IPL ମହାସମର: ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ-ଗୁଜରାଟ, ଏମିତି ରହିପାରେ ପ୍ଳେଇଂ ଇଲେଭେନ୍

ନୂଆଦିଲ୍ଲୀ ୩୦/ ୦୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଗତ ଥରର ଚାମ୍ପିୟନ୍ ଗୁଜରାଟ ଟାଇଟନ୍ସ ଓ ଚେନ୍ନାି ସୁପର୍ କିଙ୍ଗସ୍ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଏଥର ଦମଦାର ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ସେହିଭଳି ନବାଗତ ଦଳ ଗୁଜରାଟ ଟାଇଟନ୍ସ ତାର ପ୍ରଥମ ସିଜିନରେ ଚାମ୍ପିୟନ୍ ହୋଇ ସମସ୍ତଙ୍କୁ ଚକିତ କରିଥିଲା । ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ନେତୃତ୍ବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଶେଷ କରି ଚେନ୍ନାଇ ସୁପର୍ କିଙ୍ଗସ୍ର ଲମ୍ବା ବ୍ୟାଟିଂ ଲାଇନ୍ ଓ ଗୁଜରାଟ ଟାଇଟନ୍ସର ଶାଣିତ ବୋଲି ବାହିନୀ ମଧ୍ୟରେ କଡା ଟକ୍କର ମିଳିବ ବୋଲି ଆଶା କରାଯାଉଛି । ତେବେ ପ୍ରଥମ ମ୍ୟାଚରେ ଉଭୟ ଦଳର ଚୂଡାନ୍ତ ଏକାଦଶ କିଭଳି ରହିବ ତାହା ମଧ୍ୟ ସବୁଠାରୁ ବଡ ପ୍ରଶ୍ନ ।
ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଲାଇନ୍ ମୁଖ୍ୟତଃ ଶୁବମାନ ଗିଲ୍, ମାଥ୍ୟୁ ଓ୍ବେଡ୍, ଓଡେନ୍ ସ୍ମିଥ୍ ଓ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ହାତରେ ରହିବ । ଡେଭିଡ୍ ମିଲର ଏବେ ନେଦରଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଥିବାରୁ ସେ ପ୍ରଥମ ମ୍ୟାଚରେ ଅନୁପସ୍ଥିତ ରହିବେ । ଫିନିସର ଭାବେ ଓ୍ବେଡ୍ ଓ ରାହୁଲ ତେଓ୍ବାତିୟା ନଜର ଆସିବେ । ସେହିଭଳି ବୋଲିଂ ବାହିନୀରେ ମହମ୍ମଦ ସାମି, ରାସିଦ ଖାନ, ଶିବମ ମାବି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ।

ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଋତୁରାଜ ଗାୟକଓ୍ବାଡ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନୀଙ୍କ ହାତରେ ରହିବ । ଦଳର ଅଲରାଉଣ୍ଡର ତାଲିକା ଲମ୍ବା ରହିଛି । ବେନ୍ ଷ୍ଟୋକସ୍ ଦୁର୍ଦ୍ଦଶ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ସେହିଭଳି ମୋଇନ୍ ଅଲ୍ଲୀ, ରବିନ୍ଦ୍ର ଜାଡେଜା ବ୍ୟାଟିଂରେ କମାଲ କରିବେ । ବୋଲିଂ ବାହିନୀ ଭାର ଦୀପକ ଚହରଙ୍କ ହାତରେ ଥିବା ବେଳେ ଡ୍ବେନ୍ ପ୍ରିଟୋରିୟସ୍ ଓ ସିମରଜିତ ସିଂହ ମଧ୍ୟ ରହିଛନ୍ତି ।
ଗୁଜରାଟ ଟାଇଟନ୍ସର ସମ୍ଭାବ୍ୟ ଏକାଦଶ: ଶୁବମାନ ଗିଲ୍, ରିଦ୍ଧିମାନ ଶାହ, କେନ୍ ଓ୍ବିଲିମୟସନନ, ହାର୍ଦ୍ଧିକ ପାଣ୍ଡ୍ୟା (ଅଧିନାୟକ), ଅଭିନବ ମନୋହର, ମାଥ୍ୟୁ ଓ୍ବେଡ୍, ରାହୁଲ ତେଓ୍ବାତିୟା, ରାସିଦ ଖାନ, ଶିବମ ମାବି, ଅଲଜାରୀ ଜୋସେଫ୍ ଓ ମହମ୍ମଦ ସାମି
ଚେନ୍ନାଇ ସୁପର୍ କିଙ୍ଗସ୍ର ସମ୍ଭାବ୍ୟ ଏକାଦଶ: ଡେଭନ୍ କୋନଓ୍ବୋ, ଋତୁରାଜ ଗାୟକଓ୍ବାଡ, ମୋଇନ୍ ଅଲ୍ଲୀ, ଅମ୍ବାତି ରାୟୁଡୁ, ବେନ୍ ଷ୍ଟୋକସ୍, ମହେନ୍ଦ୍ର ସିଂହ ଧୋନୀ, ରବିନ୍ଦ୍ର ଜାଡେଜା, ଡ୍ବେନ୍ ପ୍ରିଟୋରିୟସ୍, ଦୀପକ ଚହର, ସିମରଜିତ ସିଂହ ଓ ତୁଷାର ଦେଶପାଣ୍ଡେ