କଟକ,୧୦/୦୧: ରାତି ହେଲେ ବିଭିନ୍ନ ଜାଗାରୁ ଛୋଟ ବଡ଼ ଗାଡ଼ି ଆସି ଲାଗିଥିବ । ପରେ ସେହି ଗାଡ଼ିର ଡାଲା ପାଖରେ ଟ୍ରଲିକୁ ଲଗାଇ ଖଲାସ୍ ଚାଲିଥିବ ବସ୍ତା ପରେ ବସ୍ତା ଓ ଗୋଟିକ ପରେ ଗୋଟିଏ ଜରି ପ୍ୟାକେଟ୍ରେ ଥିବା ପରିବା । ସେହି ଟ୍ରଲିରେ ପରିବା ବସ୍ତା ବୋହି ଛତ୍ରବଜାର ରାସ୍ତାକଡ଼ରେ ବସିଥିବା ପରିବା ମାଲିକଙ୍କ ପାଖରେ ନେଇ ରଖିବେ । ବଡ଼ ଗାଡ଼ିରୁ ଛୋଟ ଗାଡ଼ିକୁ ପରିବା ବସ୍ତା ପାର୍ଉତାର କରିବେ । ଏଥିପାଇଁ ମାଲିକ ସେମାନଙ୍କୁ ବଢ଼ାଇ ଦେବ ୧୦ ଟଙ୍କା । ଏହା ହେଉଛି କଟକ ଛତ୍ରବଜାର ପରିବା ହାଟର ରାତିର ନିତିଦିନିଆ ଦୃଶ୍ୟ ।
ଖରା ହେଉ କି ବର୍ଷା ଅବା ଶୀତ କିଛି ବି ଫରକ୍ ସେମାନଙ୍କୁ ପଡ଼େ ନାହିଁ । ହାଫ୍ ପ୍ୟାଣ୍ଟ୍, ଟି-ସାର୍ଟ ଓ ମୁଣ୍ଡରେ ପଗଡ଼ି ବାନ୍ଧି ଟ୍ରଲି ଧରି ମଧ୍ୟ୍ୟରାତ୍ରରୁ ଛତ୍ରବଜାର ପରିବା ହାଟରେ ଆସି ଛିଡ଼ା ହୁଅନ୍ତି ଅନେକ ଟ୍ରଲି ଚାଳକ । ସାରା ସହରଟା ଯେତେବେଳେ ନିଦରେ ଶୋଇପଡ଼େ ସେତେବେଳେ ଚେଇଁ ଉଠେ ଛତ୍ରବଜାରର ପରିବା ହାଟ । ସବୁଦିନ ପରି ଟ୍ରଲି ଚାଳକମାନେ ଅନେଇ ବସିଥାନ୍ତି ପରିବା ଗାଡ଼ି ଗୁଡ଼ିକୁ । ଗାଡ଼ି ଆସିବା କ୍ଷଣି କୋଳାହଳରେ ଫାଟି ପଡ଼େ ସମ୍ପୂର୍ଣ୍ଣ ଅଞ୍ଚଳ । ଟ୍ରଲି ଧରି ଗାଡ଼ି ପାଖକୁ ଯାଆନ୍ତି । ପରେ ଗାଡ଼ିରୁ ଚାଲେ ଖଲାସି ଓ ବୋଝେଇର ପ୍ରକ୍ରିୟା । ଯାହାର ମୁଖ୍ୟ ମାର୍ଫତଦାର ସାଜଛନ୍ତି ନୂଆପଡ଼ା ବାଲିସାହି ଅଞ୍ଚଳର ଟ୍ରଲି ଚାଳକମାନେ । ଏହି ପ୍ରକ୍ରିୟା ଏବେକାର ନୁହେ, ୧୦୦ ବର୍ଷରୁ ଅଧିକ ହେବ । ପିଢ଼ି ପରେ ପିଢ଼ି ଏହି କାର୍ଯ୍ୟ କରି ଆସୁଛନ୍ତି ସେମାନେ । ରାତିରେ ଟ୍ରଲି ଟାଣିଲେ ସକାଳେ ପରିବାର ଚଳେ । ଏହି ଟ୍ରଲିରେ ପରିବା ବୋଝ ବୋହି ସେମାନଙ୍କ ରାତି କଟିଯାଏ ।
ଛତ୍ରବଜାରରେ ୨୦୦ରୁ ଅଧିକ ପରିବା ଦୋକାନ ରହିଛି । ଗାଡ଼ି ଆସିବା ପୂର୍ବରୁ ବ୍ୟବସାୟୀମାନେ ନିଜର ପରିବା ଠିକଣା ଜାଗାକୁ ନେବା ପାଇଁ ଟ୍ରଲି ଚାଳକମାନଙ୍କୁ ବୁକିଂ କରିଥାନ୍ତି । ଗାଡ଼ି ଗୁଡ଼ିକ ଆସିଲା ପରେ ଟ୍ରଲି ଚାଳକମାନଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲେ । କିଏ ଟ୍ରଲିରେ କେତେ ଟ୍ରିପ୍ ପରିବା ଖଲାସି ଓ ବୋଝେଇ କରୁଛି । ଏହିପରି ଭାବରେ ମଧ୍ୟରାତ୍ରରୁ ସକାଳ ୭ଟା ପର୍ଯ୍ୟନ୍ତ ଚାଲେ । ବଡ଼ ବସ୍ତା ଗୋଟିକୁ ୧୦ ଟଙ୍କା ଓ ଜରିରେ ବନ୍ଧା ହୋଇ ଆସୁଥିବା ପରିବାକୁ ୫ ଟଙ୍କା ନିଅନ୍ତି ଟ୍ରଲି ଚାଳକମାନେ। ପ୍ରତି ରାତିରେ ଛତ୍ରବଜାରରେ ୧୦୦ରୁ ଅଧିକ ଲୋକ ଟ୍ରଲି ଧରି ଛିଡ଼ା ହୋଇଥାନ୍ତି । ରାତିସାରାର କଠିନ ପରିଶ୍ରମ ପରେ ସକାଳୁ ନିଜର ପାରିଶ୍ରମିକକୁ ଧରି ଘରକୁ ଫେରନ୍ତି ସେମାନେ । କେବଳ ସେତିକି ନୁହେଁ, ସହରର ଅନ୍ୟ ଜାଗାକୁ ମଧ୍ୟ ବ୍ୟବସାୟୀମାନେ କହିବା ମୁତାବକ ଟ୍ରଲିରେ ପରିବା ଲଦି ନିଅନ୍ତି ବୋଲି ଟ୍ରଲି ଚାଳକମାନେ କହିଛନ୍ତି ।
ଏ ସଂପର୍କରେ ଟ୍ରଲି ଚାଳକ ଜଳନ୍ଧର ବେହେରା କହିଛନ୍ତି, ୧୫ ବର୍ଷ ବୟସରୁ ମୁଁ ଛତ୍ରବଜାରରେ ଟ୍ରଲିରେ ପରିବା ବୋହିବା କାମ କରୁଛି । ବାପା ପରେ ଭାଇ ଏବେ ମୁଁ ଏହି କାମ କରୁଛୁ । ସେହିପରି ସିନୁ ରେଡ୍ଡି କହିଛନ୍ତି, ୨୦ ବର୍ଷ ହେବ ଏଠାରେ କାମ କରୁଛି ।