କୋଣାର୍କ,୧୪।୧୨(ଆପ୍ର) ବଡଦିନ ପୂର୍ବରୁ ରବିବାର ପୁରୀ- କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ପୀଠ ଓ ଅର୍କକ୍ଷେତ୍ର କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା। ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ବେଳାଭୂମି,ଇକୋ ରିଟ୍ରିଟ ଓ ରାମଚଣ୍ଡୀ ପୀଠ ପରିସରରେ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନଙ୍କ ସମାଗମ ହୋଇଥିଲା ।
ଚନ୍ଦ୍ରଭାଗାରୁ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ, ସ୍କୁଲ ଛାତ୍ରଛାତ୍ରୀ, ବନ୍ଧୁ ପରିଜନ, ଯୁବକଯୁବତୀ ଭୋଜି ଭାତରେ ମସଗୁଲ ହୋଇଥିଲେ। ସୂର୍ଯ୍ୟମନ୍ଦିର ଦର୍ଶନ କରିବା ସହିତ ଚନ୍ଦ୍ରଭାଗା ବେଳାଭୂମିରେ ବୁଲି ରାମଚଣ୍ଡୀରେ ବଣଭୋଜି କରିଥିଲେ। ଯାନବାହାନ ରାସ୍ତାରେ ପାର୍କିଂ କରିବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ନବଗ୍ରହ ସମ୍ମୁଖରେ ଉଠା ବ୍ୟବସାୟୀ ମାନେ ରାସ୍ତା ଉପରେ ବ୍ୟବସାୟ କରୁଥିବାରୁ ଯାତୟାତରେ ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖିନ ହୋଇଥିଲେ।
ସେହିଭଳି ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଟିକେଟ ପାଇଁ ପର୍ଯ୍ୟଟକମାନେ କାଉଣ୍ଟର ସମ୍ମୁଖରେ ଦୀର୍ଘ ସମୟଧରି ଲମ୍ବା ଲାଇନରେ ଅପେକ୍ଷା କରି ରହିଥିଲେ । ମନ୍ଦିର ଭିତରେ ପର୍ଯ୍ୟଟକମାନେ ମୋବାଇଲରେ ସେଲଫି ନେଉଥିଲେ । ସଂଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଛକ ଯାଗାରେ ଗହଳି ରହିଥିଲା।