ଭୁବନେଶ୍ୱର, ୨୮/୦୫: ୨୬ ମଇ ରାତି ଅଧ । ଭୁବନେଶ୍ୱର ଉପକଣ୍ଠ ଅରିଶଲ ଛକରେ ଡ୍ରଗ୍ସ ନେଇ ଯାଉଥିଲା ପପୁନ ମାଝୀ ନାମକ ପେସାଦାର ଅପରାଧୀ । କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ ଅଟକାଇବାରୁ ସେ ଗୁଳିମାଡ଼ କରିଥିଲା । ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା । ପପୁନର ଗୋଡ଼ରେ ଗୁଳି ବାଜିଲା । ସେ ଏବେ ଡାକ୍ତରଖାନାରେ । ଗଣମାଧ୍ୟମ ଭାଷାରେ ପୁଲିସ କଲା ‘ଏନ୍କାଉଣ୍ଟର’ ।
ଛଅ ମାସରେ ୬ ଜିଲ୍ଲାରେ ୧୦ ଅପରାଧୀ ଖାଇଲେଣି ଗୁଳ
୨୫ ମଇ ଭୋର୍ ଏବଂ ରାତି ୧୨ ମଧ୍ୟରେ ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ ଭିନ୍ନ ଭିନ୍ନ ଘଟଣାରେ ୩ ଜଣ ଅପରାଧୀଙ୍କୁ ହୋଇଥିଲା ଏନକାଉଣ୍ଟର । ଜଣେ ଅପରାଧୀ ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଲା । ଅପରାଧୀ ଜଗନ୍ନାଥ ସାହୁ ଓରଫ ଜଗାର ଦୁଇ ଆଣ୍ଠୁରେ ଗୁଳି ବାଜିଲା । ଅନ୍ୟ ଏକ ଘଟଣାରେ ପୁଲିସ ରାଜସ୍ଥାନରୁ ଚାରି ଜଣ ଫେରାର ହତ୍ୟା ଅଭିଯୁକ୍ତଙ୍କୁ ଧରି ଆଣିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ବ୍ରହ୍ମପୁରର ଅଙ୍କୁଶପୁର ନିକଟରେ ପୁଲିସକୁ ଆକ୍ରମଣ କରି ଚମ୍ପଟ ମାରିବାକୁ ଉଦ୍ୟମ କଲେ । ପୁଲିସ ଗୁଳି ଚଳାଇଲା । ଗୋଡ଼ରେ ବାଜିଲା ଗୁଳି । ଗଣମାଧ୍ୟମ କହିଲା ଦିନକରେ ପୁଲିସର ୩ ଏନ୍କାଉଣ୍ଟର ।
୧୬ ଡିସେମ୍ବର ୨୦୨୫ । ଭଦ୍ରକର ଚରମ୍ପା ନିକଟରେ ବୁଦ୍ଧିଆ ନାମକ ଅପରାଧୀ ବାଇକରେ ଯାଉଥିବା ଖବର ମିଳିଲା । ୬ ଜଣିଆ ପୁଲିସ ଟିମ୍ ପିଛା କରି ପହଞ୍ଚିଲେ । ବୁଦ୍ଧିଆ ଫାୟାରିଂ କରିବାରୁ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଲା । ବୁଦ୍ଧିଆ ଗୋଡ଼ରେ ଗୁଳି ବାଜିଲା । ନମ୍ବରବିହୀନ ବାଇକରେ ତା’ର ସହଯୋଗୀ ଫେରାର ହୋଇଗଲା । ଏସବୁ ଓଡ଼ିଶା ପୁଲିସର ସାହସିକତାର କିଛି ଉଦାହରଣ! ଅବଶ୍ୟ ଆତ୍ମରକ୍ଷା ପାଇଁ ଏସବୁ ଏନ୍କାଉଣ୍ଟର ହୋଇଥିବା ପୁଲିସର ସୂଚନା । ହୋଇଥିବ ବି ନିଶ୍ଚିତ । ଅପରାଧୀଙ୍କୁ କ’ଣ ଭରସା କରିହେବ?
କିନ୍ତୁ ବିଗତ ଦଶନ୍ଧି ମଧ୍ୟରେ ହୋଇଥିବା ଏଭଳି ଅନେକ ଏନ୍କାଉଣ୍ଟରରେ ଅନେକ ସାମଞ୍ଜସ୍ୟ ମିଳେ । ତାହା ହେଲା ଅନ୍ଧାର ରାତିରେ ଗୁଳି ଆଉ ଗୋଡ଼ର ପ୍ରେମ । ପ୍ରତି ଘଟଣା କେବଳ ଅନ୍ଧାର ଅଧରାତି କିମ୍ବା ବଡି ଭୋର୍ ସମୟର ଦୃଶ୍ୟ । ଆଉ ଗୁଳି ସିଧା ଗୋଡ଼ରେ ବାଜିଥାଏ । ଆଣ୍ଠୁ ଉପରକୁ, ନଚେତ ଟିକେ ତଳକୁ । ତାହା ପୁଣି ବାମ ଗୋଡ଼ । ଏପର୍ଯ୍ୟନ୍ତ ଯେତେ ଏନ୍କାଉଣ୍ଟର ହୋଇଛି ୮୦ ପ୍ରତିଶତ ବାମ ଗୋଡ଼କୁ ଗୁଳି । କାଁ ଭାଁ ଡାହାଣ ଗୋଡ଼ରେ ଗୁଳି ଭେଦିଛି ।
ଏସବୁରୁ ସ୍ପଷ୍ଟ ‘ଏନ୍କା ଉଣ୍ଟର’ର ଅର୍ଥ ଅନ୍ଧାରରେ ଗୁଳି ଆଉ ଗୋଡ଼ର ପ୍ରେମ । ଅବଶ୍ୟ ଏଭଳି ଚିରାଚରିତ ଗୁଳି ଓ ଗୋଡ଼ ପ୍ରେମରୁ କେତେକ ଏନ୍କାଉଣ୍ଟର ବିଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି । ୨୦୧୮ ମସିହା ଡିସେମ୍ବରରେ ଭଞ୍ଜନଗର ଅଞ୍ଚଳରେ ଅପରାଧୀ ବାବୁ ନାୟକର ଗୋଡ଼, ହାତ ଓ ଦେହରେ ଗୁଳି ବାଜିଥିଲା । ଅତ୍ୟଧିକ ରକ୍ତକ୍ଷୟ ଯୋଗୁ ମୃତ୍ୟୁ ହୋଇଥିଲା । ସେହିପରି ଗଞ୍ଜାମ ପୁଲିସ ଦ୍ୱାରା ଏନ୍କାଉଣ୍ଟର ହୋଇଥିବା ଲମ୍ବୁ ତାରିଣୀ ଓ ବ୍ରହ୍ମପୁର ପୁଲିସ ଦ୍ୱାରା ଏନ୍କାଉଣ୍ଟର ହୋଇଥିବା ଅଷ୍ଟ ମଣ୍ଡଳର ଗୋଡ଼ କଟାଯାଇଛି । ଏବେ ରାଜ୍ୟ ପୁଲିସରେ ‘ଏନ୍କାଉଣ୍ଟର ସ୍ପେଶାଲିଷ୍ଟ’ର ପରିଚିତି ପାଇଥିବା ଦୁଇ ଜଣ ଅଫିସର ଅତୀତରେ ନିର୍ଦ୍ଦିଷ୍ଟ ଭାବେ ଅପରାଧୀର ଆଣ୍ଠୁକୁ ଜଖମ କରିଥିବା ନଜିର ରହିଛି । ଅବଶ୍ୟ ୨୦୨୧ ଜୁଲାଇରେ ହୋଇଥିବା ଏକ ଏନ୍କାଉଣ୍ଟର ଓଡ଼ିଶା ପୁଲିସ ଇତିହାସରେ ବିରଳ । କୁଖ୍ୟାତ ଗ୍ୟାଙ୍ଗ୍ଙ୍କର ହାଇଦରକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସିମୁଳିଆ ନିକଟରେ ସେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ପଳାଇବାକୁ ଉଦ୍ୟମ କରିଥିଲା । ପୁଲିସର ଏନ୍କାଉଣ୍ଟରରେ ସେ ନିହତ ହୋଇଥିଲା । ଏହି ଘଟଣା ଦିବାଲୋକରେ ହୋଇଥିଲା ।
ଓଡ଼ିଶା ପୁଲିସ ଅତୀତରେ କାଁ ଭାଁ ଏନ୍କାଉଣ୍ଟର କରୁଥିବା ବେଳେ ୨୦୦୪ରେ ଏହି ସଂଖ୍ୟା ୪ରେ ପହଞ୍ଚିଥିଲା । ୨୦୨୫ରେ କିନ୍ତୁ ଏହି ସଂଖ୍ୟା ବଢ଼ି ଅଚାନକ ୧୯କୁ ଛୁଇଁଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦ ଜଣ ଅପରାଧୀଙ୍କୁ ଗୁଳି ବାଜିଲାଣି । କେବଳ ମେ’ ମାସରେ ହୋଇଛି ୭ ଘଟଣା (ବ୍ରହ୍ମପୁରରେ ୪, ସମ୍ବଲପୁରରେ ୨ ଏବଂ ଝାରସୁଗୁଡ଼ାରେ ଗୋଟିଏ) । ଫେବ୍ରୁଆରୀରେ କେନ୍ଦୁଝର ଓ ପିପିଲି ଏବଂ ମାର୍ଚ୍ଚରେ ସମ୍ବଲପୁରରେ ହୋଇଛି ।
ରେଞ୍ଜ୍ରେ ବୁଲସ୍ ଆଇ ହିଟ୍ କରନ୍ତି କେତେଜଣ
କୌଣସି ପୁଲିସ ଅଫିସରଙ୍କୁ କେବେ କୌଣସି ଲିଖିତ ନିର୍ଦ୍ଦେଶନାମାରେ ‘ଏନ୍କାଉଣ୍ଟର’ ଶବ୍ଦ ଉଲ୍ଲେଖ ନଥାଏ । କିନ୍ତୁ ଧୀରେ ଧୀରେ ପୁଲିସ ଆତ୍ମରକ୍ଷା ଶୈଳୀରେ ଏହାକୁ ଅପରାଧୀଙ୍କ ବିରୋଧରେ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିବା ଏବେ ପରମ୍ପରାରେ ପରିଣତ ହୋଇଗଲାଣି । ଅବଶ୍ୟ ଅନେକ ମାନବାଧିକାର କର୍ମୀ ପ୍ରଶ୍ନ ଉଠାନ୍ତି, ପ୍ରତି ଘଟଣାରେ କେବଳ ଗୋଡ଼ରେ କିପରି ଗୁଳି ବାଜୁଛି? କିପରି
କୌଣସି ପୁଲିସ ଅଫିସର ଗୁରୁତର ଆହତ ହେଉନାହାନ୍ତିଁ? ଇତ୍ୟାଦି ...ଇତ୍ୟାଦି । ଏଭଳି ପ୍ରଶ୍ନରେ ବି ଦମ୍ ରହିଛି । ଆମ ପୁଲିସ ଟିମ୍ର କ’ଣ ଏତେ ସାର୍ପସୁଟର ଅଛନ୍ତି? ଜାତୀୟ କିମ୍ବା ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତାରେ ଆମର କୌଣସି ପୁଲିସ ଅଫିସରଙ୍କୁ ତ କାହିଁ ଦେଖିବାକୁ ମିଳୁନି? ହଁ ଯଦି ଆମେ ଏସଓଜି ଯବାନ କିମ୍ବା ସେହିଭଳି ପ୍ରଶିକ୍ଷଣ ନେଉଥିବା ଅନ୍ୟ ଯବାନଙ୍କ କଥା ଦେଖିବା ସେମାନେ ନିର୍ଦ୍ଦିଷ୍ଟ ଟାର୍ଗେଟରେ ଗୁଳି ବଜାଇଦେବେ ବୋଲି ବିଶ୍ୱାସ ହେବ । କାରଣ ପ୍ରତି କେଇ ମାସ ଅନ୍ତରରେ ସେମାନେ ଫାୟାରିଂ ରେଞ୍ଜରେ ଦକ୍ଷତା ଦେଖାନ୍ତି । କିନ୍ତୁ କମିଶନରେଟ ପୁଲିସ କିମ୍ବା ବିଭିନ୍ନ ଜିଲ୍ଲାର ଥାନାରେ ମୁତୟନ ପୁଲିସ ସୁଟିଂରେ କେତେ ଦକ୍ଷ ତାହା ଜାଣିବା ମୁସ୍କିଲ ।
ଯଦି ନିୟମ ଦେଖିବା, ପୁଲିସ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ପ୍ରତ୍ୟେକ ଅଫିସରଙ୍କୁ ଫାୟାରିଂ ରେଞ୍ଜ୍ରେ ଅନ୍ତତଃ ବର୍ଷକୁ ଥରେ ପାଦ ପକାଇବାକୁ ପଡ଼ିବ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପୁଲିସ ବିଭାଗର ଏପରି ରେଞ୍ଜ ରହିଛି । ଇନକ୍ରିମେଣ୍ଟ ଓ ପଦୋନ୍ନତି ପାଇଁ ଏହା (ଆନୁଆଲ ରେଞ୍ଜ୍ କୋର୍ସ) ବାଧ୍ୟତାମୂଳକ । ଉଦାହରଣ ସ୍ୱରୂପ, କମିଶନରେଟ ପୁଲିସର ଅଫିସରମାନେ ନରାଜ ସ୍ଥିତ ଫାୟାରିଂ ରେଞ୍ଜ୍ ଯାଇଥାନ୍ତି । ସେଠାରେ ସେମାନଙ୍କୁ ପିସ୍ତଲ/ବନ୍ଧୁକରୁ ଗୁଳି ଚଳାଇ ‘ବୁଲସ୍ ଆଇ’ (ଗୁଳି ବାଜୁଥିବା ଗୋଲେଇ ଟାର୍ଗେଟ) ହିଟ୍ କରିବାକୁ ପଡ଼ିବ । କିନ୍ତୁ ଖୋଦ୍ ପୁଲିସ ଅଫିସର କୁହନ୍ତି ଏହା କେବଳ ନାମକୁ ମାତ୍ର । ବରଂ ଏହି ବାହାନାରେ ଭୋଜିଭାତ ପାଇଁ ଫୁରସତ ମିଳିଯାଏ । ସେଠାରେ ଗୁଳି ତ ଫୁଟାଯାଏ, କୁଆଡ଼େ ବାଜେ କିଏ ଜାଣେ! ଅବଶ୍ୟ କହି ଦିଆଯାଏ ‘ବୁଲସ୍ ଆଇ’ ହିଟ୍ କରିଗଲା । ବାସ୍, ଦକ୍ଷତା ବି ପ୍ରମାଣିତ ହୋଇଗଲା ।
ଅନେକଙ୍କ ପ୍ରଶ୍ନ: ଏଭଳି ଦକ୍ଷତା ଥିବା ଅଫିସରମାନେ କିଭଳି ପ୍ରତି ଥର ଅଧିକ ଗୁଳି ନଷ୍ଟ ନ କରି ଅପରାଧୀର ବାମ ଗୋଡ଼କୁ ଟାର୍ଗେଟରେ ସଫଳ ହେଉଛନ୍ତି? କେତେକଙ୍କ ମତ ଡାହାଣ ଗୋଡ଼ରୁ ବେଶୀ ରକ୍ତ ଗଲେ ହୃଦ୍ଘାତର ଆଶଙ୍କା ରହିଛି । ତେଣୁ ବାମ ଗୋଡ଼ ପସନ୍ଦ । ଆଉ ତକିଆ ଏବଂ ଟାୱେଲର ଭୂମିକା ମଧ୍ୟ ଗୁଳିମାଡ଼ ବେଳେ ଥାଏ । ଯାହାଦ୍ୱାରା ଗୋଡ଼ ହାଡ଼ର ବିଶେଷ କ୍ଷତି ହେବନି ଏବଂ ତଦନ୍ତରେ ବି କ୍ୱଚିତ ଜଣାପଡ଼ିବ କେତେ ଦୂରରୁ ଗୁଳି ହୋଇଛି ।
ଅଧିକ ପଢ଼ନ୍ତୁ :- Crime news : ଯୌନ ସୌଦାଗରଙ୍କ କଳା କାହାଣୀ, ନାବାଳିକାଙ୍କୁ ୨ ବର୍ଷ ଯାଏଁ ନର୍କ ଯନ୍ତ୍ରଣା, ପଣ୍ୟ ଦ୍ରବ୍ୟ ଭଳି ବାରମ୍ଵାର ବିକ୍ରି-ବଳାତ୍କାର
ଏ ବାବଦରେ ବରିଷ୍ଠ ପୁଲିସ ଅଫିସରଙ୍କ ମତ ଭିନ୍ନ । କୁହନ୍ତି, ଏନ୍କାଉଣ୍ଟରର ଅର୍ଥ କାହାକୁ ହତ୍ୟା ନୁହେଁ । ଆତ୍ମରକ୍ଷା ସମୟରେ ଅପରାଧୀକୁ ଜଖମ କରିବା ଜରୁରୀ । ତେଣୁ କେବଳ ଗୋଡ଼କୁ ଟାର୍ଗେଟ କରାଯାଇଥାଏ । ଅବଶ୍ୟ ପୁଲିସ ଅଫିସରଙ୍କର ଦକ୍ଷତା ଯାହା ଥାଉନା ନାହିଁକି ‘ଏନକାଉଣ୍ଟର’ ଯେ ଅପରାଧୀଙ୍କୁ ଲଗାମ ଦେବାର ଅସ୍ତ୍ର ହୋଇପାରିଛି।