ଭୁବନେଶ୍ୱର, ୨୦/୦୫: ସହାରାଞ୍ଚଳ ଯାତ୍ରୀ ପରିବହନ କ୍ଷେତ୍ରରେ ଆଉ ପାଦେ ଆଗକୁ ଯିବ କ୍ରୁଟ । ଆଉ ୬ ସହରରେ ଗଡ଼ିବ ଆମ ବସ୍ । ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏହା ସହ ଡିପୋ ସମ୍ପ୍ରସାରଣ ଓ ପିଏମ୍ ଇ-ବସ୍ ସେବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।
ବୈଠକରେ ମନ୍ତ୍ରୀ କେନ୍ଦୁଝର, ବାରିପଦା, ଅନୁଗୁଳ, ଝାରସୁଗୁଡ଼ା ଏବଂ ବାଲେଶ୍ୱରକୁ ଅନ୍ତର୍ଭୁକ୍ତ କରୁଥିବା କ୍ରୁଟର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ । ଏହା ସହ ଯାଜପୁର, ରାୟଗଡ଼ା, କୋରାପୁଟ, ଭଦ୍ରକ ଏବଂ ବଲାଙ୍ଗିରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ରୋଡମ୍ୟାପ୍ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ସୂଚନା ଦିଆଯାଇଥିଲା, କେନ୍ଦୁଝରରେ ନୂତନ ଭାବେ ଆରମ୍ଭ ହୋଇଥିବା ବୈଦ୍ୟୁତିକ ବସ୍ ସେବାରେ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା ଦୈନିକ ପ୍ରାୟ ୧,୩୦୦ ଯାତ୍ରୀରେ ପହଞ୍ଚିଛି ।
ଏହି ସମୀକ୍ଷାରେ ‘ପିଏମ୍ ଇ-ବସ୍ ସେବା’ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ଉପରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ୪୦୦ ପିଏମ୍ ଇ-ବସ୍ ଆସିବ । ରାଜ୍ୟରେ ଆଗାମୀ ଡିପୋ ଏବଂ ବୈଦ୍ୟୁତିକ ପରିବହନ ଭିତ୍ତିଭୂମିକୁ ସମୟାନୁବନ୍ଧିତ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ବାକି ଥିବା ଭିତ୍ତିଭୂମି ଏବଂ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବସ୍ରେ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍(ଏଡିଏଏସ୍-ଆଡାସ) ଏବଂ ଡ୍ରାଇଭର୍ ଫାଟିଗ୍ ଆଣ୍ଡ ମନିଟରିଂ ସିଷ୍ଟମ୍ (ଡିଏଫ୍ଏମ୍ଏସ୍)ର ମୁତୟନକୁ ତ୍ୱାରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- Cabinet Meeting: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୭ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର
କେନ୍ଦୁଝରରେ ବୈଦ୍ୟୁତିକ ବସ୍ ଚାଳନାରେ ମହିଳା ଡ୍ରାଇଭରମାନଙ୍କ ନିୟାଜନକୁ ବିଶେଷ ଭାବେ ସ୍ୱୀକୃତି ଦେଇଛନ୍ତି । କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସିଦ୍ଧିକ ଆଲାମ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବା ସହ ଓଡ଼ିଶାରେ କ୍ରୁଟ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ଷମ, ଭିତ୍ତିଭୂମି ଏବଂ ସାଂସ୍ଥାନିକ ପଦକ୍ଷେପ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।