ଝାରସୁଗୁଡ଼ା, ୩୦/୦୫ : ଅପରାଧୀ ସାବଧାନ୍ ! ଆକ୍ସନ୍ ମୁଡ୍ ରେ ପୁଲିସ। ବ୍ରହ୍ମପୁର, ଭୁବନେଶ୍ଵର ପରେ ଝାରସୁଗୁଡ଼ାରେ ଗର୍ଜିଲା ପୁଲିସ ବନ୍ଧୁକ। ଶନିବାର ସକାଳେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ପୁଣି ଏନକାଉଣ୍ଟର ହୋଇଛି। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ତାର ସହଯୋଗୀଙ୍କ ସହ ମିଶି ରେଙ୍ଗାଳି ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସର ଏକ ସ୍ପେଶାଲ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେବା ସହ ପୁଲିସ ବାହିନୀ ଉପରକୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ। ଆତ୍ମରକ୍ଷା ସହ ଅପରାଧୀକୁ କାବୁ କରିବା ପାଇଁ ପୁଲିସ ମଧ୍ୟ ଜବାବି ଗୁଳି ଚାଳନା କରିଥିଲା। ଏହି ଗୁଳି ବିନିମୟ ସମୟରେ ଏକ ଗୁଳି ଜୟ ଚୌହାନର ଡାହାଣ ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ଟଳି ପଡ଼ିଥିଲା। ତେବେ ଜୟର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଆହତ ଜୟ ଚୌହାନ ଜଣେ ପେସାଦାର ଅପରାଧୀ। ତାର ନାମରେ ପୂର୍ବରୁ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଏବଂ ଆର୍ମସ ଆକ୍ଟ ସମେତ ୧୦ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି।
ଘଟଣା ସମ୍ପର୍କରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇ କହିଛନ୍ତି ଯେ, ଗୁପ୍ତ ସୂଚନା ଆଧାରରେ ପୁଲିସ ଅଭିଯାନ ଚଳାଇଥିଲା। ଅଭିଯାନ ସମୟରେ ଅପରାଧୀମାନଙ୍କ ପକ୍ଷରୁ ପ୍ରତିରୋଧ ହେବାରୁ ଗୁଳି ବିନିମୟ ଘଟିଥିଲା। ଜୟ ଚୌହାନ ଆହତ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି।..
ଆହୁରି ପଢନ୍ତୁ- ଏନ୍କାଉଣ୍ଟରର କାହାଣୀ...ଅନ୍ଧାରରେ ଗୋଡ଼କୁ ଖୋଜି ଖୋଜି ହିଟ୍ କରୁଛି ଗୁଳି! ସନ୍ଦେହରେ ପୁଲିସ ଅଫିସରଙ୍କ ଫାୟାରିଂ ଦକ୍ଷତା
ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦ ଜଣ ଅପରାଧୀଙ୍କୁ ଗୁଳି ବାଜିଲାଣି । କେବଳ ମେ’ ମାସରେ ହୋଇଛି ୮ ଘଟଣା (ବ୍ରହ୍ମପୁରରେ ୪, ସମ୍ବଲପୁରରେ ୨ ଏବଂ ଝାରସୁଗୁଡ଼ାରେ ୨) ଘଟିଛି । ଫେବ୍ରୁଆରୀରେ କେନ୍ଦୁଝର ଓ ପିପିଲି ଏବଂ ମାର୍ଚ୍ଚରେ ସମ୍ବଲପୁରରେ ହୋଇଛି ।..
ହୋଲ୍ଡିଂ ସେଣ୍ଟର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ, କଣ ରହିଛି କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍