ହୋମ୍ଗାର୍ଡଙ୍କ ପାଇଁ ସଂରକ୍ଷଣ ମାମଲା, ଗୃହ ବିଭାଗକୁ ନୋଟିସ୍

କଟକ, ୨୫/୦୩ : ରାଜ୍ୟରେ କନେଷ୍ଟବଳ ପଦରେ ନିଯୁକ୍ତି ଚାଲିଥିଲା ବେଳେ ଏଥିରେ ହୋମ୍ଗାର୍ଡଙ୍କ ପାଇଁ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ରୁଜୁ ମାମଲାରେ ହାଇକୋର୍ଟ ଗୃହ ବିଭାଗକୁ ଜବାବ ଦାଖଲ ଲାଗି ନୋଟିସ୍ କରିଛନ୍ତି । ଏଥିସହ ଏହି ନିଯୁକ୍ତିର ଭବିଷ୍ୟତ ମାମଲାର ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ପୁରୀ ଜିଲ୍ଲାରେ ହୋମ୍ଗାର୍ଡ ଭାବେ କାର୍ଯ୍ୟରତ ଲକ୍ଷ୍ମୀପ୍ରିୟା ଭୋଇ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ପିଟିସନ୍ରେ ଉଲ୍ଲେଖ କରାଯାଇଛି କି, ରାଜ୍ୟରେ ମୋଟ୍ ୪ ହଜାର ୭୯୦ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ଜିଲ୍ଲାକୁ ଯେତିକି ପଦ ମିଳିବ ସେଥିରେ ୧୦% ସଂରକ୍ଷଣ ହୋମ୍ଗାର୍ଡଙ୍କ ପାଇଁ ସଂରକ୍ଷିତ ହୋଇ ରହିବା କଥା । ପୁରୀ ଜିଲ୍ଲା ଭାଗରେ ୩୧୮ଟି ପଦରେ କନେଷ୍ଟବଳ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି । ୧୦% ସଂରକ୍ଷଣ ହିସାବରେ ଏଥିରୁ ହୋମ୍ଗାର୍ଡଙ୍କ ପାଇଁ ୩୨ଟି ପଦବି ରହିବା କଥା । କିନ୍ତୁ ପୁରୀ ପୁଲିସ୍ ପ୍ରଶାସନ ପକ୍ଷରୁ ଏଥିରେ ସିଧାସଳଖ ହୋମ୍ଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ ଦିଆଯିବା ପରିବର୍ତ୍ତେ ଏକ କଟ୍ଅଫ ମାର୍କ ରଖାଗଲା । ଏଥିସହ ୩୨ଜଣଙ୍କୁ ଚୟନ ପାଇଁ ୧:୫ ହିସାବରେ ପ୍ରାର୍ଥୀ ଚୟନ କରିବା କଥା । କିନ୍ତୁ ତାହା କରାନଯାଇ କଟ୍ଅଫ ମାର୍କ ରଖାଯାଇ ସଂରକ୍ଷଣ ପଦ୍ଧତିରେ ପରିବର୍ତ୍ତନ କରାଗଲା । ଫଳରେ ଏହି ୩୨ଟି ପଦରେ ଜଣେ ବି ମହିଳା ହୋମ୍ଗାର୍ଡଙ୍କୁ ପାଇଁ ସ୍ଥାନ ରହିଲା ନାହିଁ । ଏହାକୁ ଚାଲେଞ୍ଜ କରି ଆବେଦନକାରିଣୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି ।