ଅଦମ୍ୟ ସାହସର ସହ ଲଢ଼େଇ କରି କୁମ୍ଭୀର ମୁହଁରୁ ଖସିଆସିଲେ ମହିଳା, ଛେଳି ଚରାଉଥିବା ବେଳେ ପାଣି ଭିତରକୁ ଟାଣି ନେଇଥିଲା…

ରାଜନଗର,୨୫/୦୬: ଯୋରକୂଳରେ ଛେଳି ଚରାଉଥିବା ଜଣେ ମହିଳା ଅଦମ୍ୟ ସାହସର ସହ ଲଢ଼େଇ କରି କୁମ୍ଭୀର ମୁହଁରୁ ଖସି ଆସିଛନ୍ତି। କୁମ୍ଭୀରଟି ତାଙ୍କ ଗୋଡ଼କୁ କାମୁଡ଼ି ପାଣି ଭିତରକୁ ଟାଣି ନେଉଥିବା ବେଳେ ସେ ଧରିଥିବା ବାଡ଼ିରେ ଲଗାତାର କୁମ୍ଭୀରକୁ ପିଟି ଚାଲିବାରୁ କୁମ୍ଭୀରଟି ତାଙ୍କୁ ଛାଡ଼ି ଦେଇଥିଲା । କୁମ୍ଭୀର କାମୁଡ଼ାରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ବିବରଣୀରୁ ପ୍ରକାଶ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ରାଜେନ୍ଦ୍ରନାରାୟଣପୁର ଗାଁର ସୁକୁମାର ଦିଣ୍ଡାଙ୍କ ପତ୍ନୀ ପୂର୍ଣ୍ଣିମା (୪୨) ଆଜି ଥାନପତି ଯୋର ନିକଟରେ ଛେଳି ଚରାଉଥିଲେ । ଛେଳିଗୁଡ଼ିକ ଚରୁଥିବା ବେଳେ ସେ ଯୋର କୂଳରେ ଠିଆ ହୋଇଥିଲେ । ଏହି ସମୟରେ ଏକ ବଉଳା କୁମ୍ଭୀର ଯୋରରୁ ବାହାରି ଝାମ୍ପ ମାରି ତାଙ୍କ ବାମ ଗୋଡ଼କୁ କାମୁଡ଼ି ପାଣିକୁ ଟାଣି ନେଇଥିଲା ।
ପୂର୍ଣ୍ଣିମା ଛେଳି ଘଉଡ଼ାଇବା ପାଇଁ ଧରିଥିବା ବାଡ଼ିରେ କୁମ୍ଭୀରଟିକୁ ଲଗାତାର ଆଘାତ କରିଥିଲେ । ଶେଷକୁ କୁମ୍ଭୀରଟି ତାଙ୍କୁ ଛାଡ଼ି ପଳାଇଥିଲା । ତାଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଦୌଡ଼ି ଆସି ପୂର୍ଣ୍ଣିମାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅଧିକ ରକ୍ତସ୍ରାବ ଯୋଗୁଁ ସେ ଦୁର୍ବଳ ହୋଇ ପଡ଼ିଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏବେ ସେ ସୁସ୍ଥ ଅଛନ୍ତି ।