କାର୍ଯ୍ୟରତ କନେଷ୍ଟବଳଙ୍କ ଉପରେ ମାଡ଼ିଗଲା ଆଳୁ ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଜୀବନ

ତୁରୁମୁଂଗା ୧୮/୩: କାର୍ଯ୍ୟରତ କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ତୁରୁମୁଙ୍ଗା ବଜାର ଅଞ୍ଚଳରେ ଘଟିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ କନେଷ୍ଟବଳଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଦାମୁଡ଼ିଗୋଡା ଗ୍ରାମର ବୋଲି ଜଣାପଡିଛି।

ସୂଚନା ମୁତାବକ, ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରଘୁନାଥ ମୁର୍ମୁ (୫୫) ଶନିବାର ଦିନ ସାଢ଼େ ୧୦ଟା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ କାର୍ଯ୍ୟରତ ଅବସ୍ଥାରେ ତୁରୁମୁଙ୍ଗା ବଜାର ଅଞ୍ଚଳ ରେ ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ଵକୁ ସାଇକେଲ ଧରି ଯାଉଥିବା ବେଳେ କୋଲକାତାରୁ କେନ୍ଦୁଝର ଯାଉଥିବା ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ତାଙ୍କୁ ତୁରନ୍ତ ଖିରେଇଟାଙ୍ଗିରୀ ପଥକର ଫାଟକ ଆମ୍ବୁଲାନ୍ସରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ କନେଷ୍ଟବଳଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଦାମୁଡ଼ିଗୋଡା ଗ୍ରାମର ବୋଲି ଜଣାପଡିଛି।

ଗତ ୨ବର୍ଷ ହେଲା ସେ ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ପତ୍ନୀଙ୍କ ସହ ସେ ଏଠାରେ ଭଡ଼ା ଘରେ ରହୁଥିଲେ। ଘଟଣା ଘଟିବା ପରେ ପରେ ତୁରୁମୁଂଗା ଥାନାଧିକାରୀ ମଦନ ମୋହନ ନାଏକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଲୋକ ମାନଙ୍କୁ ନିବେଦନ କରୁଥିବା ଦେଖାଯାଇଛି। ଦୁର୍ଘଟଣା ସ୍ଥଳ ନିକଟରେ ହମ୍ପସ ନିର୍ମାଣ ଓ ମୃତକ ଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଦିଆଯିବାକୁ ଲୋକ ମାନେ ଅଡ଼ି ବସିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଛି।