ହରିଚନ୍ଦନପୁର, ୦୪/୦୭: ଦୈତାରୀ ଥାନା ବଳିପର୍ବତ ହୁର୍ଲ୍ଲାବାହାଳି ସାହିରେ ଗୁଣିଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିକୁ ହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ମୃତ ଦମ୍ପତି ଦ୍ୱୟ ହେଲେ ସେହି ହୁର୍ଲ୍ଲାବାହାଳି ସାହିର ଖଗେଶ୍ୱର ସୋରେନ (୩୯) ଏବଂ ଟୁନି ସୋରେନ (୩୫) । ଏନେଇ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

ମିଳିଥିବା ସୂଚନାନୁସାରେ, ବଳିପର୍ବତ ହୁର୍ଲ୍ଲାବାହାଳି ସାହିର ଏହି ଦମ୍ପତି ଜୁନ ମାସ ୨୫ ତାରିଖରୁ ନିଖୋଜ ଥିଲେ । ତାଙ୍କ ପରିବାରବର୍ଗ ଚାରିଆଡ଼େ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଶୁକ୍ରାବର ସାହିର ଏକ କୂଅରୁ ଉଭୟ ଦମ୍ପତିଙ୍କ ଗଳିତ ମୃତଦେହ ଦେଖିବାକୁ ମିଳିଥିଲା । ଏ ନେଇ ମୃତ ଦମ୍ପତିଙ୍କ ପରିବାର ତରଫରୁ ଦୈତାରୀ ଥାନାରେ ଲିଖିତ ଭାବେ ଅବଗତ କରାଇବା ପରେ ଥାନାଧିକାରୀ ହୃଷିକେଶ ବେହେରା ପୁଲିସ ଟିମକୁ ନେଇ ହୁର୍ଲ୍ଲାବାହାଳି ସାହିରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ :-  Accident Breaking: ଗଛକୁ ପିଟିଲା ଯାତ୍ରୀବାହୀ ବସ୍, ୭ ଆହତ, ଜଣେ ଗୁରୁତର

ପ୍ରାଥମିକ ତଦନ୍ତରୁ ପୁଲିସକୁ ଦମ୍ପତିଙ୍କ ସମ୍ପର୍କରେ କିଛିଟା ସୁରାକ ମିଳିଥିଲା, ଉଭୟ ଦମ୍ପତିଙ୍କୁ ପୂର୍ବରୁ ସାହିବାସୀ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ । ତେଣୁ ଏହାକୁ ଆଧାର କରି ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ସେହି ସାହିର ଶିବ ମୁଣ୍ଡା (୩୦), ରେଙ୍ଗା ବାଣ୍ଡ୍ରା (୨୯), ପଞ୍ଚା ହାସଦାଃ (୪୯), ଅନୁପ ହେମ୍ବ୍ରମ (୩୮), ଅନ୍ତୁସ ଟପ୍ନୋ (୨୯) ଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ ଦମ୍ପତିଙ୍କ ଗଳିତ ଶବକୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଯାଇଛି ।