ଭୁବନେଶ୍ୱର, ୨୩/୦୫ : ସୂର୍ଯ୍ୟ ଉଦୟ ହେଉ ହେଉ ଗୁଳଗୁଳି ଆରମ୍ଭ ହେଲା । ସକାଳ ୫ଟା ୩୦ରେ ତାପମାତ୍ରା ୩୧.୪ ଡିଗ୍ରୀ । ଆଦ୍ରତା ୮୪ ପ୍ରତିଶତ । ହିଟ୍ ଇଣ୍ଡେକ୍ସ୪୪ ଡିଗ୍ରୀ ଭଳି ଅନୁଭବ ହେଉଥିଲା । ଦିନ ସାଢେ ୧୧ଟା ବେଳକୁ ପାରଦ ୩୫ ଡିଗ୍ରୀ ପାର କରିଗଲା । ତାତି କମ ଥିଲା ହେଲେ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ସହରବାସୀ । ଗୁଳୁଗୁଳି ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ ତାତି ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥିଲା । ଭୁବନେଶ୍ୱରରେ ଶୁକ୍ରବାର ତାପମାତ୍ରା ଆଜି ୩୭ ଡିଗ୍ରୀ ରେର୍କଡ କରାଯାଇଛି । ହେଲେ ତାତି ୫୪ ଡିଗ୍ରୀ ଭଳି ଅନୁଭବ ଦେଇଛି । କ୍ରମାଗତ ଭାବେ ରାଜଧାନୀରେ ୪ଦିନ ହେବେ ସକାଳୁ ଗୁଳୁଗୁଳି ଲାଗି ରହିଛି ।
୧୯ ଓ ୨୦ ତାରିଖ ସକାଳେ ୩୦ ଡିଗ୍ରୀ, ୨୧ ତାରିଖ ସକାଳେ ୨୯.୬ ଏବଂ ଆଜି ୩୧.୪ ଡିଗ୍ରୀ ପାରଦ ପାର କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯଦିଓ ଗୁରୁବାର ଅପେକ୍ଷା ଶୁକ୍ରବାର ତାପମାତ୍ରା ୫ ଡିଗ୍ରୀ କମ ଥିଲା । ହେଲେ ଗୁଳଗୁଳି ଯୋଗୁ ଅସ୍ତବ୍ୟସ୍ତ ଲାଗୁଥିଲା । ଗରମ ସାଙ୍ଗକୁ ବୋଝ ଉପରେ ନଳିତା ବିଡା ଭଳି ବିଦ୍ୟୁତ୍ କାଟ ଯନ୍ତ୍ରଣା ଦେଇଛି ।
ଗତକାଲି ରାଜଧାନୀର ୧୫ଟି ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ହୋଇଛି । ଧଉଳି ବେତଣ୍ଡା ମହାବୀର ନଗରରେ ସକାଳ ୯ଟାରେ ଲାଇନ୍ କଟିଥିଲା । ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଲାଇନ୍ ମରାମତି ହୋଇ ପାରିଲା ନଥିଲା । ଫଳରେ୬୦ରୁ ୭୦ ପରିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏନେଇ ଲୋକେ ଅଧିକାରୀଙ୍କୁ ଭେଟିବାକୁ କାର୍ଯ୍ୟାଳୟ ଯାଇଥିବା ବେଳେ ଯାଇଥିବା ବେଳେ ଅଧିକାରୀ ଅନୁପସ୍ଥିତ ଥିଲେ । ବାରଙ୍ଗ ତାରିଣୀବିହାର ରଘୁନାଥପୁର ଅଞ୍ଚଳରେ ରାତି ୯.୪୫ରେ ଲାଇନ୍ କଟିଥିଲା । ହେଲେ ବିଳମ୍ବିତ ରାତି ପର୍ଯ୍ୟାନ୍ତ ଲାଇନ୍ ଦେଖା ନଥିଲା । ପାହଳ ଅଞ୍ଚଳରେ ମଧ୍ୟ ଲାଇନ୍ କଟିବା ଯୋଗୁଁ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୁରା ଭୁବନେଶ୍ୱରେ ଏଭଳି ସ୍ଥିତି ଲାଗି ରହିଛି । ବାରମ୍ବାର ଲାଇନ୍ କଟୁଥିବାରୁ ଲୋକେ ବାଧ୍ୟ ହୋଇ ବିଦ୍ୟୁତ ଅଫିସ୍ ଘେରାଉ କରୁଛନ୍ତି । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ଖରା ଯୋଗୁ ଅଧିକ ଲୋଡ୍ ପଡ଼ୁଥିବାରୁ ବିଦ୍ୟୁତ ବିଭ୍ରାଟ ହେଉଛି । ତେବେ ସବୁ ସେକ୍ସନରେ ବିଦ୍ୟୁତ କର୍ମଚାରୀ ମରାମତି କରିବାକୁ ସଜାଗ ଅଛନ୍ତି ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛି : ମିକା ସିଂ