‘କମ୍ୟୁନିଷ୍ଟ ଦେଶ ଛାଡ’: JNU କ୍ୟାମ୍ପସ୍ କାନ୍ଥରେ ଲେଖା ହୋଇଛି ବିବାଦୀୟ ସ୍ଲୋଗାନ୍

ନୂଆଦିଲ୍ଲୀ ୦୩/ ୧୧: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଜବାହାରଲାଲ୍ ନେହରୁ ବିଶ୍ବବିଦ୍ୟାଳୟ (JNU)ରେ ବିବାଦ ଥମିବାର ନାଁ ନେଉନାହିଁ । କିଛି ଦିନ ବ୍ୟବଧାନରେ ଗୋଷ୍ଠୀ ସଂଘର୍ଷ ଏବଂ ଆରୋପ ପ୍ରତ୍ୟାରୋପ ଚିନ୍ତା ବଢାଉଛି । ଧର୍ମକୁ ନେଇ ଘୃଣ୍ୟ ମନ୍ତବ୍ୟ ଦେବା ହେଉ କିମ୍ବା ଜାତିଆଣ ମନ୍ତବ୍ୟ, ଜେଏନ୍ୟୁ ଏବେ ପାଲଟିଛି ଅସାମାଜିକଙ୍କ ଆଡ୍ଡା ।
ଶନିବାର ଜବାହାରଲାଲ୍ ନେହରୁ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଠକରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ବୁଧବାର ଜେଏନ୍ୟୁ ପାଚେରୀ ଗୁଡିକରେ ବ୍ରାହ୍ବଣ ବିରୋଧୀ ସ୍ଲୋଗାନ୍ ଦେଖି ତୀବ୍ର ବିରୋଧ କରିବା ସହିତ ଦୃୃଢ ନିନ୍ଦା କରିଥିଲେ ଛାତ୍ର ସଂସଦ ସଦସ୍ୟ । ଶନିବାର ପୁଣି କିଛି ବିଭ୍ରାନ୍ତିକର ଲେଖା ପାଚେରୀ ଗୁଡିକରେ ଦେଖିବାକୁ ମିଳିଛି ।
କମ୍ୟୁନିଷ୍ଟ ଦଳଗୁଡିକ ବିରୋଧରେ ଜେଏନ୍ୟୁ କାନ୍ଥ ପାଚେରୀ ଗୁଡିକରେ ବିବାଦୀୟ ବୟାନ ସବୁ ଲେଖାହୋଇଥିବା ଦେଖିବାକୁ ମିଳିଛି । କାନ୍ଥ ଗୁଡିକରେ ଲେଖା ହୋଇଛି ଯେ, ‘କମ୍ୟୁନିଷ୍ଟ କ୍ବାଇଟ୍ ଇଣ୍ଡିଆ (କମ୍ୟୁନିଷ୍ଟ ଭାରତ ଛାଡ), କମ୍ୟୁନିଷ୍ଟ=ISIS, ଜିହାଦିସ୍ କ୍ବାଇଟ୍ ଇଣ୍ଡିଆ (ଜିହାଦି ମାନେ ଭାରତ ଛାଡ)। ଏହା ସହିତ କାନ୍ଥରେ ହିନ୍ଦୁ ରକ୍ଷା ଦଳ ମଧ୍ୟ ଲେଖାଯାଇଛି । ତେଣୁ ଏହି ସଂଗଠନ ପକ୍ଷରୁ ଏଭଳି ଲେଖାଯାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ଏବଂ ତଦନ୍ତ ଚାଲିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ ଜେଏନ୍ୟୁରେ ଏଭଳି ଘଟଣା ଘଟିଛି ଏହା ପୂର୍ବରୁ ମଧ୍ୟ ଅନେକ ଥର ଛାତ୍ର ଗୋଷ୍ଠୀ ମଧ୍ୟରେ ଏଭଳି ହିଂସାତ୍ମକ ଘଟଣା ନଜିର ରହିଛି ।
ସୂଚନାଯୋଗ୍ୟ, ଗତ ବୁଧବାର ଜେଏନ୍ୟୁର କ୍ୟାମ୍ପସ୍ ଗେଟ୍ କାନ୍ଥଗୁଡିକରେ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଖିବାକୁ ମିଳିଥିଲା । ବ୍ରାହ୍ମଣମାନେ କ୍ୟାମ୍ପସ୍ ଛାଡି ଚାଲିଯାଅ । ବ୍ରାହ୍ମଣ ଭାରତ ଛାଡ । ଆମେ ମାନେ ଆସୁଛୁ, ପ୍ରତିଶୋଧ ନେବୁ । ଏଭଳି ଅନେକ ପ୍ରକାର ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଖିବାକୁ ମିଳିଥିଲା ।
