ବୌଦ୍ଧ, ୭।୧ : ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଓଲଟିଲା ବରଯାତ୍ରୀ ବସ୍। ଭାରସାମ୍ୟ ହରାଇ ବୁଲାଣିରେ ଘାଟି ତଳକୁ ଖସିପଡ଼ିଛି ବସ୍। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ଅନେକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳିନି। ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ହସ୍ପିଟାଲରେ ଅଗ୍ନିଶମ ବାହିନୀ ଭର୍ତ୍ତି କରିଛି ।

ବୌଦ୍ଧ ଜିଲ୍ଲା ପୁରୁଣାକଟକରୁ ବରଯାତ୍ରୀ ନେଇ ଏକ ଘରୋଇ ବସ୍ କନ୍ଧମାଳ ଜିଲ୍ଲା ଦଡ଼କି ଅଞ୍ଚଳକୁ ଯାଇଥିଲା। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ବସଟି ଫେରିବା ବେଳେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ଖବର ପାଇ ଘଟଣାସ୍ଥଳରେ ସୁଡ଼ୁରୁକୁମ୍ପା ପୋଲିସ ଏବଂ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଆହତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣା କଟକ ମେଡିକାଲ ନିଆଯାଇଥିବା ବେଳେ ଅନେକଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

​​​​​​​ଆହୁରି ପଢନ୍ତୁ : ଜୟଦେବ ବିହାରରୁ ନନ୍ଦନକାନନ ହେବ ୮ ଲେନ ରାସ୍ତା, ୨ ବର୍ଷରେ ଶେଷ ହେବ କାମ