ଭୁନେଶ୍ୱର ୧୦/୦୫: ବାଲିଅନ୍ତା ଭିଡ଼ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକାୟା ପ୍ରକାଶ ପାଇଛି। ଏହା ଭିତରେ କ୍ରାଇମବ୍ରାଞ୍ଚ ସୌମ୍ୟ ହତ୍ୟା ମାମଲା ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ସରଜମିନ୍ ତଦନ୍ତ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାରେ ବାଲିଅନ୍ତା ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ଦାୟିତ୍ବ ନେବା ପରେ କ୍ରାଇମବ୍ରାଞ୍ଚ ଏସ୍ ପିଙ୍କ ନେତୃତ୍ବରେ ବାଲିଅନ୍ତା ଥାନାରେ ଟିମ୍ ପହଞ୍ଚିଛି। ତଥ୍ୟ ଓ ସତ୍ୟ ଆଧାରରେ ତଦନ୍ତ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏସ୍ପି ଅନିରୁଦ୍ଧ ରାଉତରାୟ। । ତେବେ ଏବେ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି। ଭାଇରାଲ୍ ଭିଡିଓ ଫୁଟେଜ୍‌ରେ ୪୧ ଜଣଙ୍କୁ ପୁଲିସ ଚିହ୍ନଟ କରିଛି । ସେମାନଙ୍କୁ ଧରିବାକୁ ବିଭିନ୍ନ ଆଡେ ଚଢ଼ଉ କରିଛି । ଗିରଫଦାରୀ ଭୟରେ ଆଖପାଖ ୫ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଆଜି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ଯାହା ତଦନ୍ତ ପାଇଁ ସହାୟକ ହେବ।'

 

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ବି ଗଙ୍ଗାଧର। ତଦନ୍ତ ପାଇଁ ୧୦ ଅଫିସର୍ଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି। ୧୦ ଅଫିସର୍ଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି। ତଦନ୍ତରେ ସାଇଣ୍ଟିଫିକ, ସାଇବର ଟିମ୍ ଓ ଡଗ୍ ସ୍କ୍ବାଡ୍ ସାମିଲ କରାଯାଇଛି। ଦୁଷ୍କର୍ମ, ହତ୍ୟା ଓ ପୁଲିର ଅବହେଳାକୁ ନେଇ ତଦନ୍ତ କରାଯିବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି।

ସୂଚନାଯୋଗ୍ୟ, ଗତ ୭ ତାରିଖ (ଗୁରୁବାର) ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ସଡ଼କ ଦୁର୍ଘଟଣାକୁ ନେଇ ଦୁଇ ଯୁବତୀଙ୍କ ସହ ଯୁବକଙ୍କ ପାଟିତୁଣ୍ଡ ଓ ପରେ ଅସଦାଚରଣ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ପୁଲିସ ଆଖି ଆଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ । ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଭିଡ଼ ହତ୍ୟା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏବେ ସୁଦ୍ଧା ପୁଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି । ବାକି ଅଭିଯୁକ୍ତଙ୍କୁ ଖୋଜାଚାଲିଛି । ମୃତ କନଷ୍ଟେବଳ ସୌମ୍ୟଙ୍କ ପରିବାର କମିଶନରେଟ ପୁଲିସର ତଦନ୍ତକୁ ନେଇ ସନ୍ତୁଷ୍ଟ ନଥିଲେ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ଦାବି କରିଥିଲେ ।

ତେଣୁ ଶନିବାର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗଠନ କରିଛନ୍ତି । ଆଜି ଦୁଇଟି ଟିମ୍ ଥାନା ଏବଂ କ୍ରାଇମ୍ ସ୍ପଷ୍ଟକୁ ଯାଞ୍ଚ କରୁଛି।

ଘଟଣା ଦିନ ସୌମ୍ୟଙ୍କୁ ବାଇକ୍‌ରେ ନେଇ ଓମ୍‌ ପ୍ରକାଶ ଭୁବନେଶ୍ୱର ସତ୍ୟବିହାର ଛାଡ଼ିବାକୁ ଯାଇଥିଲେ । ସେଦିନର ସେହି ଅମାନୁଷିକ ଘଟଣା ସଂପର୍କରେ ଓମ୍  ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ତାଙ୍କ କହିବାନୁସାରେ, ସେଦିନ ଉଭୟେ ସୌମ୍ୟ ଓ ଓମ୍ ଭୁବନେଶ୍ୱର ଯାଉଥିଲେ । ହଠାତ ସୌମ୍ୟ କହିଥିଲେ ଘରେ ମନିପର୍ସ ରହିଯାଇଛି । ଫେରି ଆଣିବାକୁ ପଡ଼ିବ । ତେଣୁ ଓମ୍ ବାଇକ୍ ବୁଲାଇଥିଲେ । ରାମଚନ୍ଦ୍ରପୁର କାଜ ନିକଟରେ ହଠାତ୍ ସୌମ୍ୟଙ୍କ ଆଚରଣ ବଦଳି ଯାଇଥିଲା । ସମ୍ଭବତଃ ତାଙ୍କୁ ଫିଡସ୍ (ବାତ) ମାରିଥିଲା । ସେ ଅସ୍ୱାଭାବିକ ବ୍ୟବହାର କରିବା ସହ ପଛପଟରୁ ବାଇକ୍ ଚଳାଉଥିବା ଓମ୍‌ଙ୍କ ବେକକୁ ହଠାତ୍ ମାଡ଼ି ବସିଥିଲେ । ଫଳରେ ବାଇକ୍ ଭାରସାମ୍ୟ ହରାଇଥିଲା । ରାସ୍ତାରେ ଯାଉଥିବା ଯୁବତୀଙ୍କ ସ୍କୁଟି ସହ ଗାଡ଼ି ପିଟି ହୋଇଯାଇଥିଲା । ସମସ୍ତେ ରାସ୍ତାରେ ପଡ଼ିଯିବା ପରେ ସୌମ୍ୟ ହଠାତ୍ ଯୁବତୀମାନଙ୍କୁ ଆକ୍ରମଣ କରିଥିଲେ ।

ଏମିତିକି ଓମ୍‌ଙ୍କ ମଧ୍ୟ ଆକ୍ରମଣ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କିଛି ଲୋକେ ଦୌଡ଼ିଆସି ସୌମ୍ୟଙ୍କୁ ମାରିବାକୁ ଆରମ୍ଭ କଲେ । ନିକଟରେ ଏକ ବିଲ ଭିତରକୁ ତାଙ୍କୁ ଠେଲି ଦିଆଯାଇଥିଲା । ସେଠାରେ ଗୋଡ଼ହାତ ବାନ୍ଧି ତାଙ୍କୁ ବାଉଁଶରେ ଲୋକେ ପିଟି ଚାଲିଥିଲେ । ସେଠାରେ ପ୍ରାୟ ୭୦/୮୦ ଲୋକ ଥିଲେ, କିନ୍ତୁ ୧୦/୧୨ଜଣ ଅତି ନିର୍ମମ ଭାବେ ସୌମ୍ୟଙ୍କୁ ମାରି ଚାଲିଥିଲେ । ଏମିତିକି ଓମ୍‌ଙ୍କୁ ମଧ୍ୟ କିଛି ଲୋକ ବାଡ଼େଇବା ଆରମ୍ଭ କରିଥିଲେ । ଏହି ସମୟରେ ସେଠାରେ ଥିବା ଗଙ୍ଗେଶ୍ୱର ଅଞ୍ଚଳର କିଛି ଲୋକ ଓମ୍‌ଙ୍କର କିଛି ଭୁଲ୍ ନଥିବା କହିଥିଲେ । ଫଳରେ ଓମ୍ ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ଯାଇଥିଲେ । କିଛି ସମୟ ଭିତରେ ସେଠାରେ ଥାନା ପିସିଆର୍ ପହଞ୍ଚିଥିଲା । ଗାଡ଼ିରେ ଜଣେ ସାଦା ପୋଷାକଧାରୀ ସବ୍ଇନ୍ସପେକ୍ଟର ଥିଲେ । ସେ କିଛି ନବୁଝି ସିଧାସଳଖ ସୌମ୍ୟଙ୍କୁ ମାରିଥିଲେ । ଏମିତିକି ତାଙ୍କ ଉପରେ ଚଢ଼ି ଯାଇଥିଲେ । ୟୁନିଫର୍ମରେ ଥିବା ପୁଲିସ କର୍ମଚାରୀମାନେ ପଛରେ ଛିଡ଼ା ହୋଇରହିଥିଲେ । ଜଣେ ବ୍ୟକ୍ତିଙ୍କୁ ଲୋକମାନେ ମିଶି ମାରୁଥିବା ବେଳେ ସେଠାରେ ପୁଲିସ ତାଙ୍କୁ ଉଦ୍ଧାର ନକରି ଡାଏରୀ ଧରି ଲେଖାଲେଖି କରିବାକୁ ନେଇ ଓମ୍ପ୍ରକାଶ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପକ୍ଷରେ ଘଟଣା ସହ ଜଡ଼ିତ ଯୁବତୀଙ୍କ ଅଭିଯୋଗକୁ ମଧ୍ୟ ଓମ୍ପ୍ରକାଶ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଯୁବତୀ ଜଣକ ମିଛ କହୁଛନ୍ତି । ସୌମ୍ୟ କୌଣସି ପ୍ରକାର ମନ୍ଦ ଉଦ୍ଦେଶ୍ୟ ରଖିନଥିଲେ । ବରଂ ମାନସିକ ଭାରସାମ୍ୟ ହରାଇ ବସି ତାଙ୍କୁ ମାର୍ପିଟ୍ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବଳାତ୍କାର ଉଦ୍ୟମ କରିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ଓମ୍ ପ୍ରକାଶ କରିଛନ୍ତି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୁଲିସର କାର୍ଯ୍ୟଶୈଳୀ, ପୀଡ଼ିତା ଯୁବତୀଙ୍କ ବୟାନ ଓ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍‌ଙ୍କ ପ୍ରତିକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଠିକ୍ ତଦନ୍ତ ହେବା ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ରହସ୍ୟ ଉପରୁ ପର୍ଦ୍ଦା ଉଠିବ ବୋଲି ଆଶା କରାଯାଉଛି ।