ବ୍ରହ୍ମପୁର,୨୯/୦୭: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ  ମାମଲାର ୪୩ ଦିନରେ କ୍ରାଇମ୍‌ବ୍ରାଞ୍ଚ୍‌ ଚାର୍ଜସିଟ୍‌ ଦାଖଲ କରିଛି । ୫୭୪ ପୃଷ୍ଠାର ଚାର୍ଜସିଟ୍‌ରେ ୯  ଜଣଙ୍କୁ ସାବାଳକ ଅଭିଯୁକ୍ତ ଦର୍ଶାଯାଇଛି । ଜଣେ ଅଭିଯୁକ୍ତକୁ ଏଥିରୁ ବାଦ୍‌ ଦିଆଯାଇଛି । କେଉଁ  କାରଣ ପାଇଁ ଜଣେ ସାବାଳକ ଅଭିଯୁକ୍ତର ନାଁକୁ ହଟାଇ ଦିଆଗଲା କ୍ରାଇମ୍‌ବ୍ରାଞ୍ଚ ମୁହଁ ଖୋଲୁନାହିଁ । 

କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ୱତନ୍ତ୍ର ଟିମ୍‌ ସୋମବାର  ବ୍ରହ୍ମପୁର ସିଏସ୍‌ଆଇ (ସବ୍‌ଇନ୍ସପେକ୍ଟର ଅଫ୍‌  କୋର୍ଟ) ଅଫିସରେ ପହଞ୍ଚିଥିଲେ । ସିଏସ୍‌ଆଇଙ୍କ ଜରିଆରେ କ୍ରାଇମ୍‌ବ୍ରାଞ୍ଚ୍‌ ବ୍ରହ୍ମପୁର ଜେଏମ୍‌ଏଫ୍‌ସି  (ଗ୍ରାମାଞ୍ଚଳ) କୋର୍ଟରେ ଚାର୍ଜସିଟ୍‌ ଦାଖଲ  କରିଛନ୍ତି । ଆଗକୁ ମାମଲାରେ ଚାର୍ଜଫ୍ରେମ୍‌ ହେବ ଏବଂ ଶୀଘ୍ର ଶୁଣାଣି ଆରମ୍ଭ ହେବ । ଚାର୍ଜସିଟ୍‌ରେ ମୋଟ ୫୩ ଜଣଙ୍କୁ ସାକ୍ଷୀ ରଖାଯାଇଛି । ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ବିଭିନ୍ନ ସାମଗ୍ରୀ ଏବଂ ବିଭିନ୍ନ ନମୁନାର ସାଇଣ୍ଟିଫିକ୍‌ ରିପୋର୍ଟ ମଧ୍ୟ ଏଥିରେ ସଂଲଗ୍ନ କରାଯାଇଛି ।  

କ୍ରାଇମବ୍ରାଞ୍ଚ୍‌ ଏହି ମାମଲାରେ ୪ ଜଣ  ନାବାଳକ ସମେତ ୧୦ ଜଣଙ୍କୁ ଅଭିଯୁକ୍ତ  ଦର୍ଶାଇଥିଲା । ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ନାୟକ, ବାବୁରାଓ ଦଳାଇ,  କୁନାଲ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଓ ଦୀପକ ତରାଇଙ୍କୁ କୋର୍ଟ  ଚାଲାଣ କରାଯାଇଥିଲା। ୪ଜଣ ନାବାଳକଙ୍କୁ ଜେଜେବି (ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ) ରେ ହାଜର କରିଥିଲା । 

ସୂଚନା ଅନୁଯାୟୀ,  ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲରେ ପ୍ରଥମେ ପୁଲିସ ପ୍ରାଥମିକ ତଦନ୍ତ କରୁଥିଲି। ପରେ ମାମଲାର ଗୁରୁତ୍ବ ଦେଖିରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚ୍‌କୁ ହସ୍ତାନ୍ତର କରିଥିଲେ । ଏହି ମାମଲା ୪ ଜଣ  ନାବାଳକ ସମେତ ୧୦ ଜଣଙ୍କୁ ଅଭିଯୁକ୍ତ ଗିରଫ ହୋଇଥିଲେ। କିନ୍ତୁ  ଚାର୍ଜସିଟ୍‌ରେ ଜଣେ ସାବାଳକ  ଅଭିଯୁକ୍ତଙ୍କୁ ବାଦ୍‌ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କ୍ରାଇମ୍‌ବ୍ରାଞ୍ଚ ମୁହଁ ଖୋଲୁନଥିବା  ବେଳେ କାହାକୁ ଓ କାହିଁକି ବାଦ୍‌ ଦିଆଯାଇଛି  ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।  

ସୂଚନାଯୋଗ୍ୟ, ଗତ ଜୁନ୍‌ ୧୫ ତାରିଖରେ  ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି  ବୁଲିବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଯୁବତୀ (+୩ ଛାତ୍ରୀ) ଓ ତାଙ୍କ  ପୁରୁଷବନ୍ଧୁ ଘଟଣାଦିନ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ  ପାନ୍ଥନିବାସ ପଛ ନିର୍ଜନ ସ୍ଥାନରେ ବସିଥିଲେ ।  ରାତି ପ୍ରାୟ ୮ଟାରେ ଅଭିଯୁକ୍ତମାନେ ଆସି  ଯୁବତୀ ଓ ତାଙ୍କ ପୁରୁଷବନ୍ଧୁଙ୍କ ଭିଡିଓ କରି  ଘରଲୋକଙ୍କୁ ପଠାଇଦେବେ କହି ବ୍ଲାକ୍‌ମେଲିଂ  କଲେ ଏବଂ ପୁରୁଷବନ୍ଧୁଙ୍କୁ ମାଡ଼ ମାରି  ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ରାତି ୧୧ଟାରେ  ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁ ଗୋପାଳପୁର  ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।