ମୁମ୍ବାଇ,୨୭/୦୩ : କ୍ରିଟିକ୍ସ ଚଏସ୍‌ ଆୱାର୍ଡସ୍‌-୨୦୨୫ର ବିଜେତାଙ୍କ ନାଁ ଘୋଷଣା ହୋଇଛି । ଭାରତର ଫିଚର୍‌ ଫିଲ୍ମ, କ୍ଷୁଦ୍ର ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ ଓ ୱେବ୍‌ ସିରିଜ୍‌ରେ ଉଲ୍ଲେଖନୀୟ କୃତିତ୍ୱକୁ ଏହି ସମ୍ମାନରେ ସମ୍ମାନିତ କରାଯାଏ । ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ ଓ ‘ଦିଲଜିତ୍‌ ଦୋସାଂଝଙ୍କ ‘ଅମର ସିଂହ ଚମ୍‌କିଲା’କୁ ବଡ଼ ପୁରସ୍କାର ମିଳିଛି । ଗାୟକ ତଥା ଅଭିନେତା ଦଲଜିତ୍ ଦୋସାଂଝ 'ଚମକିଲା'ରେ ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି । 'ପାରାଡ଼ାଇଜ'ରେ ଦମଦାର ଅଭିନୟ ପାଇଁ ଦର୍ଶନ ରାଜେନ୍ଦ୍ରନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । 'ଲାପତା ଲେଡ଼ିଜ' ପାଇଁ ରବି କିଶନଙ୍କୁ ସର୍ବଶ୍ରେଷ୍ଠ ସହ-ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି ।

ଦମ୍‌ଦାର କାହାଣୀ ପାଇଁ ଫିଚର୍‌ ଫିଲ୍ମ ବିଭାଗରେ ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’କୁ ଶ୍ରେଷ୍ଠ ଫିଚର୍‌ ଫିଲ୍ମ ସମ୍ମାନ ମିଳିଛି । ଏହାର ନିର୍ଦ୍ଦେଶିକା ପାୟଲ କପାଡ଼ିଆ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଛନ୍ତି । ଶ୍ରେଷ୍ଠ ସିନେମାଟୋଗ୍ରାଫି ପୁରସ୍କାର ମଧ୍ୟ ହାତେଇଛି ଏହି ଫିଲ୍ମ । ସତ ଘଟଣା ଉପରେ ଆଧାରିତ ଫିଲ୍ମ ‘ଅମର ସିଂହ ଚମ୍‌କିଲା’ରେ ଦମ୍‌ଦାର ଅଭିନୟ ପାଇଁ କ୍ରିଟିକ୍ସ ଚଏସ୍‌ ଶ୍ରେଷ୍ଠ ଅଭିନେତା ସମ୍ମାନ ଲାଭ କରିଛନ୍ତି ଦିଲଜିତ୍‌ ଦୋସାଂଝ । ଏ ସମ୍ମାନ ପାଇଁ ସେ ଫିଲ୍ମ କ୍ରିଟିକ୍ସ ଗିଲ୍ଡକୁ ଧନ୍ୟବାଦ ଦେଇଛନ୍ତି । ଅମର ସିଂହ ଚମ୍‌କିଲା ଓ ଫିଲ୍ମମେକର୍‌ ଇମ୍‌ତିଆଜ ଅଲିଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିଛନ୍ତି । ପୂରା ଫିଲ୍ମ ଟିମ୍‌କୁ ବି ଧନ୍ୟବାଦ ଦେଇଛନ୍ତି । ସେହିପରି ଫିଲ୍ମ ‘ପାରାଡାଇଜ୍‌’ରେ ସୁନ୍ଦର ଅଭିନୟ ପାଇଁ କ୍ରିଟିକ୍ସ ଚଏସ୍‌ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଛନ୍ତି ଦର୍ଶନ ରାଜେନ୍ଦ୍ରନ ।

ଅଧିକ ପଢନ୍ତୁ...ସିକନ୍ଦର ପାଇଁ କେତେ ଫିସ୍ ନେଇଛନ୍ତି ସଲମାନ ଖାନ ? ଭାଇଜାନଙ୍କ ତୁଳନାରେ ୨୪ ଗୁଣ କମ୍ ନେଇଛନ୍ତି ପୁଷ୍ପା କୁଇନ୍ ରଶ୍ମିକା ମନ୍ଦାନା...

ସେହିପରି ଫିଲ୍ମ ‘ଲାପତା ଲେଡିଜ୍‌’ରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ସହ-ଅଭିନେତା ପୁରସ୍କାର ପାଇଛନ୍ତି ରବି କିଶନ । ‘ଗର୍ଲସ ୱିଲ୍‌ ବି ଗର୍ଲସ୍‌’ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପାଇଛନ୍ତି କାନୀ କୁଶ୍ରୁତି । ୱେବ୍‌ ସିରିଜ୍‌ ବିଭାଗରେ ଏକାଧିକ ବିଭାଗରେ ବାଜି ମାରିଛି ‘ପୋଚର୍‌’ । ଶ୍ରେଷ୍ଠ ୱେବ୍‌ ସିରିଜ୍‌, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଓ ସହ-ଅଭିନେତ୍ରୀ ଏବଂ ଲିଖନ ଭଳି ବଡ଼ ପୁରସ୍କାର ଜିତି ଏହା ଡିଜିଟାଲ ଜଗତରେ ନିଜର ପ୍ରତିଭା ପ୍ରଦର୍ଶନ କରିଛି ।

ୱେବ ସିରିଜ୍ 'ରାତ ଯବାନ ହୈ' ପାଇଁ ବରୁଣ ସୌବତୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ସେହିପରି ‘ପୋଚର୍‌’ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ପାଇଛନ୍ତି ରିଚି ମେହେତା । ନିମିଷା ସଜୟନ ଶ୍ରେଷ୍ଠ ଅଭିନେତା ଆୱାର୍ଡ ପାଇଛନ୍ତି ।