17ରେ କୋର୍ କମିଟିର ଯାଞ୍ଚ: ଜଗମୋହନ ଦୁର୍ବଳ ଚାଳିର ହେବ ଅନୁଧ୍ୟାନ

ପୁରୀ,13।1(ବୁୟରୋ): ବିଶେଷଜ୍ଞଙ୍କୁ ନେଇ ଗଠିତ ଏଏସ୍ଆଇର କୋର୍ କମିଟି ଜାନୁଆରି 17ରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ କାମର ଅନୁଧ୍ୟାନ କରିବାକୁ ଆସୁଛନ୍ତି। ଏହି ଦିନିକିଆ ଗସ୍ତ ବେଳେ ବିଶେଷଜ୍ଞମାନେ ଜଗମୋହନ ଚାଳି ସୁରକ୍ଷା, ଚାଳି ତଳେ ରହିଥିବା ଲୁହା ରେଲିଂଗୁଡିକର ସ୍ଥିତି, ନାଟମଣ୍ଡପର ଛାତର ରକ୍ଷଣାବେକ୍ଷଣ, ନାଟମଣ୍ଡପ ସ୍ତମ୍ଭରେ ଉପୁଜିଥିବା ଫାଟର ପ୍ରତିକାର, ଏହାର ସୁରକ୍ଷା, ଜୟବିଜୟ ଦ୍ବାରଠାରୁ ବାହାର କାଠ ପର୍ଯ୍ୟନ୍ତ ନାଟମଣ୍ଡପ ଛାତର ମରାମତି ଆଦି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକୁ ଅନୁଧ୍ୟାନ କରିବେ। ରକ୍ଷଣାବେକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ଏବଂ ପ୍ରସ୍ତାବିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କୋର କମିଟି ଅନୁଧ୍ୟାନ ପରେ ହସ୍ତଗତ ତଥ୍ୟ ଉପରେ ମାନସ ମନ୍ଥନ କରିବ। ଜଗମୋହନ ଚାଲି ଏବଂ ନାଟମଣ୍ଡପ ସୁରକ୍ଷା ପାଇଁ ଆବଶ୍ୟକ ବୈଷୟିକ ପରାମର୍ଶ ଦେବ। ଏହା ବ୍ୟତୀତ ପାର୍ଶ୍ବ ଦେବଦେବୀ ମନ୍ଦିରଗୁଡିକର ରକ୍ଷଣାବେକ୍ଷଣ ତଥା ମରାମତି କାମକୁ ମଧ୍ୟ କୋର୍ କମିଟି ସମୀକ୍ଷା କରିବ ବୋଲି ଖବର ମିଳିଛି ।
ଶ୍ରୀମନ୍ଦିର ଜଗମୋହନ ବାହାର ପାଖ ଚାଳି ତଳେ ବ୍ରିଟିଶ ଅମଳରୁ ଦିଆଯାଇଥିବା ଲୁହାଭାରା ଦୁର୍ବଳ ହୋଇଯାଇଛି। ଭାରା ଉପରେ ଜଗମୋହନର ଦକ୍ଷିଣ ଏବଂ ଉତ୍ତର ପାର୍ଶ୍ବ ଚାଳିର ସୁରକ୍ଷା ନିର୍ଭର କରୁଛି । ଚାଳିକୁ ଧରି ରଖିଥିବା ଲୁହାଭାରାଗୁଡିକ ବ୍ରିଟିଶ ଶାସକ ସ୍ଥାପନ କରିଥିଲେ । 1904ରୁ ପର୍ଯ୍ୟ।ୟ କ୍ରମେ ଚାଳି ସୁରକ୍ଷା ପାଇଁ ସ୍ଥାପନ ହୋଇଥିବା ଲୁହା ଭାରାଗୁଡିକର ଭିତ୍ତିଭୂମି ଲୁଣା ପବନ ଏବଂ ପାଣି ବାଜି ନଷ୍ଟ ହୋଇ ଯାଇଥିବାର ଆଶଙ୍କା କରାଯାଉଛି । ଏହି ଭାରାଗୁଡିକର ମରାମତି କରାଯିବ ନା ପୁନଃ ନୂତନ ଭାରା ଦିଆଯିବ ତାହା ନେଇ ବିତର୍କ ଚାଲିଛି। ଚାଳିକୁ ଦୁଇ ପ୍ରକାର ଭାରା ସାପୋର୍ଟ ଦିଆଯାଇଛି । ଭୂମି ସହ ସମାନ୍ତରାଳ ଭାବେ ଚାଳି ତଳେ ପାଖାପାଖି ତିରିଶ ଫୁଟ ଉପରେ ବଡ ବଡ ଲୁହା ରେଲିଂର ଭାରା ରହିଛି । ଏହି ଭାରାଗୁଡିକୁ ଭୂମି ଉପରେ ଠିଆ ହୋଇଥିବା ଲୁହା ରେଲିଂ ଭାରା ଧରି ରଖିଛି ।
ଏଏସ୍ଆଇ କହିଛି ଉପରେ ଚାଳି ତଳେ ଲୁହା ରେଲିଂ ଏବଂ ପଥର ମଧ୍ୟରେ ଫାଙ୍କ ଉପୁଜିଲେ ମରାମତି ନିୟମିତ କରାଯାଉଛି । ତା ବ୍ୟତିତ ଠିଆ ହୋଇଥିବା ଲୁହା ରେଲିଂର ମୂଳ ସବୁ ଖାଇ ଯାଇଥିବାର ସନ୍ଦେହ କରାଯାଇଛି। ଏହାକୁ ମରାମତି କିଭଳି କରାଯିବ ତାହା ହିଁ ଚିନ୍ତାର ବିଷୟ ରହିଛି । କାରଣ ଏହି ରେଲିଂରେ ହାତ ଦେଲେ କାଳେ ଚାଳି ଗଳି ପଡିବା ଆଶଙ୍କା କରାଯାଉଛି । ସେହିଭଳି ଉପରେ ଭୂମି ସହ ସମାନ୍ତରାଳରେ ଚାଳି ତଳେ ଥିବା ରେଲିଂ ମଧ୍ୟ ଖସି ପଡିବା ଆଶଙ୍କା ଲାଗି ରହିଛି । ଏହି ବିପଦ ଟାଳିବାକୁ କୋର କମିଟି ବିଶେଷଜ୍ଞମାନେ କ୍ଷେତ୍ରାଞ୍ଚଳ ଅନୁଧ୍ୟାନ କରିବା ପରେ ଆଲୋଚନା କରିବେ । ବିଶେଷ କରି ଜଗମୋହନ ଚାଳି ସୁରକ୍ଷା ନେଇ ବିଶେଷଜ୍ଞମାନେ ସେମାନଙ୍କ ପରାମର୍ଶ ପ୍ରଦାନ କରିବେ। ଏହି ସୁପାରିସ ଆଧାରରେ ଜଗମୋହନ ଚାଳି ସୁରକ୍ଷା ନେଇ ଏଏସ୍ଆଇ ତାର ରୂପରେଖ ପ୍ରସ୍ତୁତ କରିବ।
କୋର୍ କମିଟି ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ପରୀକ୍ଷଣ ଏବଂ ପ୍ରତିକାର ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରିବ। ସଂପ୍ରତି ନାଟମଣ୍ଡପର ମୁଖ୍ୟ ସ୍ତମ୍ଭଗୁଡିକରେ ଫାଟ ଉପୁଜିଛି । ସ୍ତମ୍ଭର ଉପରେ ଥିବା କଲମଗୁଡିକ ଦୁର୍ବଳ ହୋଇ ପଡିଛି। ମୋଟ 16ଟି ସ୍ତମ୍ଭ ଉପରେ ନାଟମଣ୍ଡପ ଛାତ ରହିଛି । ଏହ ସ୍ତମ୍ଭ ମଧ୍ୟରେ ରହିଛି 4ଟି ମୁଖ୍ୟ ସ୍ତମ୍ଭ । ନାଟମଣ୍ଡପ ଗୁରୁଡ଼ ସ୍ତମ୍ଭ ବାମ କଡ଼ ମୁଖ୍ୟସ୍ତମ୍ଭରେ ଫାଟ ଉପୁଜିଛି । ଏହି ଫାଟଗୁଡିକ ନାଟମଣ୍ଡପକୁ କେତେ ଦୂର ବିପଦ ସୃଷ୍ଟି କରିବ ତାହା ନିଦାନ କରିବାକୁ ଏଏସ୍ଆଇ ମାଡ୍ରାସ ଚେନ୍ନାଇରୁ ଜ୍ଞାନ କୌଶଳ ଆଣିଛି । ଏହି ଜ୍ଞାନ କୌଶଳ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ବାରା ନିୟନ୍ତ୍ରିତ ହେଉଛି । ଏହି ଯନ୍ତ୍ରପାତିଗୁଡିକୁ ନାଟମଣ୍ଡପ ସ୍ତମ୍ଭଗୁଡିକରେ ସ୍ଥାପନ କରାଯାଇଛି ।
ଯନ୍ତ୍ରପାତିଗୁଡିକରେ ରହିଛି କ୍ରାକ୍ ମିଟର, ଟିଲଟିଂ ମିଟର, ଲୋଡ୍ ରିଡିଂ ଆଦି ଯନ୍ତ୍ର। ଚଳିତ ଜ୍ଞାନ କୌଶଳ ବ୍ୟବସ୍ଥାରେ ଏହି ଯନ୍ତ୍ରପାତିଗୁଡିକ ନାଟମଣ୍ଡପରେ ସ୍ଥାପନ କରାଯାଇଛି । ନାଟମଣ୍ଡପ ଛାତ, ସ୍ତମ୍ଭ, କଲମକ୍ୟାପିଟାଲର ଫାଟକୁ ନଜର ରଖିବାକୁ ଫାଟ ମାପକ ଯନ୍ତ୍ର ସ୍ଥାପନ ହୋଇଛି । ତା ବ୍ୟତିତ ଛାତର ଓଜନ ମାପିବାକୁ ଲୋଡ ରେକର୍ଡିଂ ଯନ୍ତ୍ର ଏବଂ କୌଣସି ସ୍ତମ୍ଭ ବଙ୍କେଇ ଯାଉଛି କି ନାହିଁ ତାହାର ନିଦାନ କରିବାକୁ ଟିଲଟିଂ ରେକର୍ଡିଂ ଯନ୍ତ୍ର ସ୍ଥାପନ ନାଟମଣ୍ଡପରେ ସ୍ଥାପନ ହୋଇଛି । ଏଡୁରାଇଟ୍ ନାମକ ଏକ ସଂସ୍ଥା ଯୋଗାଇଥିବା ଏହି ଯନ୍ତ୍ରପାତି ତଥା ନୂତନ ଜ୍ଞାନ କୌଶଳ ଅବଲମ୍ବନରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତିର ରୂପ ରେଖ ନିର୍ଦ୍ଧ।ରଣ ହୋଇ ପାରିବ ବୋଲି ଆଶା କରାଯାଉଛି।