ଭୁବନେଶ୍ୱର, ୧୭/୧୨ : ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ଆଠଟା । ପୋଖରୀପୁଟର ମଧୁସୂଦନ ପାର୍କ । ଖରା-ଛାଇକୁ ଟିକେ ଟିକେ ଥଣ୍ଡା ହାୱା । ପାର୍କର ସିମେଣ୍ଟ ବେଞ୍ଚରେ ବସିଥିଲେ ପ୍ରେମୀଯୁଗଳ । ଥୟ ହେଉ ନଥାନ୍ତି । ପ୍ରତି ୩/୪ ମିନିଟରେ ବସିବାର ମୁଦ୍ରା ବଦଳୁଥାଏ । ବେଞ୍ଚ ପାଖ ଚଲାପଥରେ ୭ ରୁ ୭୦... ଭିନ୍ନ ଭିନ୍ନ ବୟସର ଲୋକମାନେ ଯାଉଥାନ୍ତି, ଦୌଡ଼ୁଥାନ୍ତି । କିନ୍ତୁ ପ୍ରେମୀଙ୍କ ଖାତିର ନଥିଲା । ଅଚାନକ ଜଣେ ଯୁବକ ସେମାନଙ୍କ ପାଖରେ ଅଟକି ଧମକ ଭଙ୍ଗୀରେ ପଚାରିଥିଲେ, ଏଠି କ’ଣ କରୁଛ? ଚାହୁଁ ଚାହୁଁ ଜଣଙ୍କ ପରେ ଜଣେ ପୁରୁଷ ଓ ମହିଳା ପଥଚାରୀ ଅଟକିଗଲେ । କିଏ କହିଲା...ଆରେ ଓୟୋ ଯାଉନ । ଆଉ କିଏ କହିଲା... ତୁମର କ’ଣ ଘରେ କେହି ନାହାନ୍ତି କି?...ପୁଲିସକୁ ଡାକିବୁ କି? ଅଚାନକ ପ୍ରେମିକାଟି କହିଲା...ବେଶୀ ଗାଳି ଦେବ ତ ବ୍ୟାଗରୁ ବିଷ କାଢ଼ି ଖାଇଦେବି । ବାସ୍‌ ଅଧେ ଲୋକ ସେଠାରୁ ଉଡ଼ନ୍‌ ଛୁ’ ।

କିଛି ସମୟ ମଧ୍ୟରେ ଅନ୍ୟମାନେ ବି ନିଜ ବାଟ ଧରିଲେ, ଯିବା ବେଳେ କହିଗଲେ...ବାସ୍‌ ବେଟା...ଲଗେ ରହୋ । ପ୍ରେମିକ ବି ଜବାବ ଦେଲା... ତୁମେ ଚାଲିବାକୁ ଟ୍ୟାକ୍ସ ଦେଉଛ..ଆମେ ବି ବସିବାକୁ ଟ୍ୟାକ୍ସ ଦେଉଛୁ...ଅସୁବିଧା କେଉଁଠି? ପ୍ରେମ କଲେ ସିନା ଜାଣିବ କଷ୍ଟ... । ଘଟଣାଟି ମୂଳରୁ ଶେଷ ଦେଖୁଥିବା ସାମ୍ବାଦିକ ମହାଶୟ ଏଥର ଆଗକୁ ଗୋଡ଼ ବଢ଼ାଇ ଭାବୁଥିଲେ.... ଠିକ୍‌ କଥା...ଆମେ ତ ପ୍ରେମ କରିନୁ... । ପାର୍କରେ ଏ ହେଲା ନିତିଦିନିଆ ଦୃଶ୍ୟ । ସିକ୍ୟୁରିଟି ଗାର୍ଡ ନାହାନ୍ତି ଯେ ତାହା ନୁହେଁ । ସେମାନେ କେବଳ ନିଜ ମୋବାଇଲ ଫୋନରେ ବ୍ୟସ୍ତ ଏବଂ ୧୧ ବାଜିଲେ ହୁଇସିଲ ମାରିବାକୁ ଆଗଭର ।