ଚଣ୍ଡୀ ମନ୍ଦିର ନବୀକରଣ ପ୍ରକଳ୍ପ: ୮ ମାସ ହେଲାଣି ଭଙ୍ଗାଭଙ୍ଗି ସରୁନି, ଅଧାଭଙ୍ଗା ହୋଇ ପଡ଼ିରହିଛି ମନ୍ଦିର ବେଢା

କଟକ ୨୪/୦୧: କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ଆଗେଇପାରୁନି । ଅନୁଦାନ ମିଳିବାର ୮ ମାସ ବିତିଥିଲେ ସୁଦ୍ଧା ଏବେ ଯାଏ ଭଙ୍ଗାଭଙ୍ଗି କାମ ଶେଷ ହୋଇପାରୁନି । ବାରମ୍ବାର ସମୀକ୍ଷା ବୈଠକ ଏବଂ ଅଧିକାରୀମାନେ ସ୍ଥିତି ଯାଞ୍ଚ୍ କରୁଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରୁନି ପ୍ରଶାସନ । ଯାହାଫଳରେ ଅଧା ଭଙ୍ଗା ଅବସ୍ଥାରେ ମନ୍ଦିର ବେଢ଼ା ପଡ଼ିରହିଛି । ସେପଟେ ମନ୍ଦିରର ନବୀକରଣ ପରେ ପୁନର୍ବାର ନିଜ ବ୍ୟବସାୟକୁ ଫେରିବାକୁ ପ୍ରାୟ ୨୨ ଜଣ ବ୍ୟବସାୟୀ ଅପେକ୍ଷା କରି ବସିଛନ୍ତି । ୬ମାସ ମଧ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଡେଡ୍ଲାଇନ୍ ଟପିସାରିଥିଲେ ମଧ୍ୟ ଏବେ ଯାଏ ଭଙ୍ଗାଭଙ୍ଗି କାମ ସରିନଥିବାରୁ ବ୍ୟବସାୟୀମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଚଣ୍ଡୀମନ୍ଦିରର ସର୍ବାଙ୍ଗୀନ ବିକାଶ କରିବାକୁ ଗତବର୍ଷ ମେ’ ମାସରେ ରାଜ୍ୟ ସରକାରଙ୍କ ତରଫରୁ ୭୦ କୋଟି ଟଙ୍କା ଅନୁଦାନ ଅନୁମୋଦନ କରାଯାଇଥିଲା । ପୂର୍ତ୍ତ ବିଭାଗ ପକ୍ଷରୁ ଚଣ୍ଡୀମନ୍ଦିର ବିକାଶ ସମ୍ବନ୍ଧୀୟ ଡିପିଆର୍ (ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ) ଅନୁସାରେ ଓବିସିସି ତରଫରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ୫-ଟି ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ମନ୍ଦିରର ଐତିହ୍ୟ ଓ କୀର୍ତ୍ତିରାଜିକୁ ସୁରକ୍ଷା ଦିଆଯିବା ସହ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ମନ୍ଦିର ଚାରିପଟରେ ପଥର ପାଚେରୀ ନିର୍ମାଣ କରାଯିବ । ଚାରି ଦିଗରେ ଚାରୋଟି ଦ୍ୱାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର, ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୁଲିସ୍ କଣ୍ଟ୍ରୋଲ୍ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, କ୍ଲକ୍ ରୁମ୍, ବିଶୁଦ୍ଧ ପାନୀୟ ଜଳ ସୁବିଧା, ବ୍ୟାଖ୍ୟାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ।
ଏନେଇ ପ୍ରାୟ ୬ମାସ ହେଲାଣି ମନ୍ଦିର ପାଶ୍ୱର୍ରେ ଭଙ୍ଗାଭଙ୍ଗି କାମ ଆରମ୍ଭ କରାଯାଇଥିଲେ ମଧ୍ୟ ଶେଷ ହୋଇପାରୁନାହିଁ । ଏହାଦ୍ୱାରା ବ୍ୟବସାୟୀମାନେ ବେଶ୍ ହଇରାଣ ହେଉଛନ୍ତି । ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବ୍ୟବସାୟୀମାନଙ୍କ ସହଯୋଗ ଲୋଡ଼ିଥିଲା ପ୍ରଶାସନ । ଏମିତିକି ସାମଗ୍ରୀ ସ୍ଥାନାନ୍ତର କରିବାକୁ କ୍ଷତିପୂରଣ ଦେବା ସହ ୬ମାସ ମଧ୍ୟରେ ଦୋକାନ ଘର ତିଆରି କରିଦେବାକୁ କୁହାଯାଇଥିଲା । କିନ୍ତୁ ଏଯାବତ୍ ଥଇଥାନ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ ।
ଗତ ଡିସେମ୍ବର ମାସ ୨୦ତାରିଖରେ ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିଥିଲେ । ୧୦ ଦିନ ମଧ୍ୟରେ ଭିତରେ ମନ୍ଦିର ପରିସରରେ ଥିବା ସେବାୟତଙ୍କୁ ସାମୟିକ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ମନ୍ଦିର ପଛପାଶ୍ୱର୍ରେ ଥିବା ବିଲ୍ଡିଂ ଭାଙ୍ଗି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । ମନ୍ଦିର ପରିସରର ଖୋଲା ମଣ୍ଡପରେ ଏକ କାନ୍ଥ ନିର୍ମାଣ କରାଯାଇ ଅସ୍ଥାୟୀ ଭାବେ ଷ୍ଟ୍ରଙ୍ଗରୁମ୍ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଏଭିତରେ ମାସେ ବିତିଥିଲେ ସୁଦ୍ଧା କାମ ଆଖିଦୃଶିଆ ଆଗେଇ ପାରିନାହିଁ । ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଚୟନୀଙ୍କୁ ପଚାରିବାରେ ସେ କହିଛନ୍ତି, କାମ ଜୋରଦାର ଚାଲିଛି । ଭଙ୍ଗାଭଙ୍ଗି କାମ ଚଳିତମାସ ଶେଷ ସୁଦ୍ଧା ସରିଯିବ । ଫେବ୍ରୁଆରୀରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି।