ଗି ଚପଲ ପିନ୍ଧିବା ବନ୍ଦ କରିଦେଇଥିଲେ।
ଉଲ୍ଳେଖନୀୟ ଯେ, ମଧ୍ୟ ପ୍ରଦେଶ ସହିତ ସାରା ଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। କଂଗ୍ରେସକୁ ୧୬ଟି ରାଜ୍ୟରେ ଗୋଟିଏ ମଧ୍ୟ ଆସନ ମିଳିନାହିଁ ଓ ଦଳର ରାଷ୍ଟ୍ରୀୟ ଅଧ୍ୟ ରାହୁଲ ଗାନ୍ଧି ମଧ୍ୟ ଆମେଥିରୁ ନିର୍ବାଚନ ହାରି ଯାଇଛନ୍ତି। ଏହାଛଡା ୯ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। ଏଭଳି ଶୋଚନୀୟ ପରାଜୟକୁ କଂଗ୍ରେସ ନେତାମାନେ ଆଶା କରିନଥିଲେ। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧିଙ୍କ ଇସ୍ତଫା ଖବର ଶୁଣିବାକୁ ମିଳିଥିଲା। ଯାହାକୁ ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ବାଲ ଖଣ୍ଡନ କରିଛନ୍ତି।