ବଢୁଛି ‘ମୋଦି ଶାଢ଼ି’ର ଡିମାଣ୍ଡ

source:teekhimirchi.in
ସୁରଟ,୧୪ ।୨(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବ୍ୟବସାୟୀମାନଙ୍କ ପାଇଁ ସବୁଠାରୁ ଭଲ ବ୍ରାଣ୍ଡ ଭାବେ ଉଭା ହୋଇଛନ୍ତି । ତେଣୁ ଅନେକ ବ୍ୟବସାୟୀ ନିଜର କାରବାର ବୃଦ୍ଧି କରିବାକୁ ଏବେ ମୋଦିଙ୍କ ନାମ କିମ୍ବା ଫଟୋ ଖଚିତ ସାମଗ୍ରୀ ବିକ୍ରି କରୁଛନ୍ତି । ପୂର୍ବରୁ ମୋଦିଙ୍କ ଫଟୋ ଥିବା ଟି-ସାର୍ଟ, ମଗ୍ ଆଦି ବିକ୍ରି ହେଉଥିଲା । ଏବେ ମୋଦିଙ୍କ ଫଟୋ ଥିବା ଶାଢ଼ି ବଜାରକୁ ଆସିଛି । ଏହାକୁ ‘ମୋଦି ଶାଢ଼ି’ ବୋଲି କୁହାଯାଉଛି । ଗୁଜରାଟର ସୁରଟରେ ଏଭଳି ଶାଢ଼ି ବିକ୍ରି ଆରମ୍ଭ ହୋଇଛି । କିନ୍ତୁ ମାତ୍ର କିଛି ଦିନ ଭିତରେ ପୂରା ଗୁଜରାଟରେ ଏହି ଶାଢ଼ିର ଲୋକପ୍ରିୟତା ଯଥେଷ୍ଟ ବଢ଼ିଯାଇଛି । ଅଧିକାଂଶ ମହିଳାମାନଙ୍କ ପାଇଁ ଏହା ପ୍ରଥମ ପସନ୍ଦ ପାଲଟିଯାଇଛି । ତେଣୁ ଦୋକାନୀମାନେ ବି ଏ ପ୍ରକାର ଶାଢ଼ି ବହୁଳ ଭାବେ ଠୁଳ କରୁଛନ୍ତି । ସୁରଟର ଜଣେ ବ୍ୟବସାୟୀ କହିଛନ୍ତି କି ବର୍ତ୍ତମାନ ମୋଦିଙ୍କ ଫଟୋ ଥିବା ୪ ପ୍ରକାର ଶାଢ଼ି ବଜାରରେ ଉପଲବ୍ଧ ହେଉଛି । ଆଉ ଏହି ବ୍ରାଣ୍ଡ ଭଲ ବିକ୍ରି ବି ହେଉଛି । ତେଣୁ ସେମାନେ ଅଧିକ ମାତ୍ରାରେ ଏଭଳି ଶାଢ଼ି ପାଇଁ ଅର୍ଡର ଦେଉଛନ୍ତି । ଗତ ବର୍ଷ ଦୀପାବଳି ଅବସରରେ ଗୁଜରାଟରେ କିଛି ସୁନା ଦୋକାନୀ ମୋଦିଙ୍କ ଫଟୋ ଥିବା ସୁନାବାର( ସୁନା ଦଣ୍ଡ) ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ । ତା’ପୂର୍ବରୁ ମୋଦିଙ୍କ ଫଟୋ ଥିବା ଟି-ସାର୍ଟ ବି ବଜାରକୁ ଆସିଥିଲା । ନିକଟରେ ହାଇଦ୍ରାବାଦରେ ଜଣେ ମୋଦି ସମର୍ଥକ ନିଜ ପୁଅର ବିବାହ ନିମନ୍ତ୍ରଣ କାର୍ଡରେ ନବଦମ୍ପତିଙ୍କୁ ଉପହାର ଦେବା ବଦଳରେ ଆସନ୍ତା ନିର୍ବାଚନରେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଇବା ପାଇଁ ଭୋଟ ଦେବାକୁ ନିବେଦନ କରିଥିଲେ । ଏ ପ୍ରକାର ପଦକ୍ଷେପ ବିଜେପି ପାଇଁ ଫାଇଦାଦାୟକ ସାବ୍ୟସ୍ତ ହେଉଛି । କାରଣ ଏହା ବିଜେପି ସପକ୍ଷରେ ଏକପ୍ରକାର ପ୍ରଚାର ଭଳି କାମ ଦେଉଛି ।