PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ବ୍ଲେଡ୍‌ରେ ଛାତ୍ରୀଙ୍କ ହାତ କାଟିଦେଲେ

ଅନୁଗୁଳ,୭ା୨(ବ୍ୟୁରୋ): ନବମ ଶ୍ରେଣୀ ଛାତ୍ରୀକୁ ପ୍ରେମ ନିବେଦନ କଲେ । ପ୍ରେମ ଜାଲରେ ଫସାଇବା ପାଇଁ ପ୍ରେମପତ୍ର ଓ ଫୋନ୍‌ ନମ୍ବର ମଧ୍ୟ ଦେଲେ । ହେଲେ ଛାତ୍ରୀ ଜଣଙ୍କ ଏହାକୁ ଅସ୍ୱୀକାର କରିବାରୁ ୨ ଜଣ ଯୁବକ ତାଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିବା ସହ ତାଙ୍କ ହାତକୁ ବ୍ଲେଡ୍‌ରେ କାଟି ପକାଇଲେ । ଗୁରୁବାର ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଛାତ୍ରୀଙ୍କ ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାରୁ ତନାଘନା ଆରମ୍ଭ କରିଛି ।
ପୁଲିସ୍‌ ସୂତ୍ରରୁ ପ୍ରକାଶଯେ, ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ କୁରୁଡୁଲ ଘୁଞ୍ଚାପାଳ ଗ୍ରାମର ମେଘ ନାଏକ(୨୦) ଓ ଆକାଶ ନାଏକ(୨୦) ହାଇରାଣ କରି ଆସୁଥିଲେ । ସ୍କୁଲ୍‌ ଯିବା ଆସିବା ସମୟରେ ନାବାଳିକାଙ୍କୁ ଯୁବକଦ୍ୱୟ ପ୍ରେମପତ୍ର ଓ ଫୋନ ନମ୍ବର ଦେଉଥିଲେ । ଏନେଇ ପରିବାର ଲୋକଙ୍କୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଗତ ମଙ୍ଗଳବାର ଛାତ୍ରୀ ଜଣକ ତାଙ୍କ ୨ ଜଣ ସାଙ୍ଗଙ୍କ ସହ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଦ୍ୱୟ ସେମାନଙ୍କ ପିଛା କରି କମେଟ ମାରିଥିଲେ । ରାସ୍ତାରେ ସେମାନଙ୍କୁ ଅଟକାଇ ପୁଣିଥରେ ଫୋନ୍‌ ନମ୍ବର ଦେଇଥିଲେ । ଯୁବକ ଦ୍ୱୟଙ୍କ ଏହି ଅଭଦ୍ରାମି ଦେଖି ତୁରଙ୍ଗ ଗ୍ରାମର କିଛି ଯୁବକ ବୁଝାସୁଝା କରିବା ସହ ଏଥିରୁ ନିବୃତ ରହିବାକୁ ଚେତାବନୀ ଦେଇଥିଲେ । ମାତ୍ର ଯୁବକଦ୍ୱୟ ସୁଧୁରି ନଥିଲେ । ଗୁରୁବାର ପୂର୍ବାହ୍ଣ ୧୦ଟାରେ ଛାତ୍ରୀଜଣକ ୨ ଜଣ ସାଙ୍ଗ ସହ ସ୍କୁଲ ଆସୁଥିବା ବେଳେ ଯୁବକମାନେ ଏକ ବାଇକ୍‌ରେ ଆସି ହୋଟେଲ୍‌ ନମ୍ର ପ୍ୟାଲେସ୍‌ ସମ୍ମୁଖରେ ଅଟକାଇ ଥିଲେ । ଜବରଦସ୍ତ ଛାତ୍ରୀକୁ ଗାଡ଼ିରେ ବସାଇ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ସେମାନଙ୍କ କବଳରୁ ମୁକୁଳିବା ପାଇଁ ଛାତ୍ରୀ ଜଣଙ୍କ ଚିତ୍କାର କରିଥିଲେ । ଛାତ୍ରୀଙ୍କ ଚିତ୍କାର ଦେଖି ଯୁବକଦ୍ୱୟ ଏକ ଧାରୁଆ ବ୍ଲେଡରେ ତାକୁ ଆକ୍ରମଣ କରିଥିଲେ । ଛାତ୍ରୀର ଡାହାଣ ହାତକୁ କାଟି ପଲାଇଥିଲେ । ଛାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ଛାତ୍ରୀଙ୍କ ସାଙ୍ଗମାନେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ନିକଟସ୍ଥ ଏକ ନର୍ସିଂହୋମ୍‌କୁ ନେଇଯାଇଥିଲେ । ଆକ୍ରମଣ ଏତେ ଗୁରୁତର ଥିଲା ଯେ ୭ଟି ଷ୍ଟିଚ୍‌ ପଡ଼ିଥିଲା । ଚିକିତ୍ସା ପରେ ଛାତ୍ରୀ ଓ ତାଙ୍କ ପରିବାର ଲୋକ ମେଘ ଓ ଆକାଶଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦ୍ୱୟ ଫେରାର୍‌ ଅଛନ୍ତି ।