ମାଛ ଧରିବାକୁ ଯାଇଥିଲେ… ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ଉଦ୍ଧାର ହେଲା ମୃତଦେହ

ମହାକାଳପଡ଼ା,୧୯/୦୩: ନଈକୁ ମାଛ ଧରିବାକୁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି । ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଧୀନ ଖରିନାସୀ ଗ୍ରାମରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ମହାନନ୍ଦ ମଣ୍ଡଳଙ୍କ ପତ୍ନୀ କୌଶଲ୍ୟା ମଣ୍ଡଳ (୪୦) ।
ମିଳିଥିବା ଖବରରୁ ପ୍ରକାଶ, କୌଶଲ୍ୟା ଶନିବାର ଅପରାହ୍ନରେ ଅନ୍ୟ ମହିଳାଙ୍କ ସହ ମିଶି ସ୍ଥାନୀୟ ଜମ୍ବୁ-ଖରିନାସୀ ନଈକୁ ମାଛ ଧରିବା ପାଇଁ ଯାଇଥିଲେ । ନଈ କୂଳରେ ମାଛ ଧରୁଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କ ଗୋଡ଼କୁ ମାଡ଼ି ବସିଥିଲା । କୁମ୍ଭୀରଟି ତାଙ୍କୁ ନଈ ଭିତରକୁ ଟାଣିନେବା ଦେଖି ଅନ୍ୟ ମହିଳାମାନେ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପୂର୍ବରୁ କୁମ୍ଭୀର ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲା । ଅଭିଯୋଗ ପାଇ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି ।